ରାଜନୀତି

ଘୋଷଣା ହେଉନି ପ୍ରାର୍ଥୀ ତାଲିକା: ସମୟ ବିତୁଛି, ସନ୍ଦେହ ବଢ଼ୁଛି – Kalinga News

[ad_1]

ଅନୁଗୁଳ: ନିର୍ବାଚନ ତାରିଖ ଘୋଷଣାର ୬ ମାସ ଆଗରୁ ଜୋରଦାର ଚାଲିଥିଲା ସାଂଗଠନିକ କାର୍ଯ୍ୟକ୍ରମ। କର୍ମୀ ସମ୍ମିଳନୀ ସହ ନିୟମିତ ମିଶ୍ରଣ ପର୍ବ ଚାଲିଥିଲା। ପରୋକ୍ଷରେ ପ୍ରଚାର କରି ଶକ୍ତି ବଢ଼ାଇବାରେ ଲାଗିଥିଲେ ନେତା। ହେଲେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସବୁକିଛି ଠପ୍‌ ହୋଇଯାଇଛି। ‌ଟିକେଟ ଟେନସନ୍‌ରେ କଂଗ୍ରେସର ସବୁ ନେତା ଫସି ଯାଇଥିଲା ବେଳେ ବିଜେଡିର ଅନୁଗୁଳ ଓ ତାଳଚେର ଆସନରେ ସମାନ ସ୍ଥିତି। ଏପଟେ ବିଜେପି କିନ୍ତୁ ପ୍ରଚାରକୁ ତ୍ବରାନ୍ବିତ କଲାଣି।

ଯୁବନେତା ଅବିନାଶ ସାମଲଙ୍କୁ ବିଜେଡି ଢେଙ୍କାନାଳ ଲୋକସଭା ପ୍ରାର୍ଥୀ କଲା ପରେ ସେ ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର କରୁଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ‌ଭେଟି ଆଲୋଚନା କରୁଛନ୍ତି। ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଅନୁଗୁଳ ବିଧାନସଭା କ୍ଷେତ୍ରରେ ସାଂସଦ ପ୍ରାର୍ଥୀଙ୍କ ପାଦ ପଡ଼ିନି। ଏଠାରେ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ନଥିବାରୁ ସାଂସଦ ପ୍ରାର୍ଥୀ କ‌ାହା ସହ ବୁଲିବେ ତାକୁ ନେଇ ସନ୍ଦେହ ଥିବାରୁ ସେ ଏଠାକୁ ଆସିନାହାନ୍ତି। ତାଳଚେର ନିର୍ବାଚନମଣ୍ଡଳୀରେ ମଧ୍ୟ ସାଂସଦ ପ୍ରାର୍ଥୀ ପ୍ରଚାର ଆରମ୍ଭ କରିନାହାନ୍ତି। ବିଧାନସଭା ପ୍ରାର୍ଥୀ ଘୋଷଣା ହେଉ ନଥିବାରୁ କେବଳ ସାଂସଦ ପ୍ରାର୍ଥୀ ଅଡ଼ୁଆରେ ପଡ଼ିଛନ୍ତି, ତାହା ନୁହେଁ। ଦଳର ହଜାର ହଜାର କାର୍ଯ୍ୟକର୍ତ୍ତା ବି ଏକପ୍ରକାର ଛେଉଣ୍ଡ ହୋଇଯାଇଛନ୍ତି। କ‌ାହା ନେତୃତ୍ବରେ ଲଢ଼ିବେ ଓ କାହା ପାଇଁ ଭୋଟ ମାଗିବେ ବୋଲି ସେମାନେ ଜାଣିପାରୁନାହାନ୍ତି। ତେଣୁ ବିଜେଡିର ଛାମୁଆ ନେତାଙ୍କୁ ଗାଁ, ଗଣ୍ଡାରେ ଦେଖିବାକୁ ମିଳୁନି। କର୍ମୀ ବି ନିରବ। ତାଳଚେରରେ ବିଧାୟକ ବ୍ରଜକିଶୋର ପ୍ରଧାନ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲା ବେଳେ ଅନୁଗୁଳରେ ଅଧିକ ଦ୍ବନ୍ଦ୍ବ। ଟିକେଟ ମିଳିବ ବୋଲି କୌଣସି ନେତା ଛାତିରେ ହାତ ରଖି କହି ପାରୁନାହାନ୍ତି। ନିତି ନୂଆ ନୂଆ ନାଁ ସାମ୍‌ନାକୁ ଆସୁଛି। ଅନୁଗୁଳରେ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଟିକେଟ ମିଳିବା ନିଶ୍ଚିତ ବୋଲି ତାଙ୍କ ସମର୍ଥକ କହୁଥିଲେ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ଆତ୍ମବିଶ୍ବାସ ରହୁନି। ମଝିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଅନୁଗୁଳରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ଏପଟେ ମହେଶ ଧଳଙ୍କ ନାମକୁ ନେଇ ଜୋର୍‌ରେ ଚର୍ଚ୍ଚା ଚାଲିଛି। ଏପରିକି ତାଙ୍କ ନାମ ଚୂଡ଼ାନ୍ତ ହୋଇଥିବା ତାଙ୍କର ନିକଟତମ ମହଲ ଦାବି କରୁଛନ୍ତି। ସେହିପରି ତାଳଚେରରେ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଦଳ ପୁଣି ଥରେ ଟିକେଟ ଦେବ ନା’ ନୂଆ ମୁହଁ ସାମ୍‌ନାକୁ ଆଣିବ ତା’କୁ ନେଇ କର୍ମୀଙ୍କ ମହଲରେ ଦ୍ବନ୍ଦ୍ବ ରହୁନି। ବ୍ରଜଙ୍କ ଟିକେଟ ଫାଇନାଲ ବୋଲି ତାଙ୍କ ସମର୍ଥକ କହୁଛନ୍ତି। ଏପଟେ ଏଠାରେ ମହେଶ ସାହୁଙ୍କୁ ଦଳ ଟିକେଟ ଦେବ ବୋଲି ତାଙ୍କ ସମର୍ଥକଙ୍କ ମତ। ଏହା ଭିତରେ ସାଧାରଣ କର୍ମୀ ଓ ସମର୍ଥକ ହରଡ଼ଘଣାରେ ପଡ଼ି ନିରବରେ ବସିଛନ୍ତି। ତେବେ ଆଠମଲ୍ଲିକ, ପାଳଲହଡ଼ା ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ର‌ରେ ବିଜେଡିର ପ୍ରଚାର ଜୋର୍‌ସାର୍‌ରେ ଚାଲିଛି। ଦଳ ସଭା, ଶୋଭାଯାତ୍ରା, ପଦଯାତ୍ରା ମାଧ୍ୟମରେ ଲୋକଙ୍କ ମନ କିଣିବାକୁ ପ୍ରୟାସ ଆରମ୍ଭ କରିଛି।

ଅନୁଗୁଳ ଓ ତାଳଚେରେ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ଠପ୍‌ ହୋଇଯାଇଥିଲା ବେଳେ ୫ଟି ଯାକ ବିଧାନସଭା କ୍ଷେତ୍ରରେ କଂଗ୍ରେସ ଏମିତି ତ୍ରିଶଙ୍କୁ ଅବସ୍ଥାରେ ରହିଛି। କୌଣସି ଗୋଟିଏ ହେଲେ ବି ଆସନରେ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିନି। ତେଣୁ ନେତାମାନେ ଏବେ ଗାଁ ମୁହାଁ ନ ହୋଇ ରାଜଧାନୀ ଆଡ଼େ ଅଧିକ ଯାଉଛନ୍ତି। ଟିକେଟ ଲବିରେ ନେତାଙ୍କ ଦିନ ଯାଉଥିଲାବେଳେ ସଂଗଠନ ମୁକୁଳା ପଡ଼ିଛି। ଏପଟେ ବିଜେପି ୫ଟି ଯାକ ବିଧାନସଭା ସମେତ ଲୋକସଭା ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର୍‌ କରିଛି। ସବୁ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ ଚାଲିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button