ରାଜନୀତି

ସୁନ୍ଦରଗଡ଼ ଲୋକସଭା: ପୁଣି ଦିଲୀପ-ଜୁଏଲ୍‌ ମହାଲଢ଼େଇ – Kalinga News

[ad_1]

କଂଗ୍ରେସ ପ୍ରାର୍ଥୀ ନେଇପାରନ୍ତି ନିର୍ଣାୟକ ଭୂମିକା

ସୁନ୍ଦରଗଡ଼: ୧୦ ବର୍ଷ ପରେ ପୁଣିଥରେ ସୁନ୍ଦରଗଡ଼ ଲୋକସଭା ଦେଖିବ ଦିଲୀପ ତିର୍କୀ ଓ ଜୁଏଲ୍‌ ଓରାମଙ୍କ ମହାଲଢ଼େଇ। ଟାଣୁଆ ଆଦିବାସୀ ନେତା, ୫ ପାଳିର ସାଂସଦ ଜୁଏଲ୍‌ଙ୍କୁ ବିଜେପି ବିଧାନସଭା ପ୍ରାର୍ଥୀ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ତାଙ୍କୁ ପୁଣିଥରେ ଲୋକସଭା ପ୍ର‌ାର୍ଥୀ କରିଛି ଦଳ। ଆଉ ତାଙ୍କୁ ଟକ୍କର ଦେବାକୁ ବିଜେଡି ଏକ ଚର୍ଚ୍ଚିତ ଚେହେରା ଭାବେ ହକିଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ମଇଦାନକୁ ଓହ୍ଲାଇଛି। ୨୦୧୪ରେ ଜୁଏଲ୍‌ଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଏହି କିମ୍ବଦନ୍ତୀ ତାରକା। ସେହି ନିର୍ବାଚନରେ ଜୁଏଲ୍‌ ୩ ଲକ୍ଷ ୪୦ ହଜାର ୫୦୮ ଭୋଟ୍‌ ପାଇଥିବାବେଳେ ଦିଲୀପ ୩ ଲକ୍ଷ ୨୧ ହଜାର ୬୭୯ ଭୋଟ୍‌ ପାଇଥିଲେ। ମାତ୍ର ୧୪ ହଜାର ଭୋଟରେ ଜୁଏଲ ବିଜୟୀ ହୋଇଥିଲେ। ବଡ଼କଥା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସତ୍ତ୍ବେ ବିଜେଡି ଏଠାରେ ଖାତା ଖୋଲି ପାରିନାହିଁ। ଦିଲୀପଙ୍କ ବ୍ୟତୀତ ବିଜେଡିର ଅନ୍ୟ କୌଣସି ପ୍ରାର୍ଥୀ ଜୁଏଲ୍‌ଙ୍କୁ ସେଭଳି ଆଖିଦୃଶିଆ ଟକ୍କର ବି ଦେଇପାରିନାହାନ୍ତି। ଏସବୁକୁ ଦୃଷ୍ଟିରେ ରଖି ଏଥର ପୁଣି ଦିଲୀପଙ୍କ ଜରିଆରେ ବିଜେପିର ଏହି ଗଡ଼ ଦଖଲ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି। ଅନ୍ୟପଟେ କଂଗ୍ରେସ ଏଯାଏ ନିଜ ପ୍ରାର୍ଥୀ ‌ଘୋଷଣା କରି ନାହିଁ।

ବିଧାନସଭା ପ୍ରାର୍ଥୀ ଘୋଷଣା ନୋହିଲା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୭ଟି ବିଧାନସଭା ଆସନରୁ କୌଣସି ଗୋଟିଏରେ ବି ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ଏହାପଛରେ ଭିନ୍ନଭିନ୍ନ କାରଣ ଥିବା ଚର୍ଚ୍ଚା ଜୋର୍‌ ଧରିଛି। ସମ୍ଭବତଃ ଯେଉଁ ଆସନରୁ ଦଳୀୟ ପ୍ରାର୍ଥୀ ବିଜୟୀ ହେବାର ସ୍ପଷ୍ଟ ସଂକେତ ରହିଛି ବା ଯେଉଁଠି ପ୍ରାର୍ଥିତ୍ବକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ କେବଳ ସେଠାରେ ହିଁ ନାଁ ଘୋଷଣା କରାଯାଇଛି। ସାମାନ୍ୟ ଦ୍ବନ୍ଦ୍ବ ଥିବା ଆସନରେ ପ୍ରାର୍ଥୀ ତାଲିକାକୁ ପ୍ରଥମ ପର୍ଯ୍ୟାୟରୁ ବାଦ୍‌ ଦିଆଯାଇଥିବା ରାଜନୈତିକ ବିଶେଷଜ୍ଞ କହୁଛନ୍ତି। ଏହାଛଡ଼ା ଅଧିକ ଆଶାୟୀ ଥିବା ଆସନ ଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ବିଚାରକୁ ନିଆଯାଇନି। ଏହି ଆଧାର ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସମସ୍ତ ୭ ଆସନ ପାଇଁ ପ୍ରଯୁଜ୍ୟ।

ରାଉରକେଲା ଆସନରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ ଟିକେଟ ଦୌଡ଼ରେ ଥିବାବେଳେ ରଘୁନାଥପାଲି ଆସନରୁ ସୁବ୍ରତ ତରାଇ ଓ ପ୍ରଶାନ୍ତ ସେଠୀ, ସୁନ୍ଦରଗଡ଼ରେ ଯୋଗେଶ ସିଂହ ଓ କୁନ୍ତୀ ପ୍ରଧାନ, ତଳସରାରେ ଡା. ପ୍ରଫୁଲ୍ଲ ମାଝୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି) ଅଧ୍ୟକ୍ଷ ବିନୟ ଟପ୍ପୋ, ଦେବେନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ଜୟନ୍ତୀ ଏକ୍କା, ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତ୍ରିଆ, ଜିଲ୍ଲା ପରିଷଦ ସଦସ୍ୟ ଅମୀୟ ପ୍ରଧାନ, ରାଜଗାଙ୍ଗପୁରରେ ମଙ୍ଗଳା କିଷାନ ଓ ତାଙ୍କ ଦୁଇପୁଅ ଅନୀଲ ଏବଂ ସୁନୀଲ ବରୁଆ, ପ୍ରିୟଦର୍ଶିନୀ ଭୋଇ, ରାଜଗାଙ୍ଗପୁର ପୌରାଧ୍ୟକ୍ଷା ମାଧୁରୀ ଲୁଗୁନ, ବଣାଇରେ ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଡା. ମହେନ୍ଦ୍ର ସଏ, ଜିଲ୍ଲା ପରିଷଦ ଉପସଭାପତି କମଳ ଲାକ୍ରା ଏବଂ ବୀରମିତ୍ରପୁର ଆସନରେ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁଜୁର, ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଖଲୁ ଏକ୍କା, କୁଆରମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରାଜେଶ ହାଁସଦା, ସେବିଆନ୍ ଆଇନ୍ଦ, ନିହାର ସୋରେନ ପ୍ରମୁଖ ଦଳୀୟ ଟିକେଟ ଦୌଡ଼ରେ ଅଛନ୍ତି। ବୀରମିତ୍ରପୁର ଆସନରୁ ଦୁଇ ସ୍ବାଧୀନ ନେତା ଜର୍ଜ ତିର୍କୀ ଓ ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ବିଜେଡି ଟିକଟ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି। ଏବେଠାରୁ ନାଁ ଘୋଷଣା କଲେ ବାଦ୍‌ ପଡ଼ିଥିବା ଆଶାୟୀଙ୍କର ବିଦ୍ରୋହ ଆଶଙ୍କା ରହିଛି। ଏହି ଆଶଙ୍କାକୁ ଏଡ଼ାଇବାକୁ ଏବେଠାରୁ ଜିଲ୍ଲାର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ ବୋଲି ଗୋଟିଏ ମହଲ ମତ ରଖୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button