ରାଜନୀତି

ସମ୍ବଲପୁର ବିଧାନସଭା ଆସନ: ପ୍ରାର୍ଥୀ ଚୟନ ନେଇ ଅଙ୍କକଷା – Kalinga News

[ad_1]

ରତ୍ନାକର ଭୋଇ
ସମ୍ବଲପୁର: ମର୍ଯ୍ୟାଦାଜନକ ସମ୍ବଲପୁର ବିଧାନସଭା ଆସନରେ ଗୋଷ୍ଠୀବିବାଦ ବିଜେଡିକୁ ଅଡ଼ୁଆରେ ପକାଉଛି। ଅନ୍ୟପକ୍ଷରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଲମ୍ବା ଅନୁପସ୍ଥିତି ବିଜେପି ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। କେଉଁ ଦଳରୁ କିଏ କିଏ ପ୍ରାର୍ଥୀ ହେଉଛନ୍ତି, ତା’ ଉପରେ ବହୁତ କିଛି ନିର୍ଭର କରିବ। ରୋହିତ ପୂଜାରୀ ସମ୍ବଲପୁରମୁହାଁ ହେବା ପରେ ବିଜେଡି ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିଯାଇଛି। ସମ୍ବଲପୁର ବିଧାନସଭା କ୍ଷେତ୍ର ଏକଦା କଂଗ୍ରେସର ଗଡ଼ ଥିଲା। ୧୯୫୧ ମସିହାରୁ ଏପର୍ଯ୍ୟନ୍ତ କଂଗ୍ରେସ ସର୍ବାଧିକ ୭ ଥର ଜିତିଛି। ପ୍ରଥମ ୨ଟି ନିର୍ବାଚନ ଗଣତନ୍ତ୍ର ପରିଷଦ ଜିତିଥିବା ବେଳେ ସ୍ବତନ୍ତ୍ର ପାର୍ଟି, ଜନତା ପାର୍ଟି ଓ ବିଜେଡିକୁ ମାତ୍ର ଥରେ ଲେଖାଏଁ ସୁଯୋଗ ମିଳିଛି। ତେବେ, ସବୁଠାରୁ ଲମ୍ବା ସମୟ ଏହି ଆସନର ପ୍ରତିନିଧିତ୍ବ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ ୨୦୦୦ରୁ କ୍ରମାଗତ ୩ ଥର ଜିତି ଏଠାକାର ସବୁ ପୂର୍ବ ରେକର୍ଡ ଭାଙ୍ଗିଛନ୍ତି। ୨୦୧୯ରେ ବିଜେଡିର ରାସେଶ୍ବରୀ ପାଣିଗ୍ରାହୀଙ୍କୁ ୪୩୮୦ ଭୋଟରେ ହରାଇ ତାଙ୍କ ୨୦୧୪ ନିର୍ବାଚନ ପରାଜୟର ମଧୁର ପ୍ରତିଶୋଧ ନେଇଥିଲେ।

ବିରୋଧୀ ଦଳର ନେତା ଭାବେ ସେ ନିଜ ଚିରାଚରିତ ବାକ୍ୟବାଣରେ ରାଜ୍ୟ ସରକାରଙ୍କ ଉପରେ ଘନଘନ ଆକ୍ରମଣ କରୁଛନ୍ତି। ନିଜର ସ୍ପଷ୍ଟବାଦିତା ଯୋଗୁଁ ଅନେକ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ସେ ଅଡ଼ୁଆରେ ମଧ୍ୟ ପକାଇ ଦେଉଛନ୍ତି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସମ୍ବଲପୁରଠାରୁ ତାଙ୍କୁ ଅଧିକାଂଶ ସମୟ ଦୂରରେ ରହିବାକୁ ପଡୁଛି। ଜୟ ନାରାୟଣଙ୍କ ଭଳି ସାଂସଦ ନୀତେଶ ଗଂଗଦେବ ମଧ୍ୟ ଅନୁପସ୍ଥିତ ଅଛନ୍ତି। ଦୁଇ ଜନପ୍ରତିନିଧିଙ୍କ ଅନୁପସ୍ଥିତିର ପ୍ରଭାବ ବିଜେପି ପାଇଁ ମହଂଗା ସାବ୍ୟସ୍ତ ହୋଇପାରେ। ତଥାପି, ସ୍ବାସ୍ଥ୍ୟ ବାଧକ ନହେଲେ ଜୟନାରାୟଣ ମିଶ୍ର ବିଜେପି ଟିକେଟରେ ପୁଣି ଲଢ଼ି‌‌ବା ନିଶ୍ଚିତ। ବର୍ତ୍ତମାନ କିନ୍ତୁ ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସର୍ଭେ କରାଯାଉଥିବା ବେଳେ ବିଜେପି ପାଇଁ ତାଙ୍କ ବିକଳ୍ପ କିଏ ହୋଇପାରନ୍ତି ବୋଲି ପଚରାଯାଉଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ଅନ୍ୟ କୌଣସି ନେତାଙ୍କୁ ଟିକେଟ ଦିଆଗଲେ ସମ୍ବଲପୁର ରାଜନୀତିରେ ଓସ୍ତାଦ ଜୟନାରାୟଣଙ୍କ ଦ୍ବାରା ଦଳ କେତେ ପ୍ରଭାବିତ ହୋଇପାରେ, ତାହାକୁ ନେଇ ବି ତଥ୍ୟ ସଂଗ୍ରହ କରାଯାଉଛି। ଗିରୀଶ ପଟେଲ, ଡାକ୍ତର ପୁରୁଷୋତ୍ତମ ଅଗ୍ରୱାଲ, ଅନିଲ ବେହେରା, ସୀମାଞ୍ଚଳ ଖଟାଇ, ଦାମୋଦର କର, ଇଂ. ସୁଧୀର ବହିଦାର ପ୍ରମୁଖ ନେତାଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି।

ବିଜେଡି ଗୋଟିଏ ପଟେ ଗୋଷ୍ଠୀକନ୍ଦଳରେ ଛନ୍ଦି ହୋଇଯାଇଛି। ଦଳର ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼ିଛି। ସମ୍ବଲପୁରରେ ବାଧାପ୍ରାପ୍ତ ବିକାଶ ଶାସକ ଦଳ ପାଇଁ ଅନ୍ୟ ଏକ ସମସ୍ୟା ସୃଷ୍ଟି କରୁଛି। ହାଇକୋର୍ଟ ବେଞ୍ଚ ପ୍ରସଂଗ ଏବଂ ହନୁମାନ ଜୟନ୍ତୀ ସମୟରେ ସୃଷ୍ଟି ହୋଇଥିବା ହିଂସା ମଧ୍ୟ ବିଜେଡି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ବିରୋଧରେ ଯାଉଛି। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଟିକେଟ ଦୌଡ଼ରେ ଆଗରେ ଥିଲେ ହେଁ ଏବେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ବି ସମ୍ବଲପୁର ଆସନ ଉପରେ ଆଖି ପକେଇଲେଣି। ଏ‌ପଟେ ନିଜ ସଂଗଠନକୁ ସୁଦୃଢ଼ କରୁଥିବା ରାଜ୍ୟ ବିଜେଡି ସାଧାରଣ ସଂପାଦକ ଇଂ. ସିଦ୍ଧାର୍ଥ ଦାସଙ୍କ ସମେତ ବିଜେଡି ମୁଖପାତ୍ର ସଂଜୟ ବାବୁ ପ୍ରମୁଖ ଟିକଟ ଦୌଡ଼ରେ ରହିଛନ୍ତି। ତେବେ, ବିଜେଡିରେ ନଥିଲେ ବି ଦୁଇଜଣ ସ୍ବେଚ୍ଛାସେବୀ ମଧ୍ୟ ଟିକେଟ ପାଇଁ ଆଶାୟୀ ଅଛନ୍ତି। ବିଜେପି ଭଳି ବିଜେଡି ମଧ୍ୟ କାହାକୁ ଟିକେଟ ଦେଲେ ଦଳ ଜିତିବାର ସମ୍ଭାବନା ଅଧିକ ରହିବ, ତା ଉପରେ ଅଧିକ ଗୁରୁ୍ତ୍ବ ଦେଉଛି। ଗତକାଲି ବିଜେଡିର ରାଜ୍ୟ ସଂଗଠନ ସଂପାଦକ ପ୍ରଣବପ୍ରକାଶ ଦାସ ସମ୍ବଲପୁରରୁ ଲଢ଼ିବାକୁ ଘୋଷଣା କରିବା ପରେ ପାଣିପାଗ କୁଆଡ଼କୁ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ୍ବର ମିଶ୍ର, ଦୁର୍ଗା ପାଢ଼ୀ, ଦୁଲାଲ ପ୍ରଧାନ, ସୁଧୀର ପଣ୍ଡା ପ୍ରମୁଖ କଂଗ୍ରେସ ଟିକେଟ ଦୌଡ଼ରେ ରହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button