ଅପରାଧ

ଶୈଳଶ୍ରୀବିହାରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା ମାମଲା: ଚାକରାଣୀ ସମେତ ୫ଙ୍କୁ ଆଜୀବନ – Kalinga News

[ad_1]

ଭୁବନେଶ୍ବର: ୨୦୧୫ ମସିହାରେ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରରେ ଘଟିଥିବା ବହୁଚର୍ଚ୍ଚିତ ତଥା ଚାଞ୍ଚଲ୍ୟକର ଡାକ୍ତର ଦମ୍ପତି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଭୁବନେଶ୍ବର ଅତିରିକ୍ତ ସେସନ୍‌ସ କୋର୍ଟ(୨) ବିଚାରପତି ବନ୍ଦନା କର ୫ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଡକାୟତି କରିବାକୁ ଯାଇ ବୃଦ୍ଧ ଡାକ୍ତର ଦମ୍ପତିଙ୍କୁ ବଡ଼ ବୀଭତ୍ସ ଭାବେ ଚାପଡ଼ରେ ହାଣି ହତ୍ୟା କରିଥିବା ଆସାମୀମାନେ ହେଲେ କିଶୋର ଚନ୍ଦ୍ର ବେହେରା ଓରଫ୍ ଟିମ୍ଫା, ମହମ୍ମଦ କମଲ୍‌ ଖାଁ, ଫୁଲଶାରି ବେହେରା ଓରଫ୍‌ ନିନି, ଜବନ ନାୟକ ଓ ସୁଭଦ୍ରା ଜେନା ଓରଫ୍ ଟିକିନା। ଏହି ନିର୍ମମ ହତ୍ୟାକାଣ୍ଡର ଅସଲ ଖଳନାୟକ ଥିଲେ ଡାକ୍ତର ଦମ୍ପତିଙ୍କ ଘରର ଚାକରାଣୀ ଟିକିନା ଓ ତା’ର ସ୍ବାମୀ ଜବନ ନାୟକ। ବିଶ୍ବାସରେ ବିଷ ଦେଇ ଚାକରାଣୀ ଟିକିନା ଓ ତା’ ସ୍ବାମୀ ଜବନ ଅନ୍ୟମାନଙ୍କୁ ହାତ କରି ଡାକ୍ତର ଦମ୍ପତିଙ୍କୁ ହତ୍ୟା କରିଥିଲେ। ଆସାମୀମାନଙ୍କ ଉପରେ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରାଯାଇଛି ଏବଂ ଜରିମାନା ଅନାଦାୟ ହେଲେ ସେମାନଙ୍କୁ ଅଧିକ ୬ ମାସ ଲେଖାଏଁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।

ସେହି କାଳ ରାତିର କରୁଣ କାହାଣୀ ଥିଲା ଏମିତି। ୨୦୧୫ ନଭେମ୍ବର ୧୫ ତାରିଖ ରାତି। ଶୈଳଶ୍ରୀବିହାର ଭି-୬୦୮ ନମ୍ବର ଘରେ ସନ୍ଧ୍ୟାରୁ ଝଲସୁଥିଲା ଖୁସିର ମାହୋଲ। ଡାକ୍ତର ପ୍ରଫୁଲ୍ଲ ମିଶ୍ର(୭୫) ତାଙ୍କ ସହଧର୍ମିଣୀ ସୁଷମାରାଣୀ ମିଶ୍ର(୬୫)ଙ୍କ ଜନ୍ମଦିନ ପାଳନ କରୁଥିଲେ। ସନ୍ଧ୍ୟାରେ ଆୟୋଜିତ ପାର୍ଟ‌ିରେ ପଡ଼ୋଶୀମାନଙ୍କ ସହ ଅଳ୍ପ କିଛି ସମ୍ପର୍କୀୟମାନେ ଯୋଗଦେଇ ଚାଲିଯାଇଥିଲେ। ପାର୍ଟିରେ ବି ସାମିଲ ଥିଲା ଚାକରାଣୀ ଟିକିନା। କିନ୍ତୁ ବିଳମ୍ବିତ ରାତିରେ ଘଟିଗଲା ଅଘଟଣ। ଟିକିନା ଓ ତା’ ସ୍ବାମୀ ଜବନର ଷଡ଼୍‌ଯନ୍ତ୍ରରେ ସାମିଲ ଥିବା ଆସାମୀମାନେ ପହଞ୍ଚିଥିଲେ ଡାକ୍ତର ଦମ୍ପତିଙ୍କ ଘରେ। ଘରକୁ ପଶିବାର ବାଟଘାଟ ସବୁ ଜଣାଥିଲା। ବୃଦ୍ଧ ଦମ୍ପତିଙ୍କ ହାତଗୋଡ଼ ବାନ୍ଧି ଟଙ୍କା, ସୁନାଚେନ୍‌ ଓ ମୋବାଇଲ୍‌ ଲୁଟି ନେଇଥିଲେ। ମୁଖା ପିନ୍ଧିଥିଲେ ବି ଡକାୟତି କଲା ବେଳେ ଡାକ୍ତର ଦମ୍ପତି ଚାକରାଣୀ ଟିକିନାକୁ ଚିହ୍ନି ପକାଇଥିଲେ। ତେଣୁ ଧରାପଡ଼ିବା ଆଶଙ୍କାରେ ଆସାମୀମାନଙ୍କ ଯୋଜନା ହଠାତ୍ ବଦଳିଯାଇଥିଲା।

ସେମାନେ ଚାପଡ଼ରେ ବଡ଼ ନିର୍ମମଭାବେ ବୃଦ୍ଧ ଦମ୍ପତିଙ୍କୁ ହାଣି ପକାଇଥିଲେ। ସକାଳୁ ଘଟଣା ଜଣାପଡ଼ିଥିଲା। ପୂର୍ବ ଦିନ ସନ୍ଧ୍ୟାରେ ଯେଉଁ ଘରୁ ହସଖୁସିର ମାହୋଲ ଭାସିଆସୁଥିଲା, ପରଦିନ ସକାଳୁ ସେହି ଘରୁ ଝରି ଆସୁଥିଲା ରକ୍ତର ଝର। ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଲୋଟିପଡ଼ିଥିଲା ଘରର ଚଟାଣ ଉପରେ। ସ୍ତବ୍ଧ ପାଲଟିଯାଇଥିଲା ଶୈଳଶ୍ରୀବିହାର। ଚାଞ୍ଚଲ୍ୟ ଖେଳିଯାଇଥିଲା ସମଗ୍ର ରାଜଧାନୀରେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତତ୍କାଳୀନ ପୁଲିସ କମିସନର ଓ ଡିସିପି ବହୁ ପଦସ୍ଥ ପୁଲିସ ଅଧିକାରୀଙ୍କୁ ଧରି ଘଟଣାସ୍ଥଳକୁ ଛୁଟି ଆସିଥିଲେ। ବରିଷ୍ଠ ନାଗରିକମାନେ ରାଜଧାନୀରେ ଅସୁରକ୍ଷିତ ବୋଲି ପୁଲିସକୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଘଟଣାର ମାସକ ପରେ ଧରାପଡ଼ିଥିଲେ ଆସାମୀମାନେ। ସେମାନଙ୍କ ନିକଟରୁ ଲୁଟ୍‌ ସାମଗ୍ରୀ ଓ ହତ୍ୟାରେ ବ୍ୟୃବହୃତ ଚାପଡ଼ ଜବତ ହୋଇଥିଲା। ଫିଙ୍ଗର ପ୍ରିଣ୍ଟ ମେଳ ଖାଇଥିଲା। ୨୩ ଜଣ ସାକ୍ଷୀ ଓ ପୁଲିସର ଦସ୍ତାବିଜକୁ ଆଧାର କରି ବିଚାରପତି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପବ୍ଲିକ୍‌ ପ୍ରସିକ୍ୟୁଟର୍‌ ଅଜିତ କୁମାର ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button