ରାଜନୀତି

ପୁରୁଣା ବେଶି, ନୂଆ କମ୍‌: ଘୋଷଣା ହେଲା ୭୨ ବିଧାନସଭା, ୧୫ ଲୋକସଭା ଆସନର ପ୍ରାର୍ଥୀ ତାଲିକା – Kalinga News

[ad_1]

ଭୁବନେଶ୍ବର: ବିଜେଡିର ୪ ଜଣ ବିଧାୟକଙ୍କୁ ବାଦ୍ ଦେଇ ଅନ୍ୟମାନେ ଟିକେଟ୍‌ ପାଇଛନ୍ତି। ବହୁତ କମ୍ ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିଛି। କିଛି ବିଜେଡି ନେତାଙ୍କ ପୁଅ, ଝିଅ, ପତ୍ନୀଙ୍କୁ ଟିକେଟ୍‌ ମିଳିଛି। ୧୫ ଲୋକସଭା ଆସନରୁ ୪ଟିରେ ପ୍ରାର୍ଥୀ ଅପରିବର୍ତ୍ତିତ ଅଛନ୍ତି। ତେବେ ପ୍ରାର୍ଥିତ୍ବକୁ ନେଇ ବିବାଦରେ ଥିବା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନି। ଆଜି ବିଜେଡି ଘୋଷଣା କରିଥିବା ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୋଟାମୋଟି ଏମିତି ଚିତ୍ର ଦେଖିବାକୁ ମିଳିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇଟି ପର୍ଯ୍ୟାୟରେ ଭିଡିଓ ବାର୍ତ୍ତା ଜାରି କରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ୭୨ ବିଧାନସଭା ଓ ୧୫ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାମ ଏଥିରେ ଅଛି। ଶ୍ରୀ ପଟ୍ଟନାୟକ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବା ସହ ରାଜ୍ୟବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି। ତିନି ପ୍ରମୁଖ ଦଳ ମଧ୍ୟରେ ବିଜେଡି ପ୍ରଥମ ଦଳ ଭାବେ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ କରିଛି ବିଜେଡି। ସେଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ମୁକାବିଲା ହେବ। ବିଜେଡିରେ ପ୍ରଣବ ଜଣେ ପ୍ରଭାବଶାଳୀ ନେତା ହୋଇଥିବାରୁ ଏହି ଆସନରେ ଜୋର୍‌ଦାର ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ବାଙ୍ଗିରୀପୋଷି ବିଧାୟକ ତଥା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଏଥର ମୟୂରଭଞ୍ଜ ଲୋକସଭା ଆସନରେ ପ୍ରାର୍ଥୀ କରାଯାଇଛି। ତିନି ଜଣ ସାଂସଦଙ୍କ ଉପରେ ବିଜେଡି ପୁଣି ଆସ୍ଥା ସ୍ଥାପନ କରିଛି। ସେମାନେ ହେଲେ ଅଚ୍ୟୁତ ସାମନ୍ତ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ ଓ ଯାଜପୁରରୁ ଶର୍ମିଷ୍ଠା ସେଠୀ। ଦୁଇ ଜଣ ସାଂସଦଙ୍କ ଟିକେଟ୍‌ କଟିଛି। ସେମାନେ ହେଲେ ପୁରୀର ପିନାକୀ ମିଶ୍ର ଓ ଢେଙ୍କାନାଳର ମହେଶ ସାହୁ। ଏମାନଙ୍କ ମଧ୍ୟରୁ ପିନାକୀ ଏଥର ଲଢ଼ିବାକୁ ଅନିଚ୍ଛୁକ ଥିଲେ। ଗତ ଥର କୋରାପୁଟରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା କୌଶଲ୍ୟା ହିକ୍କାଙ୍କୁ ଦଳ ପୁଣି ଥରେ ସେହିଠାରେ ପ୍ରାର୍ଥୀ କରିଛି। ୧୧ ଲୋକସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ଗତ ଥର ଭୁବନେଶ୍ବରରୁ ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକଙ୍କୁ ଏଥର ପୁରୀ ଲୋକସଭା ଆସନରେ ପ୍ରାର୍ଥୀ କରାଯାଇଛି।

ଘୋଷଣା ହେଲା ୭୨ ବିଧାନସଭା,
୧୫ ଲୋକସଭା ଆସନର ପ୍ରାର୍ଥୀ ତାଲିକା
୪ ବିଧାୟକ, ୨ ସାଂସଦଙ୍କ ଟିକେଟ୍‌ କଟିଲା
୫ ପ୍ରାର୍ଥୀଙ୍କ ଆସନ ବଦଳିଲା
ହିଞ୍ଜିଳିରୁ ଲଢ଼ିବେ ନବୀନ, ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବେ ବବି
ପୁରୀରୁ ଅରୂପ, କଟକରୁ ସଂତୃପ୍ତ ଲୋକସଭା ଲଢ଼ିବେ

ବିଧାନସଭା ଆସନରେ ପ୍ରାର୍ଥୀ ଚୟନ ବି ସମସ୍ତଙ୍କୁ ଚକିତ କରିଛି। ବିଜେଡି ବହୁ ପ୍ରାର୍ଥୀଙ୍କ ଟିକେଟ୍‌ କାଟିଦେବ ବୋଲି ଯାହା ପ୍ରାକ୍ ଆକଳନ କରାଯାଉଥିଲା, ସେମିତି ହୋଇନାହିଁ। ବରିଷ୍ଠ ବିଧାୟକମାନେ ନିଜ ନିଜ ଟିକେଟ୍‌ ବଜାୟ ରଖିଛନ୍ତି। ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ବିକ୍ରମ କେଶରୀ ଆରୁଖ, ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ରାଜେନ୍ଦ୍ର ଢୋଲକିଆ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଅଶ୍ବିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ ଓ ରୀତା ସାହୁ ପୁନର୍ବାର ନିଜ ନିଜ ଆସନରେ ଟିକେଟ୍‌ ପାଇଛନ୍ତି। ମନ୍ତ୍ରୀ ଉଷା ଦେବୀଙ୍କ ବଦଳରେ ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଚିକିଟିରୁ ଟିକେଟ୍‌ ପାଇଛନ୍ତି। ତିନି ମନ୍ତ୍ରୀଙ୍କ ଆସନରେ ଟିକେଟ୍‌ ଘୋଷଣା ହୋଇନାହିଁ। ସେମାନେ ହେଲେ ଅଶୋକ ଚନ୍ଦ୍ର ପଣ୍ଡା, ବାସନ୍ତୀ ହେମ୍ବ୍ରମ୍ ଓ ତୁଷାରକାନ୍ତି ବେହେରା। ଟିକେଟ୍‌ କଟିଥିବା ଚାରି ବିଧାୟକ ହେଲେ ପାଟକୁରାର ସାବିତ୍ରୀ ଅଗ୍ରୱାଲ, ବସ୍ତାର ନିତ୍ୟାନନ୍ଦ ସାହୁ, ଝରିଗାଁର ପ୍ରକାଶ ମାଝୀ ଓ ଧର୍ମଗଡ଼ର ମୌଷଧୀ ବାଗ୍। ଏହି ଚାରିଟି ଆସନରେ ଯଥାକ୍ରମେ ଅରବିନ୍ଦ ମହାପାତ୍ର, ସୁଭାସିନୀ ଜେନା, ରମେଶ ମାଝୀ ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ବାଦ୍ ଆଉ ତିନିଟି ଆସନରେ ବିଧାୟକଙ୍କ ଟିକେଟ୍‌ କଟିଥିଲେ ବି ସେମାନଙ୍କ ପରିବାର ସଦସ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେମାନେ ହେଲେ ଚିକିଟି ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ।

ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବୀ ମିଶ୍ର, ଅରୁଣ ସାହୁ, ନୃସିଂହ ସାହୁ, ବଦ୍ରି ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ ନିଜ ନିଜ ଆସନରେ ଟିକେଟ୍‌ ବଜାୟ ରଖିଛନ୍ତି। ପାଞ୍ଚ ଜଣ ବିଧାୟକଙ୍କ ଆସନ ବଦଳିଯାଇଛି। ପୁରୀ ଜିଲ୍ଲାରେ ସଞ୍ଜୟ ଦାସବର୍ମା ଏଥର ବ୍ରହ୍ମଗିରି ବଦଳରେ ସତ୍ୟବାଦୀରୁ ଲଢ଼ିବେ। ସେହିପରି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ବ୍ରହ୍ମଗିରିରୁ ପ୍ରାର୍ଥୀ ହେବେ। ଭଦ୍ରକ ଜିଲ୍ଲାରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଭଦ୍ରକ ବିଧାନସଭା ଆସନରୁ ଲଢ଼ିବେ। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଭଣ୍ଡାରୀପୋଖରୀରୁ ଲଢ଼ିବେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ଲଢ଼ାଇବ ବିଜେଡି। ତେବେ ବ୍ରହ୍ମପୁରରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। କିଛି ଦିନ ଆଗରୁ ବିଜେଡିରେ ମିଶିଥିବା ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ଓ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି। ଅଂଶୁମାନଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଓ ଅରବିନ୍ଦଙ୍କୁ ପାଟକୁରା ବିଧାନସଭା ଆସନରେ ପ୍ରାର୍ଥୀ କରାଯାଇଛି। ସେହିପରି ଆଜି ବିଜେଡିରେ ମିଶିଥିବା କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ପୂର୍ବତନ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ବେହେରା ଲୋଇସିଂହାରୁ ପ୍ରାର୍ଥୀ ହୋଇଛନ୍ତି। ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ୍‌ ମହାନ୍ତିଙ୍କୁ ପୁରୀ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଦିଗପହଣ୍ଡିରେ ପୂର୍ବତନ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ବିଜେଡି ପ୍ରାର୍ଥୀ ହୋଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button