ଖେଳ ଖବର

ଓଡ଼ିଶା ଏଫ୍‌ସିର ଐତିହାସିକ ସଫଳତା: ପ୍ରଥମ ଥର ଜିତିଲା ଆଇଡବ୍ଲ୍ୟୁଏଲ୍‌ ଟ୍ରଫି – Kalinga News

[ad_1]

ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌ ଲାଗି ଯୋଗ୍ୟତା, ଲିଣ୍ଡା-ପ୍ୟାରୀ ଦେଲେ ୫ ଗୋଲ୍

ଭୁବନେଶ୍ବର: ଓଡ଼ିଶା ମହିଳା ଫୁଟ୍‌ବଲ୍ ଇତିହାସରେ ରବିବାର ନୂଆ ଫର୍ଦ ଯୋଡ଼ି ହୋଇଯାଇଛି। ଭାରତୀୟ ମହିଳା ଫୁଟ୍‌ବଲ୍‌ର ସର୍ବୋଚ୍ଚ ପେସାଦାର ଲିଗ୍‌ ଆଇଡବ୍ଲ୍ୟୁଏଲ୍‌ (ଇଣ୍ଡିଆନ୍ ୱିମେନ୍ସ ଲିଗ୍)ରେ ଓଡ଼ିଶା ଏଫ୍‌ସି ପ୍ରଥମ ଥର ବିଜେତା ହୋଇ ମୁକୁଟ ଅର୍ଜନ କରିଛି। ତା’ ପୁଣି ଆଇକନିକ୍ କଳିଙ୍ଗ ଷ୍ଟାଡିୟମ୍‌ରେ। ରବିବାର ଏଠାରେ ଖେଳାଯାଇଥିବା ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସିକୁ ବିଜେତା ହେବାକୁ ମାତ୍ର ଗୋଟିଏ ପଏଣ୍ଟ୍ ଅର୍ଥାତ୍‌ ଡ୍ର’ ଆବଶ୍ୟକ ଥିଲା। ଭୁବନେଶ୍ବର ଭିତ୍ତିକ ଏହି ଦଳ କିନ୍ତୁ ଶୋଚନୀୟ ଭାବେ ଭ୍ରମଣକାରୀ କର୍ଣ୍ଣାଟକ ଦଳ କିକ୍‌ଷ୍ଟାର୍ଟ ଏଫସିକୁ ୬-୦ରେ ହରାଇ ଦେଇଥିଲା। ଏହି ବିଜୟରେ ଓଡ଼ିଶାର ଅନ୍ତର୍ଜାତୀୟ ତାରକା ପ୍ୟାରୀ ଖା ଖା ଓ ମଣିପୁରୀ ଝିଅ ଲିଣ୍ଡା କମ୍‌ଙ୍କ ଅବଦାନ ସବୁଠାରୁ ଉଲ୍ଲେଖନୀୟ ଥିଲା। ଉଭୟ ମିଳିତ ଭାବେ ୫ ଗୋଲ୍ ଦେଇଥିବା ବେଳେ ଲିଣ୍ଡା ହ୍ୟାଟ୍ରିକ୍ (୧୧, ୬୬, ୭୭ ମିନିଟ) ଅର୍ଜନ କରିଥିଲେ। ପ୍ୟାରୀ (୧୩, ୨୨ ମିନିଟ୍) ଦୁଇଟି ଗୋଲ୍ ଦେଇଥି‌‌ଲେ ଏବଂ ଅନ୍ୟ ଗୋଲ୍‌ଗୁଡ଼ିକରେ ସହଯୋଗ କରିଥିଲେ। ୧୨ ମ୍ୟାଚ୍‌ରୁ ଓଡ଼ିଶା ଏଫ୍‌ସି ୩୧ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ୩ ଥର ବିଜେତା ଗୋକୁଳମ କେରଳ ଏଫ୍‌ସି ୨୯ ପଏଣ୍ଟ୍‌ ସହ ଉପବିଜେତାରେ ସନ୍ତୁଷ୍ଟ ହୋଇଛି। ଗୋକୁଳମ୍‌ ରବିବାର ଅନ୍ୟ ଏକ ମ୍ୟାଚ୍‌ରେ ଇଷ୍ଟବେଙ୍ଗଲ୍‌ ଏଫସିକୁ ପରାସ୍ତ କରିଥିଲେ ବି କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଏହି ଦଳ ପାଇଁ କାଳ ହୋଇଥିଲା। ସୂଚନାଯୋଗ୍ୟ, ଆଇଡବଲ୍ୟୁଏଲ୍‌ର ୭ ସଂସ୍କରଣ ଇତିହାସରେ ଏହା ଓଡ଼ିଶାକୁ ଦ୍ବିତୀୟ ଟ୍ରଫି। ଏହି ଲିଗ୍‌ ଅଧିକ ପେସାଦାର ହେବା ପୂର୍ବରୁ ୨୦୧୮ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ବିଜେତା ହୋଇଥିଲା। ଘରୋଇ ଦଳର ଆତ୍ମବିଶ୍ବାସ ଏତେ ଉଚ୍ଚରେ ଥିଲା ଯେ କଳିଙ୍ଗ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆରମ୍ଭରୁ ଓଡ଼‌ିଶା ଏଫ୍‌ସି ଖେଳାଳି ପ୍ରାଧାନ୍ୟ ବିସ୍ତାର କରିଥିଲେ। ମାତ୍ର ୧୧ ମିନିଟ୍ ଭିତରେ ୩ ଗୋଲ୍ ଦେଇ ପ୍ରଥମରୁ କିକ୍‌ଷ୍ଟାର୍ଟ ଏଫ୍‌ସିକୁ ଚାପରେ ରଖିଥିଲା। ମନୀଷା ପାନ୍ନାଙ୍କ ପାସ୍‌ରୁ ମ୍ୟାଆଁମାର୍ ଖେଳାଳି ୱିନ୍‌ ଥେଙ୍ଗି ଟୁନ୍‌ ବଲ୍‌କୁ ପଠାଇଦେବା ପରେ ଲିଣ୍ଡା କମ୍ ଏହାକୁ ସ୍କୋର୍‌ କରି ‌ଗୋଲ୍‌ ଖାତା ଖୋଲି ଦେଇଥିଲେ। ୨ ମିନିଟ୍ ପରେ ବାମପାର୍ଶ୍ବରୁ ଲିଣ୍ଡାଙ୍କ ଚମତ୍କାର କ୍ରସ୍‌ ବକ୍ସ ଭିତରୁ ବାହାରି ଯାଉଥିବା ବେଳେ ପ୍ୟାରୀ ଖା ଖା ଏହାକୁ ଗୋଲ୍‌ ମୁହାଁ କରି ଦେଇଥିଲେ। ୨୨ତମ ମିନିଟ୍‌ରେ କିନ୍ତୁ ମ୍ୟାଚ୍‌ର ସବୁଠାରୁ ସୁନ୍ଦରତମ ଗୋଲ୍ ଦେଖିବାକୁ ମିଳିଥିଲା। ପ୍ୟାରୀ ଗୋଲ୍‌ପୋଷ୍ଟର ପ୍ରାୟ ୨୫ ମିଟର୍ ଦୂରରୁ ମାରିଥିବା ସଟ୍‌ ସିଧା କିକ୍‌ଷ୍ଟାର୍ଟ ଗୋଲିକୁ ପରାସ୍ତ କରିଦେଇଥିଲା। ଏଥି ସହିତ ପ୍ରଥମାର୍ଦ୍ଧକୁ ଓଡ଼ିଶା ଏଫ୍‌ସି ୩-୦ରେ ଶେଷ କରିଥିଲା।

ପ୍ରଥମ ଥର ଜିତିଲା ଆଇଡବ୍ଲ୍ୟୁଏଲ୍‌ ଟ୍ରଫି
ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌ ଲାଗି ଯୋଗ୍ୟତା
ଲିଣ୍ଡା-ପ୍ୟାରୀ ଦେଲେ ୫ ଗୋଲ୍
କିକ୍‌ଷ୍ଟାର୍ଟ ଏଫ୍‌ସି ୦-୬ରେ ପରାସ୍ତ

ଦ୍ବିତୀୟାର୍ଦ୍ଧ ଖେଳ ଅପେକ୍ଷାକୃତ ମନ୍ଥର ଥିଲେ ମଧ୍ୟ ଓଡ଼ିଶା ଏଫ୍‌ସି ଖେଳାଳି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପରିହାର କରି ନଥିଲେ। ୫୮ତମ ମିନିଟରେ କାର୍ତ୍ତିକା ଅଙ୍ଗମୁଥୁଙ୍କ ଚମତ୍କାର ‌ଗୋଲ୍ ମଧ୍ୟ ଦର୍ଶନୀୟ ଥିଲା। ୬୬ତମ ମିନିଟ୍‌ରେ ପୁଣି ଥରେ ଲିଣ୍ଡା-ପ୍ୟାରୀଙ୍କ ଯୋଡ଼ି କମାଲରୁ ମିଳିଥିଲା ପଞ୍ଚମ ଗୋଲ୍‌। ବାମପାର୍ଶ୍ବରୁ ପ୍ୟାରୀ ପଠାଇଥିବା ତଳୁଆ ବଲ୍‌କୁ ଲିଣ୍ଡା ଗୋଲ୍‌ରେ ପରିଣତ କରିଥିଲେ। ୭୭ତମ ମିନିଟ୍‌ରେ ଆଉ ଏକ ଗୋଲ୍ ଦେଇ ଏହି ମଣିପୁରୀ ଝିଅ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏକତରଫା ବିଜୟ ନିଶ୍ଚିତ ହେବା ପରେ ଓଡ଼ିଶା ଏଫ୍‌ସି ରିଜର୍ଭ ଗୋଲି ମୋନାଲିତା ଦେବୀଙ୍କ ସହ ଇନଜ୍ୟୁରି ଟାଇମ୍‌ରେ ବନ୍ୟା କବିରାଜ ଓ ପ୍ରଜ୍ଞା କିଶାନଙ୍କୁ ଅତିରିକ୍ତ ଖେଳାଳି ଭାବେ ଖେଳାଇଥିଲା। ଶେଷ ହ୍ବିସିଲ୍ ବାଜିବା ମାତ୍ରେ କଳିଙ୍ଗ ଷ୍ଟାଡିୟମ୍‌ ଉତ୍ସବ ମୁଖର ହୋଇଉଠିଥିଲା। ଲିଣ୍ଡା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ, ଫାଓ ଯୁଗ୍ମ ସମ୍ପାଦକ ତଥା ଏଆଇଏଫ୍‌ଏଫ୍‌ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଅଭିଜିତ ପାଲ୍ ଅଧିନାୟିକା ଇନ୍ଦୁମତି କର୍ତ୍ତିରେସନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ବିଗତ ୩ ବର୍ଷ ପରିଶ୍ରମର ଫଳ ପାଇଲୁ ବୋଲି ମ୍ୟାଚ୍‌ ପରେ ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଥିଲେ ଓଡ଼ିଶା ଏଫ୍‌ସି ପ୍ରଶିକ୍ଷକ କ୍ରିସପିନ୍ ଛେତ୍ରୀ ପ୍ରକାଶ କରିଛନ୍ତି। ମାଳତି ମୁଣ୍ଡାଙ୍କ ଭବିଷ୍ୟତ ଉଜ୍ବଳ, ସେ ଦିନେ ଭାରତୀୟ ଦଳରୁ ଖେଳିପାରିବେ ବୋଲି ଏହି ଅବସରରେ ଆଶା ପ୍ରକଟ କରିଥିଲେ ୪୯ ବର୍ଷୀୟ ଏହି ବେଙ୍ଗଲ ପ୍ରଶିକ୍ଷକ। ସହକାରୀ ପ୍ରଶିକ୍ଷକ ଗାୟତ୍ରୀ ମଲ୍ଲିକ ମଧ୍ୟ ପ୍ରତି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ନାଚିଲେ, ହୋଲି ଖେଳିଲେ
କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ଫୁଟ୍‌ବଲ୍‌ର ଏହି ସ୍ମରଣୀୟ ମୁହୂର୍ତ୍ତକୁ ଉପ‌ଭୋଗ କରିବାକୁ ପ୍ରଶଂସକ ଖୁବ କମ୍ ଥିଲେ। କେବଳ ଜଗରନଟ୍ସ ଗ୍ରୁପ୍‌ ଏହି ଭୁବନେଶ୍ବର ଭିତ୍ତିକ ଦଳକୁ ଉତ୍ସାହିତ କରୁଥିଲେ। ପ୍ୟାରୀ… ପ୍ୟାରୀ.. ସ୍ଲୋଗାନରେ କମ୍ପୁଥିଲା ଷ୍ଟାଡିୟମ୍‌। ମ୍ୟାଚ୍‌ ପରେ କିନ୍ତୁ ଘରୋଇ ଦଳର ବିଜୟ ଉତ୍ସବ ଥିଲା ସମ୍ପୂର୍ଣ୍ଣ ନିଆରା। ପରସ୍ପରକୁ ଆଲିଙ୍ଗନ କରିବା ସହ ଓଡ଼ିଶା ଏଫ୍‌ସିର ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫ୍ ନାଚି ଉଠିଥିଲେ। ଜଣେ ଖେଳାଳିଙ୍କୁ କାନ୍ଧ ଉପରେ ବସାଇ ଗୋଲି ଶ୍ରେୟା ହୁଦାଙ୍କ ନୃତ୍ୟ କରିବା ସମସ୍ତଙ୍କୁ ଆକର୍ଷିତ କରିଥିଲା। ଶେଷକୁ ହର୍ବାଲ ହୋଲି ଖେଳି ମଜା ଉଠାଇଥିଲେ। ଓଡ଼ିଶା ଫୁଟ୍‌ବଲ୍‌ର ଦୁଇ ପରିଚିତ ଚେହେରା ଭାରତୀୟ ଦଳ ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଫୁଟ୍‌ବଲ୍ ଓଏସ୍‌ଡି ଶୁଭେନ୍ଦୁ ପଣ୍ଡା ମଧ୍ୟ ଉପସ୍ଥିତ ରହି ବିଜୟ ଉତ୍ସବରେ ସାମିଲ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button