ରାଜନୀତି

ଚିହ୍ନ ଚରିତ – Kalinga News

[ad_1]

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚାଲିଲାଣି ସଭାସମିତି ଓ ପ୍ରଚାର। ଏବେ କାନ୍ଥବାଡ଼ରେ ଲାଗିବ ପୋଷ୍ଟର। ଅମୁକ ଚିହ୍ନରେ ଭୋଟ୍‌ ଦେଇ ସମୁକ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାନ୍ତୁ ଧ୍ବନିରେ କମ୍ପିବ ଗଳିକନ୍ଦି।
ମତଦାନ ପ୍ରକ୍ରିୟାରେ ଦଳ ଓ ପ୍ରାର୍ଥୀ ଯେତିକି ଗୁରୁତ୍ବ ବହନ କରନ୍ତି ତା’ଠାରୁ ଅାହୁରି ଗୁରୁତ୍ବପୂର୍ଣ୍ଣ-ନିର୍ବାଚନ ଚିହ୍ନ। କାରଣ ଭୋଟଦାନ ସମୟରେ ଇଭିଏମ୍ ବଟନ୍‌ରେ ଚିହ୍ନ ହିଁ ସ୍ପଷ୍ଟ ଦିଶୁଥାଏ। ଏଥର ତିନି ପ୍ରମୁଖ
ରାଜନୈତିକ ଦଳର ନିର୍ବାଚନୀ ଚିହ୍ନକୁ ନେଇ ବିଶେଷ ଉପସ୍ଥାପନା।

ଭୋଟରଙ୍କ ସୁବିଧା ନିମନ୍ତେ ରାଜନୈତିକ ଦଳଗୁଡ଼ିକ ଲାଗି ନିର୍ବାଚନୀ ସଙ୍କେତ ବା ଚିହ୍ନର ବ୍ୟବସ୍ଥା କରାଯାଇଛି। ପଢୁଆ, ଅଳ୍ପପଢୁଆ ଓ ଅଣପଢୁଆ ଆଦି ସବୁ ଶ୍ରେଣୀର ଭୋଟରଙ୍କ ସହିତ ଦଳ ଓ ପ୍ରାର୍ଥୀଙ୍କୁ ପରିଚିତ କରାଇବା ପାଇଁ ପ୍ରଥମ ସାଧାରଣ ନିର୍ବାଚନଠାରୁ ନିର୍ବାଚନୀ ଚିହ୍ନର ପ୍ରଚଳନ କରାଯାଇଥିଲା। କାରଣ, ମତଦାନ କେନ୍ଦ୍ର ବା ବୁଥ୍‌ରେ ଭୋଟଦାତା ପ୍ରାର୍ଥୀଙ୍କର ଚେହେରା ଦେଖିପାରନ୍ତି ନାହିଁ, ଖାଲି ଦଳୀୟ ଚିହ୍ନ ହିଁ ଦେଖନ୍ତି। ଏକା ସେହି ଚିହ୍ନ ହିଁ ପ୍ରାର୍ଥୀ ଓ ସେ କେଉଁ ଦଳରୁ ଠିଆ ହୋଇଛନ୍ତି, ତା’ର ସୂଚନା ଦିଏ। ଭୋଟରମାନେ ଚିହ୍ନ ଦେଖି ସେମାନଙ୍କର ପ୍ରିୟ ଦଳ ଅଥବା ସେ ଦଳର ନେତାଙ୍କୁ ଭୋଟ୍‌ ଦିଅନ୍ତି। ନିର୍ବାଚନୀ ସଙ୍କେତ ହିଁ ଜନସାଧାରଣଙ୍କ ଲାଗି ଦଳର ପରିଚୟ। ଏହି କାରଣରୁ ଚିହ୍ନ ରାଜନୈତିକ ଦଳ ଲାଗି ଯଥେଷ୍ଟ ଗୁରୁତ୍ବ ବହନ କରେ।

ହାତୀ ହେଉ ହେଉ ହାତ !
ଦେଶର ସବୁଠାରୁ ପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସର ନିର୍ବାଚନୀ ଚିହ୍ନ ହେଉଛି ‘ହାତ’। ଆଉ ଆମେ ଯଦି କଂଗ୍ରେସର ଚିହ୍ନର ଇତିହାସକୁ ପରଖିବା ତେବେ ପ୍ରଚଳିତ ଚିହ୍ନଟି ମୂଳତଃ ଦଳର ନ ଥିଲା ବୋଲି ଜାଣି ପାରିବା। ସ୍ବାଧୀନତା ପରେ କଂଗ୍ରେସ ୩ ଥର ଚିହ୍ନ ବଦଳାଇଛି। ପ୍ରଥମେ ୧୯୫୨ରୁ ୧୯୬୯ ପର୍ଯ୍ୟନ୍ତ ଯୋଡ଼ିବଳଦ, ତା’ପରେ ୧୯୭୭ ନିର୍ବାଚନ ଯାଏ ଗାଈବାଛୁରୀ ଏବଂ ଶେଷରେ ୧୯୭୮ରୁ ଏଯାବତ୍‌ ହାତ ଚିହ୍ନ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜ ନେତୃତ୍ବାଧୀନ କଂଗ୍ରେସ (ଇନ୍ଦିରା) ପାଇଁ ହାତ ଚିହ୍ନ ଚୟନ କରିଥିଲେ। କାରଣ ପୂର୍ବ ଚିହ୍ନ ଦୁଇଟିର ବ୍ୟବହାର ଲାଗି ନିର୍ବାଚନ କମିସନ୍‌ ଅନୁମତି ଦେଇ ନ ଥି‌େଲ। ୧୯୭୮ ମସିହାର କଥା। କଂଗ୍ରେସ ଦଳର ୧୫୩ ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୭୬ଜଣଙ୍କ ସମର୍ଥନ ହରାଇବା ପରେ ନୂଆ ରାଜନୈତିକ ଦଳ କଂଗ୍ରେସ (ଆଇ) ବା କଂଗ୍ରେସ (ଇନ୍ଦିରା) ଗଠନ କରିଥିଲେ ଇନ୍ଦିରା ଗାନ୍ଧୀ। କଂଗ୍ରେସ ଦୁଇ ଭାଗ ହେବାରୁ ପୁରୁଣା ଚିହ୍ନ ଗାଈବାଛୁରୀ ଇନ୍ଦିରାଙ୍କୁ ମିଳିଲା ନାହିଁ। କାରଣ, ଉଭୟ ଗୋଷ୍ଠୀ ଏହି ଚିହ୍ନ ଦାବି କରିବାରୁ ନିର୍ବାଚନ କମିସନ୍‌ ଏହାକୁ ‘ଫ୍ରିଜ୍‌’ କରି ଦେ‌େଲ। ଏଥର ଶ୍ରୀମତୀ ଗାନ୍ଧୀ ପୁଣି ଦଳର ପୁରୁଣା ଚିହ୍ନ ଯୋଡ଼ିବଳଦ ପାଇଁ ଆବେଦନ କଲେ। କିନ୍ତୁ, ତାହା ମଧ୍ୟ ନିର୍ବାଚନ କମିସନ୍‌ ଦ୍ବାରା ଅଗ୍ରାହ୍ୟ ହେଲା।

ଏପରି ଅବସ୍ଥାରେ ଇନ୍ଦିରାଙ୍କ ପାଖରେ ନିର୍ବାଚନ କମିସନର ପ୍ରସ୍ତାବିତ ଦୁଇଟି ବିକଳ୍ପ ଥିଲା- ହାତୀ ଓ ହାତ। କେଉଁ ପରିସ୍ଥିତିରେ ସେ ହାତକୁ ଚୟନ କରିଥିଲେ ସେ ପ୍ରସଙ୍ଗରେ ରୋଚକ ଘଟଣାଟିଏ ଜଣାଶୁଣା ରାଜନୈତିକ ବି‌ଶ୍ଳେଷକ ରଶୀଦ୍‌ କିଦ୍‌ୱାଇଙ୍କ ପୁସ୍ତକ ‘ବାଲଟ୍‌- ଟେନ୍‌ ଏପିସୋଡ୍‌ସ୍‌ ଦ୍ୟାଟ୍‌ ହାଭ୍‌ ସେପ୍‌ଡ୍‌ ଇଣ୍ଡିଆଜ୍ ଡେମୋକ୍ରାସି’ରେ ବର୍ଣ୍ଣିତ ହୋଇଛି। ଶ୍ରୀମତୀ ଗାନ୍ଧୀ ଦଳର ବରିଷ୍ଠ ନେତା ପି.ଭି. ନରସିଂହ ରାଓଙ୍କ ସହିତ ରାଜନୈତିକ କାର୍ଯ୍ୟରେ ବିଜୟୱାଡ଼ାରେ ଥାଆନ୍ତି। ଏଣେ ତତ୍କାଳୀନ ଏଆଇସିସି ସାଧାରଣ ସମ୍ପାଦକ ବୁଟା ସିଂହ ନୂଆ ଚିହ୍ନ ପାଇଁ ନିର୍ବାଚନ କମିସନ୍‌ଙ୍କ ନିକଟକୁ ଯାଇଥାଆନ୍ତି। ନିର୍ବାଚନ କମିସନ୍‌ ହାତୀ, ବାଇସାଇକେଲ୍‌ ଓ ଖୋଲା ହାତ ଭିତରୁ କୌଣସି ଗୋଟିକୁ ଦଳର ଚିହ୍ନ ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦିଅନ୍ତି। ସେଠାରୁ ବୁଟା ସିଂହ ଇନ୍ଦିରା ଗାନ୍ଧୀଙ୍କୁ ଫୋନ୍‌ କରନ୍ତି। ସିଂହଙ୍କ ଉଚ୍ଚାରଣଗତ ସମସ୍ୟା ହେତୁ ‘ହାତ’ ବଦଳରେ ଇନ୍ଦିରାଙ୍କୁ ଶୁଭେ ‘ହାତୀ’। ‘ହାତୀ’କୁ ସେ ଚିହ୍ନ ଭାବେ ଗ୍ରହଣ କରିବାକୁ ମନା କରିଦିଅନ୍ତି। କିନ୍ତୁ, ‘ହାତୀ’ କଥା କହୁନାହିଁ, ଖୋଲା ‘ହାତ’କୁ ଚିହ୍ନ ଭାବେ ଗ୍ରହଣ କରନ୍ତୁ ବୋଲି ବୁଟା ସିଂହ ଯେତେକରି ବୁଝାଇ କହିଲେ ବି ଇନ୍ଦିରା ବୁଝିପାରନ୍ତି ନାହିଁ। ଶେଷର ବିରକ୍ତି ଓ ହତାଶାରେ ଇନ୍ଦିରା ନରସିଂହ ରାଓଙ୍କୁ ଫୋନ୍‌ ଧରାଇ ଦିଅନ୍ତି। ଡଜନାଧିକ ଭାଷାରେ ପାଣ୍ଡିତ୍ୟ ଥିବା ରାଓ କ୍ଷଣକରେ ବୁଝିଗଲେ ବୁଟା ସିଂହ କ’ଣ କହିବାକୁ ଚାହୁଁଛନ୍ତି। ‌‌ସେ ବଡ଼ପାଟିରେ ବୁଟା ସିଂହଙ୍କୁ କହିଲେ, ହାତ ନୁହେଁ ‘ପଂଝା’ କହନ୍ତୁ। ଏଥର ଖୁବ୍‌ ଆଶ୍ବସ୍ତ ହୋଇ ଇନ୍ଦିରା ଗାନ୍ଧୀ ଟେଲିଫୋନ୍‌ ରିସିଭର୍‌ ଧରିଲେ ଏବଂ ‘ହାତ’କୁ ଚିହ୍ନ ଭାବେ ଗ୍ରହଣ କରିବାକୁ ସମ୍ମତି ଦେଲେ। ସେବେଠାରୁ କଂଗ୍ରେସ ହାତ ଚିହ୍ନରେ ନିର୍ବାଚନ ଲଢ଼ିଆସୁଛି।
ଉଲ୍ଲେଖଯୋଗ୍ୟ, ପରେ ‘ସାଇକେଲ୍‌’ ଓ ‘ହାତୀ’ ଯଥାକ୍ରମେ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିର ଚିହ୍ନ ହୋଇଥିଲା ଏବଂ ଘଟଣାଚକ୍ରରେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ବିଏସ୍‌ପି ବିଜେପି ବିପକ୍ଷରେ ମେଣ୍ଟ କରିଥିଲେ।

ଜନସଂଘରୁ ବିଜେପି: ଦୀପରୁ ପଦ୍ମ
ବର୍ତ୍ତମାନ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ୧୯୮୦ରେ ଗଠନ ହେବା ଦିନରୁ ଏହାର ନିର୍ବାଚନୀ ଚିହ୍ନ ‘ପଦ୍ମ’ ରହିଆସିଛି। କିନ୍ତୁ, ୧୯୫୧ରେ ପ୍ରତିଷ୍ଠିତ ବିଜେପିର ମୂଳ ରାଜନୈତିକ ସଂଗଠନ ଭାରତୀୟ ଜନସଂଘର ନିର୍ବାଚନ ସଙ୍କେତ ଥିଲା ‘ଦୀପ’। ୧୯୭୭ ମସିହାରେ ଜରୁରୀ ପରିସ୍ଥିତି ଘୋଷଣା ପରେ ଦେଶର ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଘଟିଲା। ଏଭଳି ପରିସ୍ଥିତିରେ, ଜନସଂଘ ଓ ଅନ୍ୟ ଅଣକଂଗ୍ରେସ ଦଳର ନେତାଏ ଏକତ୍ର ହୋଇ କଂଗ୍ରେସ ବିରୋଧୀ ରାଜନନୈତିକ ମଞ୍ଚ ଜନତା ପାର୍ଟି ଗଠନ କଲେ। ଏହାର ନିର୍ବାଚନୀ ଚିହ୍ନ ହେଲା ‘ହଳଧର କିଷାନ୍‌’ (ଚକ୍ର ହଳଧର)। ମାତ୍ର ୩ ବର୍ଷ ପରେ ଜନତା ପାର୍ଟି ଭାଙ୍ଗିଯିବାରୁ ୧୯୮୦ ମସିହା ଏପ୍ରିଲ୍‌ ୬ ତାରିଖରେ ଗଠିତ ହେଲା ଭାରତୀୟ ଜନତା ପାର୍ଟି। ମୁମ୍ବାଇରେ ଆୟୋଜିତ ହେଲା ଦଳର ପ୍ରଥମ ଅଧିବେଶନ। ଏଥିରେ ଅଧ୍ୟକ୍ଷତା କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ। ସେ ସମୟରେ ଦଳର ନିର୍ବାଚନୀ ଚିହ୍ନ ପୁନର୍ବାର ପରିବର୍ତ୍ତନ କରାଯାଇ ‘ପଦ୍ମ’ କରାଗଲା।

ପଦ୍ମ କାହିଁକି ଚିହ୍ନ ହେଲା?
ବିଜେପି ନେତୃତ୍ବ ପଦ୍ମଫୁଲକୁ ଚିହ୍ନ ଭାବେ ଚୟନ କରିବା ପଛରେ କିଛି ଆଦର୍ଶଗତ କାରଣ ରହିଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରନ୍ତି। ୧୮୫୭ ସିପାହୀ ବିଦ୍ରୋହ ସହିତ ପଦ୍ମଫୁଲର ସଂପର୍କ ରହିଛି। ସିପାହୀ ବିଦ୍ରୋହ ସମୟରେ ସୂଚନା ଓ ବାର୍ତ୍ତା ପ୍ରେରଣ ନିମନ୍ତେ ରୁଟି ଓ ପଦ୍ମଫୁଲକୁ ବ୍ୟବହାର କରାଯାଉଥିଲା। ଏହାପରେ, ଯେତେବେଳେ ବ୍ରିଟିଶ୍‌ ଶାସନ ବିରୋଧରେ ଖୋଲାଖୋଲି ବିଦ୍ରୋହ ଆରମ୍ଭ ହେଲା, ସେତେବେଳେ ପଦ୍ମକୁ ପ୍ରତୀକ ଭାବେ ଗ୍ରହଣ କରାଗଲା। ଯେହେତୁ ପଦ୍ମ ବିପ୍ଳବର ପ୍ରତୀକ, ତେଣୁ ବିଜେପିର ପ୍ରତିଷ୍ଠାତାମାନେ ଏହାକୁ ନିର୍ବାଚନୀ ଚିହ୍ନ ଭାବେ ଚୟନ କଲେ। ଖାଲି ଏତିକି ନୁହେଁ, ‘ପଦ୍ମ’ ମଧ୍ୟ ଦଳର ଆଦର୍ଶ ସାଂସ୍କୃତିକ ଜାତୀୟତାବାଦକୁ ଦର୍ଶାଉଥିଲା। ୧୯୮୦ରେ ମୁମ୍ବାଇରେ ଆୟୋଜିତ ପ୍ରଥମ ସାଧାରଣ ସମ୍ମିଳନୀରେ ଦଳର ନିର୍ବାଚନୀ ସଙ୍କେତ ପଦ୍ମ ରଖିବାକୁ ପ୍ରସ୍ତାବ ଦେଇଥିଲେ ଝାଡ଼ଖଣ୍ଡର ନେତା ସମରେଶ ସିଂହ। ତାଙ୍କ ପ୍ରସ୍ତାବ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କଦ୍ବାରା ଗୃହୀତ ହୋଇଥିଲା। କାରଣ ୧୯୭୭ରେ ସ୍ବାଧୀନ ପ୍ରାର୍ଥୀ ଭାବେ ପଦ୍ମ ଚିହ୍ନରେ ପ୍ରତିନ୍ଦ୍ବନ୍ଦ୍ବିତା କରି ପ୍ରଥମ ଥର ପାଇଁ ଶ୍ରୀ ସିଂହ ବିହାର ବିଧାନସଭା ନିର୍ବାଚନରେ ବୋକାରୋରୁ ବିଜୟୀ ହୋଇଥିଲେ।

 

ସଫଳ ଚିହ୍ନ ‘ଶଙ୍ଖ’
ଆଞ୍ଚଳିକ ସ୍ତରରେ ଏକ ନିର୍ବାଚନୀ ଚିହ୍ନ ଭାବେ ‘ଶଙ୍ଖ’ ଯେଭଳି ଈର୍ଷଣୀୟ ସଫଳତା ଲାଭ କରିଛି ହୁଏତ ଆଉ କୌଣସି ଚିହ୍ନର ଭାଗ୍ୟରେ ସେପରି ଜୁଟିନାହିଁ। ଏହି ଚିହ୍ନକୁ ସାଥୀ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ କ୍ରମାଗତ ୨୪ ବର୍ଷ ଧରି ଶାସନରେ ରହିଆସିଛି। ନବୀନଙ୍କ ଅପ୍ରତିନ୍ଦ୍ବନ୍ଦ୍ବୀ ନେତୃତ୍ବର ସଙ୍କେତ ଭାବେ ସର୍ବଜନଗୃହୀତ ହୋଇଛି ଶଙ୍ଖ। ଏହି ଚିହ୍ନକୁ କିଏ, କାହିଁକି ଓ କେମିତି ବିଜୁ ଜନତା ଦଳ (ବିଜେଡି)ର ନିର୍ବାଚନୀ ଚିହ୍ନ ଭାବେ ଚୟନ କଲେ, ଆସନ୍ତୁ ଜାଣିବା ତା’ର କାହାଣୀ।
୧୯୯୭ ଏପ୍ରିଲ୍‌ ୧୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ଓ ତତ୍‌ପରେ ତାଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକଙ୍କ ଅପ୍ରତ୍ୟାଶିତ ରାଜନୈତିକ ପଦାର୍ପଣ ପରେ ବିଜୁଙ୍କ ନାମରେ ଏକ ଆଞ୍ଚଳିକ ଦଳ ଗଠନର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଭିନ୍ନ ରାଜନୈତିକ ଘଟଣାକ୍ରମ ଦେଇ ଶେଷରେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ଗଠିତ ହେଲା। ତତ୍କାଳୀନ ଜନତା ଦଳର ୪୭ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୩୪ ଜଣ ପୃଥକ୍‌ ହେବା ସହ ଅନ୍ୟ ବରିଷ୍ଠ ବିଜୁ ଅନୁଗାମୀ ନେତା ମିଶି ନବୀନଙ୍କ ନେତୃତ୍ବରେ ଏହି ଦଳକୁ ଜନ୍ମ ଦେଇଥିଲେ। ବିଜେଡି କିପରି ଓ କାହିଁକି ‘ଶଙ୍ଖ ଚିହ୍ନ’କୁ ଆପଣାଇଥିଲା? ଯେତେବେଳେ ବିଜୁ ଜନତା ଦଳର ନିର୍ବାଚନୀ ଚିହ୍ନ ଚୟନ ନେଇ ନିଷ୍ପତ୍ତିର ସମୟ ଆସିଲା ସେତେବେଳେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଚେହେରା ନବୀନ ପଟ୍ଟନାୟକଙ୍କ ସହିତ କତିପୟ ତୁଙ୍ଗନେତା ଆଲୋଚନା କରି ଚିହ୍ନ ଚୂଡ଼ାନ୍ତ କରିଥିଲେ।

ଏ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ କହନ୍ତି, ‘‘ମୁଖ୍ୟମନ୍ତ୍ରୀ ବିଷ୍ଣୁଭକ୍ତ ଏବଂ ବିଷ୍ଣୁଙ୍କ ହସ୍ତରେ ଥିବା ଶଙ୍ଖକୁ ଚିହ୍ନ କରିବାକୁ ପ୍ରଥମେ ସେ ପ୍ରସ୍ତାବ ରଖିଥିଲେ। ଏହାର ରାଜନୈତିକ ତାତ୍ପର୍ଯ୍ୟ ମଧ୍ୟ ଥିଲା । କାରଣ ସେତେବେଳେ ଜନତା ଦଳର ଚିହ୍ନ ଥିଲା ଚକ୍ର, ତେଣେ ବିଜେପିର ଚିହ୍ନ ପଦ୍ମ । ବିଭିନ୍ନ ସମୟରେ ବହୁବାର କ୍ଷୁଦ୍ର ତଥା ଅଣସ୍ବୀକୃତ ରାଜନୈତିକ ଦଳ ସମେତ କେତେକ ସ୍ୱାଧୀନ ପ୍ରାର୍ଥୀ ଗଦାକୁ ନିର୍ବାଚନୀ ଚିହ୍ନ ଭାବେ ବ୍ୟବହାର କରିଥିଲେ। ତେଣୁ ସେଯାବତ୍ ଅବ୍ୟବହୃତ ଶଙ୍ଖକୁ ବିଜେଡି ନିର୍ବାଚନୀ ଚିହ୍ନ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲା।’’ ତେବେ ଏହି ନିଷ୍ପତ୍ତି ପରେ ଅନ୍ୟ ଜଣେ ତୁଙ୍ଗ ନେତା ଶଙ୍ଖ ଚିହ୍ନକୁ ଅଣ-ହିନ୍ଦୁ କିପରି ଗ୍ରହଣ କରିବେ ଏବଂ ଏହା କେତେ ଦୂର ଧର୍ମନିରପେକ୍ଷ ହେବ ବୋଲି ପ୍ରଶ୍ନ ଉଠାଇଥିଲେ । କିନ୍ତୁ, ଅନ୍ୟ ନେତାମାନେ କହିଥିଲେ ଯେ ଓଡ଼ିଶାରେ ଘରେ ଘରେ ଶଙ୍ଖର ପ୍ରଚଳନ ରହିଛି। ଏଥିସହ ଜଗନ୍ନାଥ ଧାମ ପୁରୀ ଶଙ୍ଖକ୍ଷେତ୍ର ଭାବେ ସର୍ବତ୍ର ବିଦିତ ଏବଂ ସବୁ ଧର୍ମର ଲୋକେ ଶ୍ରୀଜଗନ୍ନାଥଙ୍କୁ ଭକ୍ତି କରନ୍ତି। ଏହି କାରଣରୁ ଶଙ୍ଖ ଚିହ୍ନକୁ ସମସ୍ତେ ଗ୍ରହଣ କରିବେ। ଏହି ବଳିଷ୍ଠ ଯୁକ୍ତି ଆଗରେ ଧର୍ମ ନିରପେକ୍ଷତା ପ୍ରସଙ୍ଗ କାଟ ଖାଇ ଯାଇଥିଲା ବୋଲି କହନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ଶେଷରେ ଶଙ୍ଖକୁ ନେଇ ସର୍ବସମ୍ମତ ମତ ଆସିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ମୋହର ମାରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହା ପରେ ଆବଶ୍ୟକ ଆଧିକାରୀକ ପ୍ରକ୍ରିୟା ପରେ ନିର୍ବାଚନ କମିସନ ବିଜେଡିକୁ ଶଙ୍ଖ ଚିହ୍ନ ପ୍ରଦାନ କରିଥିଲ‌ା। ୧୯୯୮ ମସିହାରେ ବିଜେଡି ବିଜେପି ସହିତ ମେଣ୍ଟ କରି ଶଙ୍ଖ ଚିହ୍ନରେ ଲୋକସଭା ନିର୍ବାଚନ ଲଢ଼ିଥିଲା। ପୁଣି ୨୦୦୦ ମସିହାରେ ବିଧାନସଭା ନିର୍ବାଚନ ଲଢ଼ି ବିଜେଡି ସରକାରକୁ ଆସିଲା ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଉ ସେଇଠାରୁ ଆରମ୍ଭ ହୋଇଥିଲା ଶଙ୍ଖ ଚିହ୍ନର ଜୟଯାତ୍ରା, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି।

ମମତାଙ୍କ ହାତଅଙ୍କା ଚିହ୍ନ
ପଶ୍ଚିମବଙ୍ଗରେ ସିପିଆଇ(ଏମ୍‌)ର ସ୍ବେଚ୍ଛାଚାର ଶାସନ ବିରୋଧରେ ପ୍ରତିବାଦ କରିବା ଲାଗି ଆନ୍ଦୋଳନ ଜୋର୍‌ଦାର କରିବାକୁ ଚାହୁଁଥିଲେ ମମତା ବାନାର୍ଜୀ। କିନ୍ତୁ, ସେ କଂଗ୍ରେସ ପାର୍ଟିରେ ଥିବାରୁ ଏଥିରେ ବ୍ୟାଘାତ ଘଟୁଥିଲା। ଏହି କାରଣରୁ ହିଁ ୧୯୯୮ ଜାନୁଆରି ୧ ତାରିଖରେ ମମତା ନିଜସ୍ବ ଦଳ ‘ତୃଣମୂଳ କଂଗ୍ରେସ’ ଗଠନ କଲେ। ଯେଉଁ ଦିନ ଦଳ ଗଠନ ପରିକଳ୍ପନା ତାଙ୍କ ମୁଣ୍ଡକୁ ଜୁଟିଲା ସେହିଦିନ ହିଁ ସେ ଦଳ ପାଇଁ ‌ଚିହ୍ନର ଚିତ୍ର ଅଙ୍କନ କଲେ। ତାହା ଥିଲା ଦୁଇଟି ଫୁଲ ଫୁଟିଥିବା ଗୋଟିଏ ଘାସ-ବୃନ୍ତ। ସେ ଚିନ୍ତାକଲେ, ନିର୍ବାଚନ କମିସନ୍‌ ଯଦି ଏ ଚିହ୍ନକୁ ଅନୁମୋଦନ କରେ, ତାଙ୍କର ଦୁଇଟି ଲକ୍ଷ୍ୟ ହାସଲ ହୋଇପାରିବ। ପ୍ରଥମତଃ, ସେ ନୂଆ ଦଳ ସ୍ଥାପନ କରିପାରିବେ। ଦ୍ବିତୀୟତଃ, ଏହି ଚିହ୍ନରେ ଥିବା ଦଳର ଦର୍ଶନ ଓ ମର୍ମ ଜନତାଙ୍କୁ ବୁଝାଇ ପାରିବେ। ନିର୍ବାଚନ କମିସନ୍‌ ଏ ଚିହ୍ନକୁ ଅନୁମୋଦନ କଲେ ସତ କିନ୍ତୁ, ତା’ ସହିତ ଗୋଟାଏ କଟକଣା ଲଗାଇଦେଲେ। ତାହା ହେଉଛି, ୧୨ଶ ଲୋକସଭା ନିର୍ବାଚନରେ ଦଳ ଯଦି ୬% ଭୋଟ୍‌ ନ ପାଏ, ଏ ଚିହ୍ନ ଖାରଜ କରିଦିଆଯିବ। ଯୋଗକୁ ଦଳ ‘କଟ୍‌ଅଫ୍‌ ପର୍ସେଣ୍ଟେଜ୍‌’ରେ ପାସ୍‌ କଲା ଏବଂ ‘ତୃଣମୂଳ କଂଗ୍ରେସ’ ପାର୍ଟି ଜନ୍ମନେଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button