ରାଜନୀତି

ନେତାଙ୍କ ପାଇଁ ସହଜ ହେବନି ବସ୍ତି ଭୋଟ୍‌: କଣ୍ଟା ହେବ ନନ୍‌ ରେ’ – Kalinga News

[ad_1]

ଭୁବନେଶ୍ୱର: ଭୁବନେଶ୍ବରରେ ସମ୍ଭ୍ରାନ୍ତ ଘରର ଭୋଟର ବା ଶିକ୍ଷିତ ଭୋଟରଙ୍କ ମଧ୍ୟରୁ ଅନେକ ଭୋଟ ଦେବାକୁ ଯାଆନ୍ତି ନାହିଁ। ସେଥିପାଇଁ ମତଦାନ ହାର ଭୁବନେଶ୍ବରର ଉତ୍ତର, ମଧ୍ୟ ଓ ଏକାମ୍ରରେ ୪୦ରୁ ୫୦ ପ୍ରତିଶତ ଭିତରେ ରହି ଆସୁଛି। ଏଣୁ ନେତାମାନେ ବସ୍ତିବାସିନ୍ଦାଙ୍କୁ ଟା‌‌ର୍ଗେଟ୍‌ କରନ୍ତି ଓ ମୌଳିକ ସୁବିଧା ଯୋଗାଇ ଦେବାପାଇଁ ଏମାନଙ୍କୁ ପ୍ରାଧାନ୍ୟ ଦିଆଯାଇଥାଏ। ତେବେ ଏଥର ନେତାଙ୍କ ପାଇଁ ବସ୍ତି ଭୋଟ୍‌ ସହଜ ହେବନାହିଁ ବୋଲି କୁହାଯାଉଛି। କାରଣ ବସ୍ତିବାସିନ୍ଦାଙ୍କୁ ଗୃହ (ଆଫର୍ଡେବଲ୍‌ ହାଉସିଂ) ଯୋଜନାରେ ବିଏମ୍‌ସି ଓ ବିଡିଏ ବିରୋଧରେ ଯେଉଁ ସବୁ କେଳେଙ୍କାରୀ ଅଭିଯୋଗ ହୋଇଛି, ତାହାକୁ ନେଇ ବସ୍ତି ବାସିନ୍ଦାଙ୍କର ପ୍ରଚୁର ଅସନ୍ତୋଷ ଓ ଅଭିଯୋଗ ରହିଛି। ୨୦୨୨ ମସିହାରେ ବିଏମ୍‌ସି ୫୪ ବସ୍ତିର ୧୧୪୩୩ ପରିବାରଙ୍କୁ ଘର ଯୋଗାଇ ଦେବାକୁ ଘୋଷଣା କରିଥିଲା ବିଏମ୍‌ସି। ରାଜୀବ ଆବାସ ଯୋଜନା(ରେ’)ରେ ପ୍ରାଥମିକ ପର୍ଯ୍ୟାୟରେ ମଣ୍ଡପସାହି ବସ୍ତି, ରଙ୍ଗାମାଟିଆ, ମହିଷାଖାଲ ଓ ପଥରବନ୍ଧ ବସ୍ତି‌ରେ ଘର ଯୋଗାଇ ଦିଆଯିବାକୁ ସ୍ଥିର ହୋଇଥିଲା। ଏହାଛଡ଼ା ୪୫୮ଟି ବସ୍ତିରେ ଗୃହ ନିର୍ମାଣ ଯୋଜନା ହୋଇଥିଲା। ବିଡିଏ ମଧ୍ୟ ଚନ୍ଦ୍ରଶେଖରପୁର ଆଫର୍ଡେବଲ୍‌ ହାଉସିଂ ପ୍ରୋଜେକ୍ଟ, ନୀଳମାଧବ ଆବାସ ଯୋଜନା, ଶାନ୍ତିନଗର ଆବାସ ଯୋଜନା(ସହିଦନଗର) ଓ ମହାବୀର ଆବାସ ଯୋଜନା(ଗାଡ଼କଣ) ଦାୟିତ୍ବ ନେଇଥିଲା। ବିଏମ୍‌ସି ସର୍ଭେ କରି ହିତାଧିକାରୀ ଚିହ୍ନଟ କଲା। ବିଡିଏ ଘର କରି ସେମାନଙ୍କୁ ଘର ଯୋଗାଇବା କଥା। ହେଲେ ବିଚିତ୍ର ଘଟଣା ଘଟିଲା। ଥରେ ନୁହେଁ, ଏକାଧିକ ବାର ସର୍ଭେ କଲା ବିଏମ୍‌ସି। ଅନେକ ଥର ବିଡିଏ ବି ସର୍ଭେ କଲା। ତା’ ଭିତରେ ଅନେକ ହିତାଧିକାରୀ କଟିଲେ, ଅନେକ ଅଯୋଗ୍ୟ ଯୋଡ଼ିହେଲେ। ଅନେକ ହିତାଧିକାରୀ ବିଡିଏ/ବିଏମ୍‌ସିର ଦ୍ବାରସ୍ଥ ହୋଇ ଗୁହାରିକଲେ। ହେଲେ କେହି ଶୁଣିଲେନି। ଫଳରେ ମାମଲା କୋର୍ଟରେ ପହଞ୍ଚିଲା। ଏଭଳି ୫୦୦ରୁ ଅଧିକ ମାମଲା ଏବେ କୋର୍ଟରେ ଗଡ଼ୁଛି। ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ି ଚାଲିଛି।

ସବୁଠୁ ବିଚିତ୍ର ସ୍ଥିତି ମହିଷାଖାଲ ବସ୍ତିରେ ହୋଇଛି। ଫନିରେ କ୍ଷତିଗ୍ରସ୍ତ ହେବା ପୂର୍ବରୁ ଯୋଗ୍ୟଙ୍କ ସହ ଅନେକ ଅଯୋଗ୍ୟ ଘରେ ପଶିଗଲେ। ବିଡିଏ ଅଯୋଗ୍ୟଙ୍କୁ ଘରୁ ବାହାର କରିପାରୁନି। ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ଝୁମ୍ପୁଡ଼ିରେ ଅଛନ୍ତି। କୌଣସି ନେତା ଏହି ହିତାଧିକାରୀଙ୍କୁ ନ୍ୟାୟ ଦେଇ ପାରିନାହାନ୍ତି। ସେମିତି ବିଚିତ୍ର ସ୍ଥିତି ଶାନ୍ତିନଗର ପ୍ରକଳ୍ପରେ। ଏହା ଏକ ‘ଇନ୍‌-ସିଟୁ’ (ଯଥାସ୍ଥାନ) ପ୍ରକଳ୍ପ। କିନ୍ତୁ ଏହି ପ୍ରକଳ୍ପରେ ବାହାର ଲୋକଙ୍କୁ ଘର ଦିଆଯାଇଛି। ଘର ଆବଣ୍ଟନରେ ପାତରଅନ୍ତର ହୋଇଥିବା ଅଭିଯୋଗ ରହିଛି। ବିଏମ୍‌ସି ଦୁଇଥର ସର୍ଭେ କରିଥିବା ବେଳେ ବିଡିଏ ମଧ୍ୟ ଦୁଇଥର ସର୍ଭେ କରିଛି। ବିଭିନ୍ନ ସମୟରେ ହିତାଧିକାରୀଙ୍କୁ ଯୋଗ-ବିୟୋଗ କରାଯାଇଥିବାରୁ ପ୍ରବଳ ଅସନ୍ତୋଷ ରହିଛି। ନିକଟ ଅତୀତରେ ଏହି ପ୍ରକଳ୍ପର ଆବାସିକ ସଂଘ ପାଇଁ ହେଉଥିବା ନିର୍ବାଚନରେ ଅସନ୍ତୋଷର ପ୍ରତିଫଳନ‌ ଦେଖିବାକୁ ମିଳିଛି। ସଭାପତି ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ସମାନ ଭୋଟ ହେବାରୁ ଗୁଳା ପଡ଼ି ସଭାପତି ବଛାଯାଇଛି। ତେବେ ସବୁଠାରୁ ବଡ଼ ସମସ୍ୟା ହୋଇଛି ନନ୍‌ ରେ’ ସର୍ଭେ। ରେ’ରେ ସର୍ଭେ ହୋଇ ହିତାଧିକାରୀ ଚିହ୍ନଟ କରାଯାଇଥିଲା। କିନ୍ତୁ ବିଏମ୍‌ସି ଓ ବିଡିଏ ନନ୍‌ ରେ’ ସର୍ଭେ କରି ନିଜ ଲୋକଙ୍କୁ ଥଇଥାନ କରିବାକୁ ଯୋଜନା କରିଥିବାରୁ ବିଭିନ୍ନ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ରହିଛି। ଏଥିପାଇଁ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ମଧ୍ୟ ନାହିଁ। ଏହି ତାଲିକାରେ ମହିଷାଖାଲ ବସ୍ତି, ଶାନ୍ତିପଲ୍ଲୀ ଓ ମଣ୍ଡପବସ୍ତି ଶୀର୍ଷରେ ରହିଛନ୍ତି। ରେ’ ହିତାଧିକାରୀଙ୍କୁ ମିଳିସାରିବା ପରେ ନନ୍‌ ରେ’ଙ୍କ କଥା ବୁଝାଯିବ ବୋଲି କହି ଅଧିକାରୀମାନେ ସେମାନଙ୍କୁ ଝୁଲାଇ ରଖିଛନ୍ତି। ଅନ୍ୟପଟେ ଏହି ହିତାଧିକାରୀଙ୍କୁ ସାହାଯ୍ୟ କରିପାରିନଥିବାରୁ ବିରୋଧୀ ମଧ୍ୟ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିପାରୁ ନାହାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button