ଅପରାଧ

ରାଜଧାନୀରେ ହାଇପ୍ରୋଫାଇଲ୍‌ ନିଶା କାରବାର: ପୁଲିସ ହାତରେ ୨ ବିଷକନ୍ୟା – Kalinga News

[ad_1]

ଗିରଫ ଯୁବତୀ କର୍ପୋରେଟ୍‌ ସଂସ୍ଥାରେ ଚାକିରି କରୁଥିଲେ

ଭୁବନେଶ୍ବର: ରାଜ୍ୟରେ, ବିଶେଷକରି ରାଜଧାନୀରେ ଡ୍ରଗ୍‌ସ କାରବାର କେଉଁ ସ୍ତରରେ ଚାଲିଛି ଓ କେଉଁଭଳି ଲୋକ ସେଥିରେ ସଂପୃକ୍ତ ଅଛନ୍ତି, ତା’ର ଆଉଏକ ବଡ଼ ପ୍ରମାଣ ମିଳିଛି। ସାଧାରଣ ଲୋକଙ୍କ ମନରେ ଡ୍ରଗ୍‌ସ ବେପାରୀ କହିଲେ ବସ୍ତି ଅଞ୍ଚଳର କୌଣସି ଅନ୍ଧାର ଘରେ ରହୁଥିବା ଦାଗୀ ଅପରାଧୀଙ୍କର ଯେଉଁ ଚିତ୍ରଟି ଥିଲା, ଏ ଘଟଣା ତା’କୁ ଭାଙ୍ଗି ପକାଇଛି। ଏହାସହିତ ରାଜଧାନୀରେ ହାଇପ୍ରୋଫାଇଲ ଡ୍ରଗ୍‌ସ ବେପାରର ସାଂଘାତିକ ସତ ସାମ୍‌ନାକୁ ଆସିଛି। ଏକ କର୍ପୋରେଟ ସଂସ୍ଥାରେ ଚାକିରି କରୁଥିବା ଓ ରାଜଧାନୀରେ ବ୍ରାଉନ୍‌ ସୁଗା‌ର୍‌ ବ୍ୟବସାୟ ସହିତ ସିଧାସଳଖ ସଂପୃକ୍ତ ଥିବା ଦୁଇଜଣ ଯୁବତୀ ପୁଲିସ ହାତରେ ଧରା ପଡ଼ିଛନ୍ତି। କମିସନରେଟ୍‌ ପୁଲିସର ସ୍ପେସାଲ କ୍ରାଇମ୍‌ ଯୁନିଟ୍‌ ଏମାନଙ୍କଠାରୁ ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ କରିଛି। ସେମାନଙ୍କୁ ନିଯୋଜିତ କରିଥିବା କିଙ୍ଗ୍‌ପିନ୍‌କୁ ପୁଲିସ ଖୋଜୁଛି। ଗିରଫ ହୋଇଥିବା ଦୁଇ ଯୁବତୀଙ୍କ ଭିତରୁ ଜଣେ ହେଉଛନ୍ତି କମ୍ପ୍ୟୁଟର ଆପ୍ଲିକେସନରେ ପିଜି କରିଥିବା ଭଦ୍ରକର କରିସ୍ମା ରାଉତ (୨୫)। ଅନ୍ୟ ଜଣକ ହେଉଛନ୍ତି ଉକ୍ତ ସଂସ୍ଥାରେ କ୍ଲର୍କ ଥିବା କୋଣାର୍କର ପ୍ରଜ୍ଞାପ୍ରିୟା ସ୍ବାଇଁ (୨୩)। ଉଭୟ ଏକ ଲଜିଷ୍ଟିକ୍‌ କର୍ପୋରେସନ୍‌ ସଂସ୍ଥାରେ କାମ କରୁଛନ୍ତି। ଯଦୁପୁର ଅଞ୍ଚଳର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ୨ ବିଏଚ୍‌କେ ଘରରେ ମାସିକ ୧୦ ହଜାର ଟଙ୍କା ଭଡ଼ାରେ ସେମାନେ ପ୍ରାୟ ଏକବର୍ଷ ହେବ ରହୁଥିଲେ। ଜଣେ ନିଜକୁ ନର୍ସ ଓ ଅନ୍ୟ ଜଣେ କ୍ଲର୍କ ପରିଚୟ ଦେଇ ସେଠାରେ ରହୁଥିଲେ। ଜଣେ ଡ୍ରଗସ୍‌ ସପ୍ଲାୟର୍‌ ସହିତ ଦୁହିଁଙ୍କର ସଂପର୍କ ଥିଲା। ଉକ୍ତ ସପ୍ଲାୟର୍‌ ପାଖକୁ ଜଳେଶ୍ବରରୁ ବ୍ରାଉନ୍‌ ସୁଗାର୍‌ ଓ ଅନ୍ୟ ବେଆଇନ ନିଶାଦ୍ରବ୍ୟ ଆସୁଥିଲା। ସେସବୁକୁ ସେ ଏହି ଦୁଇ ଯୁବତୀଙ୍କୁ ଦେଉଥିଲା। ଏମାନେ ସବୁକୁ ବିଭିନ୍ନ ବଡ଼ ସଂସ୍ଥାର କର୍ମଚାରୀ ଓ ଅନ୍ୟମାନଙ୍କୁ ଯୋଗାଇ ଦେଉଥିଲେ। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ହୋଲିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଆୟୋଜିତ ଗୋପନ ରେଭ୍‌ ପାର୍ଟି ପାଇଁ ଦୁଇ ଯୁବତୀ ଡ୍ରଗ୍‌ସର ମୋଟା ଅର୍ଡର୍‌ ସଂଗ୍ରହ କରିଥିଲେ। ସେଥିପାଇଁ ଜବତ ହୋଇଥିବା ବ୍ରାଉନ୍‌ ସୁଗାର୍‌ ତାଙ୍କ ପାଖରେ ମହଜୁଦ ଥିଲା। ଦିନେ ଦୁଇଦିନ ଭିତରେ ସେଗୁଡ଼ିକୁ ଠିକଣା ଲୋକଙ୍କୁ ଡେଲିଭରି କରା ଯାଇଥା’ନ୍ତା। କିନ୍ତୁ କୌଣସି ସୂତ୍ରରୁ ପୁଲିସ ନିକଟ‌ରେ ଏ ଖବର ପହଞ୍ଚି ଯାଇଥିଲା। ପୁଲିସ ଦୁଇ ଯୁବତୀଙ୍କୁ ଗିରଫ କରିଥିବା ବେଳେ ଉପରୋକ୍ତ ସପ୍ଲାୟର୍‌ ବା କିଙ୍ଗ୍‌ପିନ୍‌ ଫେରାର ହୋଇ ଯାଇଛି।

ଗିରଫ ଯୁବତୀ କର୍ପୋରେଟ୍‌ ସଂସ୍ଥାରେ ଚାକିରି କରୁଥିଲେ
ହୋଲି ରେଭ୍‌ପାର୍ଟି ପାଇଁ ଆସିଥିବା ୨୬ ଲକ୍ଷର ବ୍ରାଉନ୍‌ସୁଗାର୍‌ ଜବତ
ଅନ୍‌ଲାଇନ୍‌ରେ ଡିଲ୍‌, ଅଫ୍‌ଲାଇନ୍‌ରେ ଡେଲିଭରି
କୋଡ୍‌ଵାର୍ଡ ‘ଟେନ୍‌ ରୁପିଜ୍‌’

ପୁଲିସକୁ ଚକ୍‌ମା ଦେବାକୁ କୌଶଳ

ଭୁବନେଶ୍ବର: ପୁଲିସ କହିବା ଅନୁସାରେ, ଜଳେଶ୍ବରରୁ ନିଶାଦ୍ରବ୍ୟ ଭୁବନେଶ୍ବରକୁ ଆସିବାପରେ କିଙ୍ଗ୍‌ପିନ୍‌ ଏଇ ଦୁଇ ହାଇପ୍ରୋଫାଇଲ୍‌ ଡ୍ରଗ୍‌ସ ବେପାରୀଙ୍କୁ ଯୋଗାଇ ଦେଉଥିଲା। ଅଥବା ଆଗରୁ ଅର୍ଡର୍‌ ଥିଲେ, ସେହି ଅନୁସାରେ ନିଶାଦ୍ରବ୍ୟ ଆସୁଥିଲା। ତାହା ଦୁଇ ଯୁବତୀଙ୍କ ପାଖରେ ମହଜୁଦ ରହୁଥିଲା। ଗ୍ରାହକମାନଙ୍କ ସହିତ ସେମାନେ ଅନ୍‌ଲାଇନ୍‌ରେ ଡିଲ୍‌ କରୁଥିଲେ, ତା’ପରେ ସିଧାସଳଖ ଅଫ୍‌ ଲାଇନରେ ଡେଲିଭେରି ଦେଉଥିଲେ। ଏସବୁ ଦିଆନିଆରେ ସେମାନେ ଗୋଟିଏ କୋଡ୍‌ ୱାର୍ଡ ବ୍ୟବହାର କରୁଥିଲେ ‘ଟେନ୍‌ ରୁପିଜ୍’। ଶିକ୍ଷିତା ଓ ମହିଳା ହୋଇଥିବାରୁ ସେମାନେ ପୁଲିସକୁ ଅତି ସହଜରେ ଚକ୍‌ମା ଦେଇ ପାରୁଥିଲେ। ପୁଲିସର ଖୋଳତାଡ଼ରୁ ଆହୁରି ଜଣାପଡ଼ିଛି ଯେ ଗିରଫ ହୋଇଥିବା ଦୁଇ କର୍ପୋରେଟ୍‌ ଲେଡି ଡ୍ରଗସ୍‌ ବ୍ୟବସାୟୀଙ୍କ ଭିତରୁ ଜଣେ ହେଉଛି କିଙ୍ଗ୍‌ପିନ୍‌ର ପ୍ରେମିକା। ପୁଲିସ ଦୁହିଁଙ୍କ ପାଖରୁ ଲାପ୍‌ଟପ୍‌ ଓ ମୋବାଇଲ୍ ଫୋନ୍‌ ଜବତ କରିଛି। ସେସବୁର ଜରିଆରେ ସେମାନଙ୍କ ଅର୍ଥନୈତିକ କାରବାର ଉପରେ ପୁଲିସ ଖୋଳତାଡ଼ କରିବ ବୋଲି ପୁଲିସ କମିସନର ସଂଜୀବ ପଣ୍ଡା କହିଛନ୍ତି। ପୁଲିସ କହିବାନୁସାରେ, ନିଶାଦ୍ରବ୍ୟ ପ୍ରଥମେ ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ଜଳେଶ୍ବରକୁ ଆସୁଥିଲା। ତା’ଉପରେ ଏକ ନିର୍ଦ୍ଦିଷ୍ଟ ବାଟରେ ଭୁବନେଶ୍ବରର ଉପରୋକ୍ତ କିଙ୍ଗ୍‌ପିନ୍‌ ପାଖରେ ପହଞ୍ଚୁଥିଲା। ଖୁବ୍‌ଶୀଘ୍ର ଏହି କିଙ୍ଗ୍‌ପିନ୍‌କୁ ଗିରଫ କରାଯିବ ବୋଲି ପୁଲିସ କହିଛି।
ଅତୀତରେ ଅବଶ୍ୟ ବିଭିନ୍ନ ଘଟଣାରେ ରାଜଧାନୀରେ ଡ୍ରଗ୍‌ସ କାରବାରରେ ସଂପୃକ୍ତ ଥିବା ଅନ୍ୟରାଜ୍ୟର କିଛି ମହିଳାଙ୍କୁ ଗିରଫ କରାଯାଇଛି। କିନ୍ତୁ ଶିକ୍ଷିତ ଓଡ଼ିଆ ଯୁବତୀମାନଙ୍କୁ ମଧ୍ୟ ସେଥିରେ ନିୟୋଜିତ କରାଯିବା ଏକ ସାଂଘାତିକ ଘଟଣା। ନିଶା କାରବାର କେତେ ଗଭୀରକୁ ଚାଲିଗଲାଣି ଓ ସ୍ଥାନୀୟ ଯୁବପିଢ଼ିକୁ ଆକର୍ଷିତ କରି ଏହା ନିଜ ସହିତ ସାମିଲ କରି ସାରିଲାଣି, ଏହା ତା’ର ପ୍ରମାଣ। ଏହାର ମୁକାବିଲା କରିବାଲାଗି ପୁଲିସକୁ ନୂଆଶୈଳୀ ଆପଣାଇବାକୁ ପଡ଼ିବ। ଅନ୍ୟପଟେ ନିର୍ବାଚନ ପାଖେଇ ଆସୁଥିବାରୁ ନିଶା କାରବାର ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ପୁଲିସ ନିଜର ନିଶାବିରୋଧୀ ପଦକ୍ଷେପକୁ ଜୋରଦାର କରିଛି। କମିସନ‌ରେଟ୍ ପୁଲିସର ସ୍ପେସାଲ କ୍ରାଇମ ଯୁନିଟ୍‌ ଚଳିତ ବର୍ଷ ୩ ମାସରୁ କମ୍‌ ସମୟ ଭିତରେ ଏପର୍ଯ୍ୟନ୍ତ ପ୍ରାୟ ୧କୋଟି ଟଙ୍କାର ବ୍ରାଉନସୁଗାର ଜବତ କରି ସାରିଲାଣି। ବିଗତ ବର୍ଷ ଏହାର ପାରିମାଣ ୩ କୋଟିରୁ ଅଧିକ ଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button