ଭାରତର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଲାଲକିଲ୍ଲା ଐତିହାସିକ କ୍ଷେତ୍ର ମଧ୍ୟରେ ଅନ୍ୟତମ । ଏହି ଦୁର୍ଗ ପଞ୍ଚମମୋଗଲ ଶାସକ ଶାହା ଜାହାଜଙ୍କ ଦ୍ୱାରା ନିର୍ମାଣ ହୋଇଥିଲା । ଏହି ଦୁର୍ଗକୁ ୨୦୦୭ ମସିହାରେ ୟୂନେସ୍କୋ ବିଶ୍ୱ ଐତିହାସିକ ସ୍ଥଳ ଭାବେ ମନୋନିତ କରିଥିଲେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ବ୍ୟତୀତ ପାକିସ୍ଥାନରେ ମଧ୍ୟ ଏକ ଲାଲକିଲ୍ଲା ଦୁର୍ଗ ଅଛି । ଯାହାର ନିର୍ମାଣ ପାଇଁ ୮୭ ବର୍ଷ ସମୟ ଲାଗଥିଲା । ଆଜି ଆମେ ଜାଣିବା ପାକିସ୍ଥାନର ଏହି ଲାଲକିଲ୍ଲା ବିଷୟରେ । ଏହି ଦୁର୍ଗ ଇସଲାମାବାଦ ଠାରୁ ୩ଘଣ୍ଟାର ରାସ୍ତା ଅଟେ । ଏହାକୁ ତିନି ପଟରୁ ନିଲମ ନଦୀ ଘେରି ରହିଛି ।ଏହା ପାକିସ୍ଥାନର ମୁଜାଫରବାଦ ଠାରେ ଅବସ୍ଥିତ ହୋଇଥିବାରୁ ଏହାକୁ ମୁଜାଫରବାଦ ଦୁର୍ଗ ବା ରାଉତ ଦୁର୍ଗ ମଧ୍ୟ କୁହାଯାଏ । ବାସ୍ତବରେ ଚାକ ଶାସକମାନେ ମୋଗଲ ମାନଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ଏହି ଦୁର୍ଗର ନିର୍ମାଣ କରିଥିଲେ । ଏହି ଦୁର୍ଗର ନିର୍ମାଣ ୧୫୫୯ରେ ଆରମ୍ଭ ହୋଇଥିଲା । ହେଲେ ମୋଗଲ ମାନେ ଏହାକୁ ୧୫୮୭ରେ ଆକ୍ରମଣ କରିଥିବାରୁ ଏହାର ନିର୍ମାଣ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଥିଲା । ଯାହା ଫଳରେ ଏହାର କାର୍ଯ୍ୟ ଧିର ଓ ମନ୍ଥର ହୋଇଯାଇଥିଲା । ପରିଶେଷରେ ଏହା ୧୬୪୬ ମସିହାରେ ସମ୍ପୂର୍ଣ୍ଣ କରାଯାଇଥିଲା । ସେହି ସମୟରେ ସୁଲତାନ ମୁଜାଫର ଖାଁ ବମ୍ବେର ଶାସକ ଥିଲେ ଓ ଏହାକୁ ସେ ମୁଜାଫରବାଦ ଦୁର୍ଗ ନାମରେ ନାମିତ କରିଥିଲେ । ଏହାପରେ ଦୁର୍ଗଟି ୧୮୪୬ ମସିହାରେ ପୁନଃନିର୍ମାଣ କରାଯାଇଥିଲା । ସେତେବେଳେ ଡୋଗ୍ରା ରାଜବଂଶର ମହାରାଜା ଗୁଲାବ ସିଂ ସେଠାରେ ଶାସନ କରୁଥିଲେ । ଡୋଗ୍ରା ରାଜବଂଶର ସେନାମାନେ ଏହି ଦୁର୍ଗକୁ ୧୯୨୬ ମସିହା ପର୍ଯ୍ୟନ୍ତ ବ୍ୟବହାର କରିଥିଲେ । ସେମାନେ ସେଠାରୁ ଚାଲିଯିବା ପରେ ଦୁର୍ଗଟି ଜନଶୂନ୍ୟ ଭାବେ ପଡି ରହିଥିଲା । ପାକିସ୍ଥାନ ଏହାର କୌଣସି ରକ୍ଷଣ ବେକ୍ଷଣ କରିନଥିବାରୁ ଏହା କାଳ କ୍ରମେ ଧ୍ୱଂସାବଶେଷରେ ପରିଣତ ହୋଇଛି ।