ଖେଳ ଖବର

କୈଫଙ୍କ କଥାକୁ ନେଇ ଝଡ଼: ଦ୍ରାବିଡ଼-ରୋହିତ ବିଶ୍ବକପ୍ ପିଚ୍ ବଦଳାଇଥିଲେ! – Kalinga News

[ad_1]

ମୁମ୍ବାଇ: ଘରୋଇ ପରିବେଶରେ ଖେଳିଥିବା ୨୦୨୩ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଭାରତ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲା। ହେଲେ ଶେଷ ଲଢ଼େଇରେ ଝୁଣ୍ଟି ତୃତୀୟଥର ବିଶ୍ବ ବିଜୟୀ ହେବାରୁ ବଞ୍ଚିତ ହୋଇଥିଲା। ଫାଇନାଲ୍‌ର ରୋହିତ ବାହିନୀର ସେହି ଶୋଚନୀୟ ପରାଜୟକୁ ଆଜି ବି ପ୍ରଶଂସକ ବିଶ୍ବାସ କରିପାରୁ ନଥିଲା ବେଳେ ଏହାକୁ ନେଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ମହମ୍ମଦ କୈଫ କହିଥିବା କଥା ଝଡ଼ ସୃଷ୍ଟି କରିଛି। ଅଷ୍ଟ୍ରେଲିଆଠୁ ଭାରତ ଫାଇନାଲ୍‌ରେ ହାରିବା ନେଇ କୈଫ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ଦାୟୀ କରିଛନ୍ତି। ପିଚ୍‌ ପ୍ରସ୍ତୁତି ବେଳେ ଏମାନେ ମାତ୍ରାଧିକ ହସ୍ତକ୍ଷେପ କରିବା ଭାରତ ପରାଜୟର ଅସଲ କାରଣ ବୋଲି ଏକ ସାକ୍ଷାତକାରରେ ରୋକ୍‌ଠୋକ୍ ଭାବେ କହିଛନ୍ତି ‌କୈଫ। ଏପରିକି ଦ୍ରାବିଡ଼ ଓ ରୋହିତ ଫାଇନାଲ୍ ପୂର୍ବରୁ ଲଗାତାର ତିନି ଦିନ ଧରି ପଡ଼ିଆ ଭିତରକୁ ଯାଇ ପିଚ୍‌ ତାଙ୍କ ଅନୁସାରେ ପ୍ରସ୍ତୁତ କରିବାକୁ କ୍ୟୁରେଟର୍‌ଙ୍କୁ ନିର୍ଦ୍ଦେଶ ଦେଉଥିବା ସେ ନିଜେ ଦେଖିଛନ୍ତି‌ ବୋଲି କୈଫ ବୟାନ ଦେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି।

ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି, ଭାରତୀୟ ବ୍ୟାଟର୍ ଅନାବଶ୍ୟକ ଭାବେ ପିଚ୍ ଉପରେ ମାତ୍ରାଧିକ ଧ୍ୟାନ ଦେଇଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଲିଗ୍ ପର୍ଯ୍ୟାୟରେ ଭାରତଠାରୁ ପରାଜିତ ହେବାର ଭୁଲ୍‌ରୁ ଶିକ୍ଷା ଲାଭ କରି ସେହି ଅନୁସାରେ ପ୍ରସ୍ତୁତି କରିଥିଲା। ଏଥିଲାଗି ବିଜୟର ମଧୁର ସ୍ବାଦ ବି ଚାଖିଥିଲା। ମୁଁ ଫାଇନାଲ୍ ପୂର୍ବରୁ ତିନି ଦିନ ଧରି ଅହମଦାବାଦରେ ଥିଲି। ଅନେକ ଟେଲିଭିଜନ୍ ସୋ’ କରିଥିଲି। ପ୍ରଥମ ଦିନ ସଂଧ୍ୟାରେ ଦ୍ରାବିଡ଼ ଓ ରୋହିତ ପିଚ୍ ପାଖକୁ ଆସି ସେଠାରେ ଘଣ୍ଟାଏରୁ ଅଧିକ ସମୟ ଛିଡ଼ା ହୋଇ ଫେରିଯାଇଥିଲେ। ଦ୍ବିତୀୟ ଦିନ ମଧ୍ୟ ସମାନ ଘଟଣା ଘଟିଥିଲା। ଏଭଳି ପୂରା ତିନି ଦିନ ଧରି ଚାଲିଥିଲା। ୟା ଭିତରେ ପିଚ୍‌ର ରଙ୍ଗ ବି ବଦଳି ଯାଇଥିଲା। ଘାସ ନଥିଲା, ପାଣି ତ ଆଦୌ ଦିଆଯାଉ ନଥିଲା। ଶେଷରେ ଏହା ଅତ୍ୟଧିକ ମନ୍ଥର ହୋଇଯାଇଥିଲା। ଏହା ହିଁ ନିରାଟ ସତ। ଅଷ୍ଟ୍ରେଲିଆକୁ ଅତ୍ୟନ୍ତ ମନ୍ଥର ପିଚ୍‌ ଦେବା ସେମାନଙ୍କର ଲକ୍ଷ୍ୟ ଥିଲା। ଏଇଠି ହିଁ ସେମାନେ ଗୁରୁତର ତ୍ରୁଟି କରିଥିଲେ। ପରାଜୟ ପରେ ଲୋକମାନେ (ରୋହିତ-ଦ୍ରାବିଡ଼ଙ୍କୁ ଇଙ୍ଗିତ କରି) କହିଥିଲେ କ୍ୟୁରେଟର୍ ଏମିତି କରିଥିଲେ, ସେମିତି କରିଥିଲେ। ଏସବୁ ଡାହା ମିଛ। ଆପଣ ତାଙ୍କୁ (କ୍ୟୁରେଟର୍‌ଙ୍କୁ) ନିୟମିତ ଭାବେ କହୁଥିଲେ ଘାସ କମ୍ କର, ପାଣି କମ୍ ପକାଅ। ସେ ସେହି ଅନୁସାରେ କାମ କରିଥିଲେ। ପରେ ଏଥିରୁ ଆପଣ ଫାଇଦା ଉଠାଇପାରି ନଥିଲେ। ସେପଟେ ଚେନ୍ନାଇରେ ଭାରତଠୁ ପରାଜିତ ହେବାରୁ ଶିକ୍ଷା ଲାଭକରି କମିନ୍ସ (ଅଷ୍ଟ୍ରେଲିଆ ଅଧିନାୟକ) ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ କହିଥିଲେ। ଫାଇନାଲ୍‌ରେ ସାଧାରଣତଃ ଭ୍ରମଣକାରୀ ଦଳ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନିଅନ୍ତି ନାହିଁ। ହେଲେ ସେ ସାହସ ଦେଖାଇ ଭାରତକୁ ତା’ରି ଜାଲରେ ଫଶାଇ ଦେଇଥିଲେ। ଆମେ ପିଚ୍‌କୁ ଅଦଳବଦଳ କରିବା ଚକ୍କର୍‌ରେ ହାରିଥିଲେ।

ସୂଚନାଯୋଗ୍ୟ ଯେ ବିଶ୍ବକପ୍ ଫାଇନାଲ୍‌ରେ ତାରକା ଖଚିତ ଭାରତ ସମସ୍ତଙ୍କ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ମନ୍ଥର ପିଚ୍‌ର ସଠିକ୍ ଉପଯୋଗ କରି କେଏଲ୍ ରାହୁଲ (୬୬) ଓ ବିରାଟ କୋହଲି (୫୪)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଭାରତକୁ ଅଷ୍ଟ୍ରେଲିଆ ମାତ୍ର ୨୪୦ ରନ୍‌ରେ ଅଟକାଇ ଦେଇଥିଲା। ପରେ ଟ୍ରାଭିସ୍ ହେଡ୍‌ (୧୩୭)ଙ୍କ ଶତକ ବଳରେ ୪ ୱିକେଟ୍ ହରାଇ ୭ ଓଭର ପୂର୍ବରୁ ମ୍ୟାଚ୍ ଜିତି ନେଇ ରେକର୍ଡ ଷଷ୍ଠ ଥର ଲାଗି ବିଶ୍ବକପ୍ ଜିତି ନେଇଥିଲା। ତତ୍‌ସହିତ ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଚୂରମାର ହୋଇଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button