ରାଜନୀତି

ନିର୍ବାଚନୀ ବଣ୍ଡ୍‌: ନୂଆ ତଥ୍ୟ ଜାରି କଲେ ନିର୍ବାଚନ କମିସନ, ବିଜେପିକୁ ସର୍ବାଧିକ ଟଙ୍କା – Kalinga News

[ad_1]

ମାୟାବତୀ, ଅୱେସି, ରାଜଠାକରେଙ୍କୁ ଟଙ୍କାଟିଏ ବି ମିଳିନି

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍‌ ଜରିଆରେ କେଉଁ ଦଳ କେତେ ଟଙ୍କା ପାଇଛନ୍ତି, ସେସଂପର୍କରେ ନିର୍ବାଚନ କମିସନ ଆଜି ତଥ୍ୟ ଜାରି କରିଛନ୍ତି। କମିସନ୍ ତାଙ୍କର ୱେବସାଇଟ୍‌ରେ ବିଭିନ୍ନ ଦଳ ଦେଇଥିବା ଏହି ତଥ୍ୟକୁ ଅପଲୋଡ୍ କରିଛନ୍ତି। ୫୦୦ରୁ ଅଧିକ ସ୍ବୀକୃତିପ୍ରାପ୍ତ ଓ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ଏହି ତଥ୍ୟ ଦେଇଛନ୍ତି। ତଥ୍ୟରୁ ଜଣାପଡ଼ିଛି ଯେ କିଛି କିଛି ଦଳ ନିର୍ବାଚନୀ ବଣ୍ଡ୍‌ ଜରିଆରେ କୋଟି କୋଟି ଟଙ୍କା ଆଦାୟ କରିଥିବା ବେଳେ ଅଧିକାଂଶ ଦଳଙ୍କୁ ବଣ୍ଡ୍‌ ଜରିଆରେ ଚାନ୍ଦା ମିଳିନାହିଁ। ସିପିଏମ୍ ସମେତ ସମସ୍ତ ବାମପନ୍ଥୀ ଦଳ ନିର୍ବାଚନୀ ବଣ୍ଡ୍‌ ଜରିଆରେ ଚାନ୍ଦା‌ ନେବାକୁ ମନା କରିଥିବା ବେଳେ ମାୟାବତୀଙ୍କ ବିଏସ୍‌ପି ସମେତ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା, ଅୱେସୀଙ୍କ ଅଲ ଇଣ୍ଡିଆ ଇତ୍ତେହାଦୁଲ ମୁସଲେମିନ୍ ଏବଂ ଆସାମ ଗଣ ପରିଷଦ ଭଳି ଅଧିକାଂଶ ଦଳଙ୍କୁ ବଣ୍ଡ୍ ଚାନ୍ଦା ମିଳିନାହିଁ।

ତେବେ କେତେକ ରାଜନୈତିକ ଦଳ ଶହ ଶହ କୋଟି ଟଙ୍କା ପାଇଛନ୍ତି। ବଣ୍ଡ୍‌ ଜରିଆରେ ବିଜେପିକୁ ସର୍ବାଧିକ ୬୯୮୬.୫ କୋଟି ଟଙ୍କା ମିଳିଥିବା ବେଳେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସକୁ ୧୩୯୭ କୋଟି ଟଙ୍କା, କଂଗ୍ରେସକୁ ୧୩୩୪ କୋଟି ଟଙ୍କା ଏବଂ ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌)କୁ ୧୩୨୨ କୋଟି ଟଙ୍କା ମିଳିଛି। ଓଡ଼ିଶାର ବିଜେଡି ୯୪୪.୫ କୋଟି ଟଙ୍କା ସହ ପଞ୍ଚମ ସ୍ଥାନରେ ଥିବା ବେଳେ ଡିଏମ୍‌କେ ୬୫୬.୫ କୋଟି ଟଙ୍କା ଏବଂ ଆନ୍ଧ୍ରପ୍ରଦେଶର ଶାସକ ଦଳ ୱାଇଏସଆର କଂଗ୍ରେସ ୪୪୨.୮ କୋଟି ଟଙ୍କା ପାଇଛି। ଜେଡିଏସ୍ କୁ ୮୯.୭୫ କୋଟି ଟଙ୍କାର ଚାନ୍ଦା ମିଳିଛି, ଯେଉଁଥିରେ ନିର୍ବାଚନୀ ବଣ୍ଡ୍‌ର ଦ୍ୱିତୀୟ ବୃହତ୍ତମ କ୍ରେତା ମେଘା ଇଞ୍ଜିନିୟରିଂଠାରୁ ୫୦ କୋଟି ଟଙ୍କା ରହିଛି। ପୂର୍ବରୁ ଜଣାପଡ଼ିଥିଲା ଯେ ସାଣ୍ଟିଆଗୋ ମାର୍ଟିନଙ୍କ ମାଲିକାନାରେ ଥିବା ଲଟେରି କମ୍ପାନି ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ୧୩୬୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ର ସବୁଠାରୁ ବଡ଼ କ୍ରେତା। ଆଜି ଜାରି ହୋଇଥିବା ନୂଆ ତଥ୍ୟ ରୁ ଜଣାପଡିଛି ଯେ ଡିଏମ୍‌କେ ଫ୍ୟୁଚର ଗେମିଂରୁ ୫୦୯ କୋଟି ଟଙ୍କା ପାଇଛି, ଯାହା କମ୍ପାନିର ମୋଟ୍‌ ଚାନ୍ଦାର ପ୍ରାୟ ୩୭ ପ୍ରତିଶତ ଅଟେ। ସେହିଭଳି ଟିଡିପିକୁ ୧୮୧ କୋଟି ଟଙ୍କା ମିଳିଥିବା ବେଳେ ଶିବ ସେନାକୁ ୬୦ କୋଟି, ଆରଜେଡିକୁ ୫୬ କୋଟି, ଏନ୍‌ସିପିକୁ ୫୦ କୋଟି, ସମାଜବାଦୀ ପାର୍ଟିକୁ ୧୪ କୋଟି ଏବଂ ଆପ୍‌କୁ ୬୫ କୋଟି ଟଙ୍କା ମିଳିଛି।
ଡିଏମ୍‌କେ, ଆନ୍ନା ଡିଏମ୍‌କେ, ଜେଡିଏସ୍ ଏବଂ ନେସନାଲ କନଫେରେନ୍ସକୁ ଛାଡ଼ିଦେଲେ ଅନ୍ୟ କୌଣସି ଦଳ କାହାଠାରୁ କେତେ ବଣ୍ଡ୍ ପାଇଛନ୍ତି ତାହା ପ୍ରକାଶ କରି ନାହାନ୍ତି।

ସୂଚନାଯୋଗ୍ୟ ଯେ ନିର୍ବ‌ାଚନୀ ବଣ୍ଡ୍‌କୁ ସୁପ୍ରିମ କୋର୍ଟ ଗତମାସ ବେଆଇନ ଘୋଷଣା କରିବା ସହିତ ଏହି ବଣ୍ଡ୍ ସଂପର୍କରେ ସମସ୍ତ ତଥ୍ୟ ନିର୍ବାଚନ କମିସନଙ୍କୁ ଦେବାଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ। କମିସନଙ୍କୁ ବ୍ୟାଙ୍କ ଏହି ତଥ୍ୟ ଦେଇଥିଲେ ମଧ୍ୟ କେଉଁ ଦଳ କାହାଠାରୁ କେତେ ବଣ୍ଡ ପାଇଥିଲେ ତାହା ପ୍ରକାଶ କରିନଥିଲା। ଏହାକୁ ନେଇ ସୁପ୍ରିମ କୋର୍ଟ ବିରକ୍ତି ପ୍ରକାଶ କରିବା ସହିତ ଏସଂକ୍ରାନ୍ତ ତଥ୍ୟ ଦେବା ପାଇଁ ବ୍ୟାଙ୍କକୁ କହିଥିଲେ। ନିର୍ବାଚନୀ ବଣ୍ଡ ନମ୍ବର ପ୍ରକାଶ କରିବା ଲାଗି ବ୍ୟାଙ୍କକୁ କୁହାଯାଇଥିଲା।
ଆଜି ନିର୍ବାଚନ କମିସନ ଯେଉଁ ତଥ୍ୟ ଏହାର ୱେବସାଇଟ୍‌ ଅପଲୋଡ୍ କରିଛନ୍ତି ସେଥିରେ ବଣ୍ଡ୍ ଜାରି ହେବାର ତାରିଖ, ପାଣ୍ଠିର ମୂଲ୍ୟ ଏବଂ ଜାରି କରୁଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖା ସଂପର୍କରେ ସୂଚନା ଉପଲବ୍ଧ ହୋଇଛି। ଏଥିରେ କ୍ରେତା ପକ୍ଷର ବ୍ୟାଙ୍କ ଆକାଉଣ୍ଟର ରସିଦ ଏବଂ କ୍ରେଡିଟ୍ ତାରିଖ ମଧ୍ୟ ରହିଛି। ତେବେ ଏଥିରେ ନିର୍ବାଚନୀ ବଣ୍ଡ୍‌ ନମ୍ବରକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ, ଯାହା ଦାତାମାନଙ୍କୁ ଗ୍ରହଣକାରୀଙ୍କ ସହ ସଂଯୋଗ କରିଥାଏ । ତେବେ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରାଯାଇଥିବା ତଥ୍ୟରେ କେତେକ ଦଳ ସେମାନଙ୍କ ଦାତାଙ୍କୁ ତାଲିକାଭୁକ୍ତ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button