ଅପରାଧ

ଗୁଣିଗାରେଡ଼ି ସନ୍ଦେହରେ ବର୍ବରକାଣ୍ଡ: ବୃଦ୍ଧାଙ୍କୁ ମାରି ୩ କିମି ଦୂରରେ ପୋତିଥିଲେ – Kalinga News

[ad_1]

ଝରିଗାଁ: ଗୁଣିଗାରେଡ଼ି ସନ୍ଦେହରେ ଗଣ୍ଡଗୋଳ କରୁଥିଲେ। ଥାନାରେ ଅଭିଯୋଗ କରିବାରୁ କଲବଲ କରି ମାରିଦେଲେ। ପ୍ରମାଣ ନଷ୍ଟ କରିବାକୁ ୩ କିଲୋମିଟର ଦୂରରେ ଶବ ପୋତିଦେଲେ। ଝରିଗାଁ ବ୍ଲକ୍‌ ବେଲଗାଁ ପଞ୍ଚାୟତ କେନ୍ଦୁଗୁଡ଼ା ଗାଁରେ ଏମିତି ବୀଭତ୍ସ ତଥା ଲୋମଟାଙ୍କୁରା ଘଟଣା ଘଟିଛି। ମୃତକ ୬୦ ବର୍ଷୀୟା ରଇବାରୀ ସାନ୍ତା ବୋଲି ପୁଲିସ ସୂଚନା ଦେଇଛି। ୪ ଦିନ ପରେ ପୁଲିସ ମାଟି ତଳୁ ଶବ ବାହାର କରି ଘଟଣାର ତଦନ୍ତ ଜାରି ରଖିଛି। ରଇବାରୀଙ୍କ ଝିଅ ବୁଟୁଲି ସାନ୍ତାଙ୍କ ଅଭିଯୋଗ ହେଲା, ମା’ ଗୁଣିଗାରେଡ଼ି କରୁଥିବା ନେଇ ଗାଁର କିଛି ପରିବାର ସନ୍ଦେହ କରୁଥିଲେ। ତେଣୁ ବାରମ୍ବାର ଘରକୁ ଆସି ଗାଳିଗୁଲଜ କରୁଥିଲେ। ନିର୍ଯାତନା ବଢ଼ିବାରୁ ବାଧ୍ୟ ହୋଇ ରଇବାରୀ କିଛି ଦିନ ତଳେ ଝରିଗାଁ ଥାନାରେ ଏତଲା ଦେଇଥିଲେ। ସମ୍ବେଦନଶୀଳ ଘଟଣା ଓ ସାଂଘାତିକ ଅଭିଯୋଗ ହୋଇଥିବାରୁ ପୁଲିସ ଉଭୟପକ୍ଷଙ୍କୁ ଥାନାକୁ ଡାକିଥିଲା। ଆପୋସ ବୁଝାମଣାରେ ବିବାଦର ସମାଧାନ କରିବା ସହ ରାଜିନାମା ଲେଖାଇ ରଖିଥିଲା। କିନ୍ତୁ କଥା ଥାନାରେ ପହଞ୍ଚିବାରୁ ରଇବାରୀଙ୍କୁ ସବୁଦିନ ପାଇଁ ଚୁପ୍‌ କରିବାକୁ ଯୋଜନା ହୋଇଥିଲା।

ଗତ ୭ତାରିଖ ଦିନ ଗାଁର ସାରଥୀ ସାନ୍ତା, କାଜଳୀ ସାନ୍ତା, ମୁଗୁରୀ ସାନ୍ତା, ଚମ୍ପା ସାନ୍ତା, ଲଖି ସାନ୍ତା, ପଲାଦୁ ସାନ୍ତା, ମାତିରି ସାନ୍ତା ଘରକୁ ଆସି ପାଟିତୁଣ୍ଡ କରିଥିଲେ। ଗୁଣିଗାରେଡ଼ି କରୁଥିବା ଲାଞ୍ଛନା ଲଗାଇ ନିର୍ଘାତ ପିଟିଥିଲେ। ରଇବାରୀ ଜୀବନ ବିକଳରେ କାକୁତିମିନତି ହୋଇଥିଲେ ବି ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା। ଶେଷରେ ଘର ଭିତରୁ ରଇବାରୀଙ୍କୁ ଘୋଷାରି ନେଇଥିଲେ। ରାସ୍ତା ସାରା ପିଟିପିଟି ମୁଗୁରୀ ସାନ୍ତାଙ୍କ ଘରକୁ ନେବା ପରେ ରଇବାରୀ ଆଉ ଘରକୁ ଫେରିନଥିଲେ। ଏଭଳି ସଂଘବଦ୍ଧ ଆକ୍ରମଣ ‌ଦେଖି ରଇବାରୀଙ୍କ ପରିବାରର ଅନ୍ୟ ସଦସ୍ୟ ଏତେ ମାତ୍ରାରେ ଭୟଭୀତ ହୋଇଯାଇଥିଲେ ଯେ ଘଟଣା ଦିନ ଘରକୁ ବାହାରିବାକୁ ସାହସ ଜୁଟାଇ ପାରିନଥିଲେ।

ପ୍ରାୟ ଦୁଇ ଦିନ ଧରି ରଇବାରୀ ନ ଫେରିବାରୁ ହତ୍ୟା କରାଯାଇଥିବା ନେଇ ଝିଅ ବୁଟୁଲି ‌ସନ୍ଦେହ କରିଥିଲେ। ଝରିଗାଁ ଥାନାରେ ଏତଲା ଦେବାରୁ ଆଜି ଥାନା ଅଧିକାରୀ ତପନ କୁମାର ପତିଙ୍କ ନେତୃତ୍ବରେ ଗୋଟିଏ ଟିମ୍‌ ଗାଁରେ ପହଞ୍ଚିଥିଲା। ତଦନ୍ତ ସମୟରେ ବହୁ ଜଣଙ୍କୁ ପଚରାଉଚୁରା କରିବାରୁ ରଇବାରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। କିନ୍ତୁ ଶବ କେଉଁଠି ‌ଅଛି ତାହାର କୌଣସି ସୁରାକ ମିଳିନଥିଲା। ତନାଘନା କରି ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରୁ ଗାଁ ଠାରୁ ପ୍ରାୟ ୩କିଲୋମିଟର ଦୂରରେ ରହିଥିବା ନିଜ ଜମିରେ ହିଁ ରଇବାରୀଙ୍କୁ ପୋତା ଯାଇଥିବା ସୂଚନା ମିଳିଥିଲା। ମାଜିଷ୍ଟ୍ରେଟ ଭାବେ ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକଙ୍କ ଉପସ୍ଥିତରେ ମାଟି ତଳୁ ଶବ ବାହାର କରାଯାଇଛି। ବ୍ୟବଚ୍ଛେଦ ନିମନ୍ତେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏ ନେଇ ଝରିଗାଁ ଥାନା କେଶ ନମ୍ବର ୫୪/୨୪ ଅନୁସାରେ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ କିଛି ସନ୍ଦିଗ୍ଧଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚୁରା ଜାରି ରଖିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button