ମୋଦୀ, ନବୀନ ନେବେ ନିଷ୍ପତ୍ତି: କିଏ କେତେ ଆସନରେ ଲଢ଼ିବେ, ସହମତି ହେଉନି – Kalinga News

[ad_1]
ଭୁବନେଶ୍ବର/ନୂଆଦିଲ୍ଲୀ: ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ମେଣ୍ଟ ହେଲେ ଆସନ ଭାଗବଣ୍ଟା ସୂତ୍ର କଣ ହୋଇପାରେ? ଗତ ଦୁଇଦିନ ଧରି ଏଭଳି କିଛି ପ୍ରଶ୍ନକୁ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପଡ଼ୁଛି ଉଠୁଛି। କିଛି ନେତା, ତଥାକଥିତ ରାଜନୈତିକ ବିଶେଷଜ୍ଞ ମେଣ୍ଟର ସ୍ବରୂପ ନିର୍ଣ୍ଣୟ କରିସାରିଲେଣି ଓ ଆସନ ଭାଗବଣ୍ଟା ବି। ଆଉ କେହି କେହି ମେଣ୍ଟ ହେବନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଲେଣି। ଅର୍ଥାତ୍ ପୂର୍ବଭଳି ବିଜେଡି-ବିଜେପି ଅଲଗା ଅଲଗା ଲଢ଼ିବେ। ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ବିଜେଡିର ଛାମୁଆ ନେତାମାନେ ଯେଭଳି ମେଣ୍ଟ ସଂକ୍ରାନ୍ତ ନିଷ୍ପତ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଉପରେ ନ୍ୟସ୍ତ କଲେ, କେନ୍ଦ୍ରୀୟ ବିଜେପି ଅନୁରୂପ ସୂତ୍ର ଆପଣାଇଛି। ରାଜ୍ୟ ବିଜେପିର କୋର୍ ଟିମ୍ ମେଣ୍ଟ ସଂକ୍ରାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତାଙ୍କ ଉପରେ ନ୍ୟସ୍ତ କରିଛନ୍ତି। ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଦଳର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏବେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରି ଶେଷ ନିଷ୍ପତ୍ତି ନେବେ। ଯେଉଁ କଥା ପାଇଁ ପ୍ରସଙ୍ଗଟି ଅଟକିଯାଇଛି ବୋଲି କୁହାଯାଉଛି, ତାହା ହେଲା- ଆସନ ଭାଗବଣ୍ଟାରେ ଆପାତତଃ ସହମତି ହୋଇପାରୁ ନାହିଁ। ଏହାବାଦ୍ ମେଣ୍ଟ ସଂକ୍ରାନ୍ତ ଆହୁରି କିଛି ଗହନ କଥା ରହିଛି, ଯାହା ଉପରେ ଶୀର୍ଷସ୍ତରରେ ବିଚାର ଆଲୋଚନା ଚାଲିଛି। ହେଲେ ଦୁଇଦିନ ମଧ୍ୟରେ ମେଣ୍ଟ ସଂକ୍ରାନ୍ତରେ ଗୋଟିଏ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଉଭୟ ଦଳର ଶୀର୍ଷ ନେତୃତ୍ବ ନିଜ ନାମ ଗୋପନ ସର୍ତ୍ତରେ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଅର୍ଥାତ୍ ଗୁରୁବାର ମେଣ୍ଟ ଆଲୋଚନାକୁ ଆଉ ଟିକେ ଆଗକୁ ନେବାଲାଗି ବିଜେପିର କେନ୍ଦ୍ରୀୟ ଶୀର୍ଷ ନେତାଙ୍କ ଡାକରା ପାଇ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉଭୟ ନୂଆଦିଲ୍ଲୀ ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ବିଜେଡିର ଏହି ଦୁଇ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ ସହିତ ବିଶଦ ଆଲୋଚନା କରିଛନ୍ତି। ଏଥିରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଲା, ସେ ନେଇ କେହି କିଛି ଟେର୍ ପାଉନାହାନ୍ତି। ତେବେ ଉଭୟ ଶ୍ରୀ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଆଜି ସକାଳୁ ଭୁବନେଶ୍ବର ଫେରି ଆସିଛନ୍ତି। ଦିନତମାମ ବିଭିନ୍ନ ପର୍ଯ୍ୟାୟରେ ବିଜେଡିର ଛାମୁଆ ନେତାଙ୍କ ସହିତ ଉଭୟଙ୍କର ଆଲୋଚନା ହୋଇଛି। ‘ସମ୍ବାଦ’କୁ ମିଳିଥିବା ସୂଚନା ମୁତାବକ, ବିଜେଡି କେତେ ଆସନରେ ଲଢ଼ିବ, କେଉଁ କେଉଁ ଆସନରେ ଲଢ଼ିବ ସେସବୁ ସଂପର୍କରେ ତଥ୍ୟ ଓ ପରିସଂଖ୍ୟାନ ସହିତ ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଦିଆଯାଇଛି। ବିଜେଡି ଶିବିରରୁ ମେଣ୍ଟ ସଂପର୍କରେ ସକାରାତ୍ମକ ଚିତ୍ର ଆସୁଛି।
ଅନ୍ୟପକ୍ଷରେ ଓଡ଼ିଶା ବିଜେପି ନେତାମାନେ ମେଣ୍ଟକୁ ବିରୋଧ କରୁଛନ୍ତି। ଏକାକୀ ନିର୍ବାଚନ ଲଢ଼ିବା ଲାଗି କେନ୍ଦ୍ରୀୟ ନେତୃତ୍ବଙ୍କୁ ସେମାନେ ଜଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ନୂଆଦିଲ୍ଲୀରେ ଗୁରୁବାର ରାତି ୧୦ଟାରୁ ଆଲୋଚନା ଆରମ୍ଭ ହୋଇ ଶୁକ୍ରବାର ଭୋର ପାଞ୍ଚଟା ଯାଏ ଚାଲିଥିଲା। ବିଜେପି ନେତା ତୁହାକୁ ତୁହା ବୈଠକ କରିଥିଲେ। ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସହିତ ରାଜ୍ୟ ନେତାମାନେ ପ୍ରଥମ ପର୍ଯ୍ୟାୟରେ ଆଲୋଚନା କରିଥିଲେ। ପରେ ଓଡ଼ିଶାର ବିଜେପି ନେତାମାନେ ଆଉ ଦୁଇଟି ବୈଠକ କରିଥିଲେ। ବିଜେପିର ସାଧାରଣ ସଂପାଦକ ସୁନୀଲ ବଂଶଲଙ୍କ ସହିତ ହୋଇଥିବା ଦ୍ବିତୀୟ ବୈଠକରେ ରାଜ୍ୟ ନେତାମାନେ ଏକସ୍ବରରେ ଜଣାଇଥିଲେ ଯେ ମେଣ୍ଟ ଆଲୋଚନା ପରଠାରୁ ଓଡ଼ିଶାରେ କର୍ମୀଙ୍କ ମହଲରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଉଛି। ଏହି ବୈଠକରେ ଓଡ଼ିଶାର ନିର୍ବାଚନ ପ୍ରଭାରୀ ଏବଂ ଅନ୍ୟ କେନ୍ଦ୍ରୀୟ ନେତା ବି ଉପସ୍ଥିତ ଥିଲେ। ତୃତୀୟ ବୈଠକରେ ଶ୍ରୀ ବଂଶଲ ରାଜ୍ୟ ବିଜେପି ନେତାଙ୍କ ଅସନ୍ତୋଷ ସଂପର୍କରେ ଶ୍ରୀ ଶାହଙ୍କୁ ଅବଗତ କରିଥିଲେ। ବିଜେପି ରାଜ୍ୟ ନେତା ବିଧାନସଭାର ଅନ୍ୟୂନ ୫୦ ଆସନ ଜିଦ୍ରେ ଅଟଳ ରହିଥିବା କୁହାଯାଇଥିଲା। କେବଳ ସେତିକି ନୁହେଁ, ଯେଉଁ ବିଧାନସଭା ଏବଂ ଲୋକସଭା ଆସନରେ ଦଳର ବିଧାୟକ ଓ ସାଂସଦ ଅଛନ୍ତି, ସେସବୁ ଯେମିତି ବିଜେପି ହାତରେ ରହେ, ସେ ନେଇ ରାଜ୍ୟ ନେତା ଦାବି ରଖିଥିବା ସଂପର୍କରେ ଶ୍ରୀ ବଂଶଲ ଜଣାଇଥିଲେ। ସେହିଭଳି ବିଜେପି ରାଜ୍ୟ ନେତା ବିଜେଡିକୁ ୧୦୦ ଆସନ ଦେବା ଆଲୋଚନାକୁ ବିରୋଧ କରୁଥିବା ଜଣାଇଥିଲେ। ଶ୍ରୀ ବଂଶଲ ଆହୁରି କହିଥିଲେ ଯେ ରାଜ୍ୟ ନେତାମାନେ ଦୃଢ଼ ଦାବି ରଖୁଛନ୍ତି ଯେ ଏକାକୀ ଲଢ଼ିଲେ ଓଡ଼ିଶାରେ ବିଜେପି ଭଲ କରିବ। ୨୦୦୦ରୁ ୨୦୦୯ ଓ ୨୦୦୯ରୁ ୨୦୧୯ ଯାଏ ପ୍ରତି ନିର୍ବାଚନର ପରିସଂଖ୍ୟାନ ରଖି ବିଜେପି କିଭଳି ଆଗକୁ ବଢ଼ୁଛି, ରାଜ୍ୟ ନେତାମାନେ ଦେଇଥିବା ଏ ସଂକ୍ରାନ୍ତ ରିପୋର୍ଟ କେନ୍ଦ୍ରୀୟ ନେତାଙ୍କୁ ଦିଆଯାଇଥିଲା।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ସମ୍ଭାବ୍ୟ ମେଣ୍ଟର ପ୍ରଭାବ ନେଇ ବିଜେପିର ଶୀର୍ଷସ୍ତରରେ ଏକ ସର୍ଭେ ଇତିମଧ୍ୟରେ କରାଯାଇଛି। ଏହି ରିପୋର୍ଟ ଉପରେ କେନ୍ଦ୍ରୀୟ ଶୀର୍ଷ ନେତୃତ୍ବ ଆଲୋଚନା ଚଳାଇଛନ୍ତି। ଏଣୁ ରାଜ୍ୟ ବିଜେପି ନେତାଙ୍କ ସହିତ ଅଧିକ ଆଲୋଚନା ନ କରି ସେମାନଙ୍କୁ ଆଜି ଓଡ଼ିଶା ଫେରିଯିବାକୁ ସଙ୍କେତ ମିଳିଛି। ସେପଟେ ଜାତୀୟ ଗଣମାଧ୍ୟମ ଆସନ୍ତାକାଲି ଅର୍ଥାତ୍ ଶନିବାର ମେଣ୍ଟର ସ୍ବରୂପ ନିର୍ଣ୍ଣୟ ହେବ ଓ ରବିବାର ସୁଦ୍ଧା ଘୋଷଣା ହେବ ବୋଲି ସୂଚନା ଦେଉଛନ୍ତି।
ଏକାକୀ ଲଢ଼ିବୁ: ମନମୋହନ
ଭୁବନେଶ୍ବର: ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ। ଉଭୟ ଲୋକସଭା ଓ ବିଧାନସଭାରେ ଦଳ ପ୍ରାର୍ଥୀ ଦେବ। ମେଣ୍ଟ ସମ୍ପର୍କରେ ଦିଲ୍ଲୀରେ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟରେ କିଭଳି ବିଜେପି ସରକାର ଗଠନ ହେବ ସେନେଇ କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଦିଲ୍ଲୀରୁ ଫେରି ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ପ୍ରସ୍ତୁତି ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପି କିଭଳି ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ସେନେଇ ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା ହୋଇଛି। ସେଥିପାଇଁ ଆମେ ଦିଲ୍ଲୀ ଯାଇଥିଲୁ। ମେଣ୍ଟ ହେବାର ନାହିଁ ବୋଲି ଆଗରୁ ସ୍ପଷ୍ଟ କରି ସାରିଛି। ଓଡ଼ିଶାରେ ସରକାର ଗଢ଼ିବୁ। ଏଥିସହ ଲୋକସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନରେ ବିଜୟୀ ହୋଇ କେନ୍ଦ୍ରରେ ସରକାର କରିବୁ।
[ad_2]