ଓଡ଼ିଶା କ୍ୟୁ ସ୍ପୋର୍ଟ୍ସକୁ ନେଇ ସ୍ବପ୍ନ – Kalinga News
[ad_1]
ଭୁବନେଶ୍ବର: ସଂଭ୍ରାନ୍ତ ଶ୍ରେଣୀୟ ଖେଳ ଭାବେ ପରିଚିତ କ୍ୟୁ ସ୍ପୋର୍ଟ୍ସ (ବିଲିୟାର୍ଡ୍ସ ଓ ସ୍ନୁକର) ଦିନେ ଓଡ଼ିଶା ଆଗରେ ରହିଥିଲା। ୧୯୯୫ରେ ଜାତୀୟ ପ୍ରତିଯୋଗିତା ଓ ୧୯୯୬ରେ ସୌଖୀନ ବିଲିୟାର୍ଡ୍ସ ବିଶ୍ବ ପ୍ରତିଯୋଗିତା ଆୟୋଜନ କରି ଏହି ଖେଳରେ ନିଜର ଦମ୍ ଦେଖାଇଥିଲା ଓଡ଼ିଶା। ଏହା ପରେ ଅର୍ଥ ଓ ଭିତ୍ତିଭୂମିର ଅଭାବ ଯୋଗୁଁ ଏହି ଖେଳ ରାଜ୍ୟରେ ଧିମା ପଡ଼ି ଯାଇଥିଲା। ଏବେ ପୁଣି ଥରେ ଏହି ଖେଳ ଓଡ଼ିଶାରେ ଆଗକୁ ବଢ଼ିବାର ରାହା ଦେଖୁଛି। ରାଜ୍ୟ ସରକାର ସହଯୋଗର ଓଡ଼ିଶା ବିଲିୟାର୍ଡ ସ୍ନୁକର ସଂଘ (ବିଏସ୍ଓଏ) ଅନେକ ସ୍ବପ୍ନ ଦେଖୁଛି। ତୃଣମୂଳସ୍ତରରେ ଏହି ଖେଳର ବିକାଶରେ ଲାଗି ପଡ଼ିଛି ବିଏସ୍ଓଏ। ତାରା ରଂଜନ ପଟ୍ଟନାୟକ ସଭାପତି ଏବଂ ସମୀର ଅଲ୍ଲୀ ସମ୍ପାଦକ ପଦ ନେବା ପରେ ଏହାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ସଂଘ। ରାଜ୍ୟରେ ପ୍ରଥମ ଥର ସରକାରଙ୍କ ସହଯୋଗରେ କ୍ୟୁ ସ୍ପୋର୍ଟ୍ସ ଏକାଡେମି ମଧ୍ୟ ହେବାକୁ ଯାଉଛି। ସଂଘ ମଧ୍ୟ ପ୍ରଥମ ଥର ପୁରସ୍କାର ରାଶି ବିଶିଷ୍ଟ ୬ରେଡ୍ ସ୍ନୁକର ପ୍ରତିଯୋଗିତା ଆୟୋଜନ କରି ଖେଳାଳିମାନଙ୍କୁ ଆକୃଷ୍ଟ କରିଛି। ଆଗକୁ ଏକାଧିକ ପ୍ରତିଯୋଗିତା ଆୟୋଜନ କରି ବର୍ଷ ତମାମ ଖେଳାଳିଙ୍କୁ ବାନ୍ଧି ରଖିବାର ଯୋଜନା କରୁଛି ବିଏସ୍ଓଏ। ସଂପ୍ରତି ଓଡ଼ିଶାର ଦୁଇ ଜଣ ସୁବ୍ରତ ଦାସ ଓ ଆଶୁତୋଷ ପାଢ଼ୀ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏମାନଙ୍କ ସହ ଅନେକ ଓଡ଼ିଆ ଖେଳାଳି ଜାତୀୟସ୍ତରରେ ମଧ୍ୟ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ପ୍ରଥମ ଥର ଜାତୀୟ କ୍ରୀଡ଼ାରେ ଏହି ଖେଳ ସାମିଲ ହୋଇଥିବା ବେଳେ ସୁବ୍ରତ ଓ ଆଶୁତୋଷ ରାଜ୍ୟରୁ ପ୍ରତିନିଧିତ୍ବ କରି ଚମତ୍କାର ପ୍ରଦର୍ଶନ ଦେଇଥିଲେ। ୨୦୩୦ ଏସୀୟ କ୍ରୀଡ଼ାକୁ ଏହା ଫେରିବାକୁ ଥିଲା ବେଳେ ୨୦୩୬ ଅଲିମ୍ପିକ୍ସରେ ସାମିଲ ହେବାର ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ୟୁ ସ୍ପୋର୍ଟ୍ସକୁ ଆଗକୁ ନେବାକୁ ଆମର କାର୍ଯ୍ୟ ଜୋର୍ଦାର ଚାଲିଛି। ଖେଳାଳିଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଥମ ଥର ଲାଗି ପୁରସ୍କାର ରାଶି ବିଶିଷ୍ଟ ୬ରେଡ୍ ସ୍ନୁକର ପ୍ରତିଯୋଗିତା ଆୟୋଜନ କରୁଛି। ଏହି ପୁରସ୍କାର ରାଶି ମୁଁ ଭାବୁଛି ନିଶ୍ଚିତ ଖେଳାଳିମାନଙ୍କୁ ସହଯୋଗ କରିବ। ସ୍କୁଲ୍ସ୍ତରରେ ଏହାକୁ ବଢ଼ାଇବାକୁ ଆମର ଯୋଜନା ରହିଛି। ଏବେ ଆମେ କିଛି ସ୍କୁଲ୍ ସହ କଥା ବାର୍ତ୍ତା କରିଛୁ ଗ୍ରୀଷ୍ମ ଶିବିର ଆୟୋଜନ କରି ପିଲାମାନଙ୍କୁ ପ୍ରଶିକ୍ଷଣ ଦେବୁ। ଫଳରେ ଆଗାମୀ ଦିନରେ ଯୁବପିଢ଼ି ଏହି ଖେଳପ୍ରତି ଆଗ୍ରହ ଦେଖାଇବେ। ସୁବ୍ରତ ଓ ଆଶୁତୋଷଙ୍କୁ ଦେଖି ଅନ୍ୟମାନେ ଏହି ଖେଳରେ ସୁଯୋଗ ଥିବା ଜାଣିପାରିବେ। ଆମେ ଶୀଘ୍ର ଏକାଡେମି କରିବାକୁ ଯାଉଛୁ। ଯାହା ଭୁବନେଶ୍ବରରେ ହେବ। ଆଗାମୀ ଦିନରେ କଟକ, ରାଉରକେଲା ଓ ବ୍ରହ୍ମପୁରରେ ମଧ୍ୟ କରିବୁ। ଯାହା ଦ୍ବାରା କମ୍ ପଇସାରେ ଖେଳାଳିମାନେ ଅଭ୍ୟାସ ସୁଯୋଗ ପାଇପାରିବେ ବୋଲି କହିଛନ୍ତି ବିଏସ୍ଓଏ ସମ୍ପାଦକ ସମୀର ଅଲ୍ଲୀ।
ଅନ୍ତର୍ଜାତୀୟ ଖେଳାଳି ସୁବ୍ରତ ଦାସ କହିଛନ୍ତି, ଆଗାମୀ ଦିନରେ କ୍ୟୁ ସ୍ପୋର୍ଟ୍ସ ରାଜ୍ୟରେ ନୂଆ ସଂସ୍କୃତି ତିଆରି କରିବ। କ୍ୟୁ ସ୍ପୋର୍ଟ୍ସ ଏକ ଖର୍ଚ୍ଚାନ୍ତ ଖେଳ। ତେଣୁ ଧନୀଶ୍ରେଣୀୟ ନହେଲେ ଖେଳିବାର ଆଶା କମ୍। ଓଡ଼ିଶାର ବିଭିନ୍ନ କ୍ଲବ୍ ଯେପରିକି ଓଡ଼ିଶାର ବଡ଼ ବଡ଼ ସହରର କ୍ଲବ୍ ସହ କିଛି ଘରୋଇ ପାର୍ଲରରେ ସଂପ୍ରତି ଏହି ଖେଳ ଖେଳାଯାଉଛି। ଘରୋଇ ପାର୍ଲରଗୁଡ଼ିକ ପ୍ରତି ଘଣ୍ଟାକୁ ୨୦୦ରୁ ୩୦୦ ଟଙ୍କା ନିଅନ୍ତି। ଅନ୍ୟପକ୍ଷରେ ଏହି ଖେଳ ଲାଗି ଆବଶ୍ୟକ ଥିବା ଟେବୁଲର ଦାମ୍ ୪ ଲକ୍ଷରୁ ଅଧିକ ଏବଂ ଷ୍ଟିକ୍ର ଦାମ୍ ୪ ହଜାରରୁ ଅଧିକ। ଏହି ଖେଳକୁ ସାଧାରଣ ଲୋକ ଖେଳିବା ସମ୍ଭବ ହୁଏନି। କିନ୍ତୁ ଏବେ ସାଧାରଣ ଲୋକ ବି ଏହି ଖେଳ ଖେଳିପାରିବ। ଏଥିପାଇଁ କାମ କରୁଛି ବିଏସ୍ଓଏ। ଗତ ୧୫ ବର୍ଷ ହେବ ଏହି ଖେଳ ଟିକେ ରାଜ୍ୟରେ ଧୀମା ପଡ଼ିଯାଇଥିଲା। ଏବେ ନୂଆ ସଭାପତି, ସମ୍ପାଦକ ଆସିବା ପରେ ଏହି ଖେଳ ଆଗକୁ ବଢ଼ିଛି। ଆଶୁତୋଷ ଓ ମୁଁ ଅନ୍ତର୍ଜାତୀୟ ଖେଳିଛୁ। ସଂଘ ଯେପରି କାମ କରୁଛି ନିଶ୍ଚିତ ଆଗକୁ ଏକାଧିକ ଅନ୍ତର୍ଜାତୀୟ ଖେଳାଳି ଓଡ଼ିଶାରୁ ବାହାରିବେ। ଆମ ଅନ୍ତର୍ଜାତୀୟ ଯାତ୍ରାରେ ରାଜ୍ୟ ସରକାର ବହୁତ ସହଯୋଗ କରିଛନ୍ତି।
ଭାରତର ମାଡ୍ରାସ ଓ ଜବଲପୁରରେ କ୍ୟୁ ସ୍ପୋର୍ଟ୍ସକୁ ଇଂରେଜମାନେ ଆରମ୍ଭ କରିଥିଲେ। ଏବେ ଚୀନ୍, ୟୁକେ ଏହି ଖେଳରେ ବହୁ ଆଗରେ ରହିଛି। ଆମେ ଏହି ଖେଳକୁ ଆଗକୁ ନେବାକୁ ଅଣ୍ଟା ଭିଡ଼ିଛୁ। ରାଜ୍ୟ ସରକାର ଆମକୁ ଖଣ୍ଡେ ଜାଗା ଓ ୫-୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଲେ ମୁଁ ଭାବୁଛି ଓଡ଼ିଶା କ୍ୟୁ ସ୍ପୋର୍ଟ୍ସର ହବ୍ ପାଲଟିଯିବ। ବ୍ୟୟବହୁଳ ଖେଳ ହୋଇଥିବାରୁ ଧନୀ ଶ୍ରେଣୀୟ ନହେଲେ ଏହି ଖେଳକୁ ଆସିପାରିବେନି। ସରକାରଙ୍କ ସହ ବିଭିନ୍ନ ଶିଳ୍ପାନୁଷ୍ଠାନ ସହଯୋଗ ରହିଲେ ଆଗ୍ରହୀ ଖେଳାଳି ଏହି ଖେଳକୁ ନିଜର ପେସା କରିପାରିବେ। ଆମେ ସେଥିପାଇଁ କାମ କରୁଛୁ। ଆଗାମୀ ଦିନରେ ବିଏସ୍ଓଏ ଏକାଡେମି କରିବାକୁ ଚିନ୍ତା କରିଛି। ଏକାଡେମିରେ ଆମେ କିଛି ଟଙ୍କା ନେଇ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇପାରିବୁ ବୋଲି କହିଛନ୍ତି ବିଏସ୍ଓଏ ପ୍ରତିଯୋଗିତା ନିର୍ଦେଶକ ଗୋବିନ୍ଦ ଶର୍ମା।
[ad_2]