ରାଜନୀତି

ବିଜେପି ନେତା ବିଜୟ ମହାପାତ୍ରଙ୍କୁ ନେଇ ରାଜନୀତିରେ ଚର୍ଚ୍ଚା; ବିଜେଡିରୁ ଲଢିପାରନ୍ତି ପୁଅ ଅରବିନ୍ଦ, ପୁଅ ପାଇଁ ବାପା ଛାଡିପାରନ୍ତି ରାଜନୀତି

କେନ୍ଦ୍ରାପଡ଼ା: ରାଜ୍ୟ ରାଜନୀତିରେ ହଟଚମଟ । ବାପ ବିଜେପି ନେତା କିନ୍ତୁ ପୁଅ ଲଢିବେ ବିରୋଧୀ ଦଳ ବିଜେଡିରୁ । ଏନେଇ ବିଭିନ୍ନ ସ୍ଥାନରେ ଅନୁଗତଙ୍କ ସହ ବୈଠକ କରି ମତ ଲୋଡୁଛନ୍ତି ବାପା । ଯାହାକୁ ନେଇ ବର୍ତ୍ତମାନ ଚାଲିଛି ସବୁଠି ଚର୍ଚ୍ଚା । ପୁଅକୁ ସମର୍ଥନ ଦେବେ ନାଁ ଦଳ ପାଇଁ ସଚୋଟ୍ ରହିବେ । ଏହାକୁ ନେଇ ଚାଲିଛି ଅଙ୍କ କସା । ସାଧାରଣ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସେତେ ସରଗରମ ହେଉଛି । ନିର୍ବାଚନର ନଦୀ ପାର ହେବା ପାଇଁ ନେତାମାନେ ଆପଣଉଛନ୍ତି ଅନେକ କୌଶଳ । କିଏ ଦଳ ବଦଳାଇଲାଣି ତ ଆଉ କିଏ ମିଶ୍ରଣ ପର୍ବ ଆରମ୍ଭ କଲାଣି । କିନ୍ତୁ ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ଯାହାକି ରାଜ୍ୟ ରାଜନିତିରେ ହଟଚମଟ ସୃଷ୍ଟି କରିଛି । ଏଥିସହିତ କେନ୍ଦ୍ରାପଡା ରାଜନୀତିକୁ ମଧ୍ୟ ଏହା ଆହୁରି ଉଷ୍ମ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ପାଟକୁରା ଆସନରୁ ପ୍ରାର୍ଥୀ ହୋଇପାରନ୍ତି । ଯାହାକୁ ନେଇ ଏବେ ଚାଲିଛି ସବୁଠି ଆଲୋଚନା । ତେବେ କଂଗ୍ରେସ ନେତା ଅଂଶୁମାନଙ୍କ ପରେ ବର୍ତ୍ତମାନ ବିଜେପିର ଭେଟନାର ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଗୋଟି ଚାଳନାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ନିର୍ବାଚନରେ ବିଜୟଙ୍କ ରାଜନିତି ରଥ କେଉଁ ଦିଗକୁ ଗଡୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।  ଚଳିତ ବର୍ଷ ନିର୍ବାଚନରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କ ପୁଅ ଅରବିନ୍ଦଙ୍କ ଥଇଥାନ ପାଇଁ ବେଶି ଚିନ୍ତିତ ଥିବା ଜଣାପଡୁଛନ୍ତି ।

ତେବେ କେନ୍ଦ୍ରାପଡାରେ ଦୀର୍ଘବର୍ଷ ହେବ ବିଜୟଙ୍କୁ ନିର୍ବାଚନୀ ବିଜୟର ସ୍ବାଦ ମିଳିନି ସତ, କିନ୍ତୁ ନିର୍ବାଚନୀ ଗଣିତ ଏପଟସେପଟ କରିବାର ଯଥେଷ୍ଟ କ୍ଷମତା ରହିଛି ବିଜୟଙ୍କ ପାଖରେ । କୁହାଯାଉଛି ଯେ, ଏଥର ନିର୍ବାଚନରେ ନିଜ ପାଇଁ ନୁହେଁ ବରଂ ପୁଅ ଅରବିନ୍ଦ ମହାପାତ୍ରଙ୍କ ପାଇଁ ଗୋଟି ଚାଳନାରେ ଲାଗି ପଡ଼ିଛନ୍ତି ବିଜୟ । ପୁଅ ପାଇଁ ସେ ଚଳିତ ବର୍ଷ ନିର୍ବାଚନ ମୈଦାନରୁ ଦୂରେଇ ରହିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୁଅ ଅରବିନ୍ଦ ବିଜେପି ଟିକେଟରୁ ମହାକାଳପଡ଼ା କିମ୍ବା ପାଟକୁରାରୁ ଲଢ଼ି ପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା, । କିନ୍ତୁ ବେଶ୍ କିଛି ଦିନ ହେବ ଏହି ସମୀକରଣ ପୂରା ବଦଳିଯାଇଥିବା କେନ୍ଦ୍ରାପଡ଼ା ରାଜନୈତିକ ମହଲରେ ଆଲୋଚନା ଚାଲିଛି । ବିଜେପି ନୁହେଁ, ବରଂ ପୁଅ ଅରବିନ୍ଦଙ୍କୁ ବିଜେଡିରୁ ପ୍ରାର୍ଥୀ କରିବା ପାଇଁ କାଳେ ମନ ବଳାଇଛନ୍ତି ବିଜୟ । ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜୟଙ୍କ ବର୍ତ୍ତମାନର ରାଜନୈତିକ କାର୍ଯ୍ୟକଳାପ । କେନ୍ଦ୍ରାପଡ଼ା ସହ ପଡ଼ୋଶୀ ଜିଲ୍ଲାର କିଛି ସ୍ଥାନରେ ବିଜୟ ଅନୁଗାମୀ ଓ ସମର୍ଥକଙ୍କ ସହ ଘନ ଘନ ବୈଠକ କରୁଥିବା ଦେଖିବାକୁ ମିଳିଛି । ସମର୍ଥକମାନଙ୍କ ପରାମର୍ଶ ନେଇ ପୁଅ ପାଇଁ ବାପା ବିଜୟ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବୋଲି କୁହାଯାଉଛି ।

ରାଜ୍ୟ ରାଜନୀତିରେ ବିଜୟଙ୍କ କ୍ୟାରିଅର ବେଶ ଲମ୍ବା ଓ ସଂଘର୍ଷପୂର୍ଣ୍ଣ। ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିବା ବିଜୟଙ୍କ ପାଇଁ ୧୯୮୦ ମସିହା ପାଟକୁରା ଉପ ନିର୍ବାଚନ ଥିଲା ଟର୍ଣ୍ଣିଂ ପଏଣ୍ଟ । ୧୯୮୦ରେ ପାଟକୁରା ଆସନରୁ ଜିତିବା ପରେ କ୍ରମାଗତ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ବିଜୟ । ବିଜୁ ବାବୁଙ୍କ ଅନୁଗତ ଭାବେ ପରିଚିତ ବିଜୟ ସେତେବେଳେ ରାଜ୍ୟ ମନ୍ତ୍ରିମଣ୍ଡଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ତୁଲାଇଥିଲେ । କିନ୍ତୁ ୨୦୦୦ ମସିହାରେ ବିଜୟଙ୍କୁ ଟିକେଟ ନ ମିଳିବାରୁ ତାଙ୍କ କ୍ୟାରିଅରରେ ସତେ ଯେମିତି ଗ୍ରହଣ ଲାଗି ଯାଇଥିଲା । ତାପରେ ସେ ବିଜେଡିଠାରୁ ଅଲଗା ହୋଇ ଓଜିପି ଗଠନ କରିଥିଲେ । କିନ୍ତୁ ସେଥିରେ ମଧ୍ୟ ସେ ସଫଳ ହୋଇ ନ ଥିଲେ । ୨୦୦୪ରୁ ୨୦୧୯ ଲଗାତର ୪ ଥର ବିଜୟଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା । ତେଣୁ ଚଳିତ ନିର୍ବାଚନରେ ଉଚ୍ଚଶିକ୍ଷିତ ପୁଅ ଅରବିନ୍ଦଙ୍କୁ ସଫଳତାର ସ୍ବାଦ ଚଖାଇବା ପାଇଁ ରଣକୌଶଳ ପ୍ରସ୍ତୁତ କରୁଛନ୍ତି ବିଜୟ ।

Related Articles

Leave a Reply

Your email address will not be published. Required fields are marked *

Back to top button