ରାଜନୀତି

କନ୍ଧମାଳ ଲୋକସଭା: ଆମଦାନୀ ନେତାଙ୍କୁ ନା’ – Kalinga News

[ad_1]

ଫୁଲବାଣୀ: କନ୍ଧମାଳ ଲୋକସଭା ଆସନରେ ବିଜେପିର ବାରମ୍ବାର ପରାଜୟ ଓ ଏହା ପଛର କାରଣ ନେଇ କନ୍ଧମାଳ ଜିଲ୍ଲା ବିଜେପି ଶିବିରରେ ମାନସମନ୍ଥନ ଚାଲିଛି। କନ୍ଧମାଳ ଜିଲ୍ଲା ବାହାରୁ ସାଂସଦ ପ୍ରାର୍ଥୀ ପ୍ରଥାକୁ ବିରୋଧ କରି ଜିଲ୍ଲାର ଶତାଧିକ ଛାମୁଆ ବିଜେପି କର୍ମୀ ଓ ନେତା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏକ ଗୁପ୍ତ ଚିଠି ଲେଖିଛନ୍ତି।

ବିଜେପି-ବିଜେଡି ମେଣ୍ଟ ଶାସନରେ କନ୍ଧମାଳ ‌ଲୋକସଭା ଆସନଟି ବିଜେଡି ଭାଗରେ ଥିଲା। ୨୦୦୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏଠାରେ ବିଜେପି ଲୋକସଭା ପ୍ରାର୍ଥୀ ଦେଉ ନଥିଲା। କିନ୍ତୁ ମେଣ୍ଟ ଭାଙ୍ଗିବା ପ‌ରଠୁ ବିଜେପି ନିୟମିତ ପ୍ରାର୍ଥୀ ଦେଇ ହାରୁଛି। ବାହାର ଅଞ୍ଚଳର ନେତାଙ୍କୁ ପ୍ରାର୍ଥୀ କରାଯିବା ଏହା ପଛର କାରଣ ବୋଲି ସ୍ଥାନୀୟ ନେତୃବୃନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ୧୯୯୬ ମସିହାରେ କନ୍ଧମାଳ ଲୋକସଭା ଆସନ ପାଇଁ ବିଜେପି ସଞ୍ଜିତ ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା। ମାତ୍ର ୬୬ ହଜାର ଭୋଟ ପାଇବାକୁ ସକ୍ଷମ ହୋଇଥିଲା। ଏହାପରେ ମେଣ୍ଟ ‌ଯୋଗୁଁ ୨୦୦୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ଏଠାରୁ ପ୍ରାର୍ଥୀ କରିପାରି ନଥିଲା। ୨୦୦୯ରେ ବିଜେପି ଅଶୋକ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ସେହିଭଳି ୨୦୧୪ରେ ବିଜେପି ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା। ସେବର୍ଷ ମୋଦୀଙ୍କ ହାଵା ପ୍ରବଳ ଥାଇ ବି ବିଜେପି ସଫଳ ହୋଇପାରିଲା ନାହିଁ। ୨୦୧୪ରେ ସାଂସଦ ହେମେନ୍ଦ୍ର ସିଂଙ୍କ ପରଲୋକ ପରେ ଉପନିର୍ବାଚନରେ ବିଜେପି ରୁଦ୍ର ମାଧବ ରାୟଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ହାରିଥିଲେ। ୨୦୧୯ରେ ବିଜେପି ଖାରବେଳ ସ୍ବାଇଁଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ବି ପରାଜିତ ହେଲେ।

କନ୍ଧମାଳ ଲୋକସଭା ପାଇଁ ବିଜେପିରୁ ଆଶାୟୀ ପ୍ରାର୍ଥୀଙ୍କର ତାଲିକା ଲମ୍ବି ଚାଲିଛି। ଆର୍‌ଏସ୍‌ଏସ୍‌ରୁ ଆସିଥିବା ପ୍ରଣବ ନାୟକ, ବିଜେପି ନେତା ରମେଶ ଚନ୍ଦ୍ର ମହାନ୍ତି (ବନଭାଇ)ଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିଭଳି ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ନୟାଗଡ଼ର ନେତା ସୁକାନ୍ତ ପାଣିଗ୍ରାହୀ ଏବଂ ବୌଦ୍ଧ ଜିଲ୍ଲାର ‌ବିଜେପି ନେତା ଶିଶିର କୁମାର ଘୋଷଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ମଙ୍ଗଳା ପ୍ରାର୍ଥୀ ହେବେ ନା ପରିବାରକୁ ବାଟ ଛାଡ଼ିବେ?

ରାଜଗାଙ୍ଗପୁର: ୨୦୨୪ରେ ହେବାକୁ ଥିବା ବିଧ‌ାନସଭା ନିର୍ବାଚନରେ ରାଜଗାଙ୍ଗପୁର ଆସନ ପାଇଁ ପୂର୍ବତନ ବିଧାୟକ ମଙ୍ଗଳା କିଷାନ ନାମାଙ୍କନପତ୍ର ଦାଖଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ମଙ୍ଗଳା। ଯଦି ଦଳ ତାଙ୍କୁ ଟିକଟ ନ ଦିଏ ‌ତେବେ ସେ ସ୍ବାଧୀନ ଭାବେ ପ୍ରାର୍ଥୀହେବା ପାଇଁ ପଛାଇବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି।ଶ୍ରୀ କିଷାନ ୧୯୮୫ରୁ କ୍ରମାଗତ ୪ ଥର ରାଜଗାଙ୍ଗପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ମସିହାରେ କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରି ମିଞ୍ଜଙ୍କଠାରୁ ପରାସ୍ତ ହେବା ପରେ ଦଳ ତାଙ୍କୁ ଏସ୍‌ସିଏସ୍‌ଟି ମୋର୍ଚ୍ଚା ଅଧ୍ୟକ୍ଷ କରିଥିଲା। ତା’ପରେ ତାଙ୍କୁ ୬ ବର୍ଷ ପାଇଁ ରାଜ୍ୟସଭାକୁ ପଠାଇଥିଲା। ୨୦୦୯ରେ ଦଳ ମଙ୍ଗଳାଙ୍କୁ ପ୍ରାର୍ଥୀ ନକରି ବେନେଡିକ୍‌ ତିର୍କୀଙ୍କୁ ପ୍ରାର୍ଥୀ କରିବା ଦ୍ବାରା ରାଜଗାଙ୍ଗପୁର ଆସନଟି କଂଗ୍ରେସ ନିକଟକୁ ଚାଲି ଯାଇଥିଲା। ଏସବୁ ସତ୍ତ୍ବେ ବିଜେଡିରେ ମଙ୍ଗଳାଙ୍କୁ ଅଧିକାଂଶ ସମୟରେ ଗୁରୁଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ଦଳର ଜିଲ୍ଲା ସଭାପତି ଓ ରାଜ୍ୟ ଉପସଭାପତି କରିଛନ୍ତି ମୁଖିଆ। ୨୦୧୯ ନିର୍ବାଚନରେ ମଙ୍ଗଳା ମାତ୍ର ୮୪୫ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ। ଏବେ ଦଳ ତାଙ୍କ ପରିବାର ଲୋକଙ୍କୁ ଟିକେଟ୍‌ ଦେବା ପାଇଁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ମଙ୍ଗଳାଙ୍କ ବ୍ୟତୀତ ପରିବାରଲୋକଙ୍କୁ ଟିକେଟ୍‌ ଦେବା କଥାକୁ ଦଳର କର୍ମକର୍ତ୍ତା ସ୍ବାଗତ କରୁଛନ୍ତି। ହେଲେ ଦଳରୁ ନିଲମ୍ବିତ ଯୁବନେତାଙ୍କୁ ଶ୍ରୀ କିଷାନ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରୁଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button