ରାଜନୀତି

କାହା ମୁଣ୍ଡରେ କଳସ ଢାଳିବେ ବିଜେଡି ସୁପ୍ରିମୋ; ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ୍

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଆଉ କିଛି ଦିନର ଅପେକ୍ଷା ପରେ ଘୋଷଣା ହେବ ନିର୍ବାଚନ ତାରିଖ । ଏହା ପୂର୍ବରୁ ବିଭିନ୍ନ ଦଳରେ ଦେଖିବାକୁ ମିଳିଛି ଜେରଦାର ପ୍ରତିଦ୍ୱନ୍ଦିତା । ନିଜ ଦଳକୁ ଜିତାଇବା ପାଇଁ ଚାଲିଛି ପ୍ରସ୍ତୁତି । କିନ୍ତୁ ଏହିସବୁ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହାକି ରାଜ୍ୟ ରାଜନିତିକୁ ଉଷ୍ମ କରିବାର ଖୋରାକ ଯୋଗାଉଛି । ନିର୍ବାଚନକୁ ନେଇ କଂଗ୍ରେସ ଦଳରେ ଅନେକ ଆଶାୟୀ ରହିଥିବା ପୂର୍ବରୁ ସୂଚନା ମିଳିଥିବା ବେଳେ ବର୍ତ୍ତମାନ ବିଜେଡିରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗିଛି । ବର୍ତ୍ତମାନ ଯାଏଁ ପ୍ରାୟ ୧୦ ହଜାରରୁ ଅଧିକ ଆବେଦନ ପତ୍ର ହସ୍ତଗତ ହୋଇଛି । ଏନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଡରେ ଯେଉଁ ପୋଷ୍ଟ ହୋଇଛି ସେଥିରେ ଉଲ୍ଲେଖ ଅଛି ଯେ ଆବେଦନକାରୀଙ୍କ ମଧ୍ୟରେ ଜାତୀୟ ରାଜନୈତିକ ଦଳର ନେତା ଏବଂ ଅନେକ ପେଶାଦାର ବ୍ୟକ୍ତି ରହିଛନ୍ତି । ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ପଂଚାୟତ ନିର୍ବାଚନ ଭଳି ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ପୁଣିଥରେ ବିଜୟୀ ହେବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ସରକାର ଗଢିବେ ବୋଲି ପ୍ରଣବ ଦାବି କରିଛନ୍ତି । ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ୍ ହାର ସାଂଗକୁ ୩୦ରୁ ୩୦ ଜିଲ୍ଲା ପରିଷଦରେ ଜିତିଥିଲା ବିଜୁ ଜନତା ଦଳ । ଏବଂ ରାଜ୍ୟରେ ବିଜେଡି ଏକ ନମ୍ବର ରାଜନୈତିକ ଦଳ ହୋଇଛି ବୋଲି ସେ କହିଛନ୍ତି ।

କିଛି ଦିନ ପୂର୍ବରୁ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଗମନ ଆପ୍ ଜରିଆରେ ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ଆହ୍ୱାନ କରିଥିଲେ । ତେବେ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ୭୦ ପ୍ରାର୍ଥୀଙ୍କ ପାଇଁ ତାଲିକା ପ୍ରକାଶ କରିବ ବୋଲି ରାଜ୍ୟ କଂଗ୍ରେସ ଆଶା ରଖିଥିବା ବେଳେ ବର୍ତ୍ତମାନ ବିଜେଡିର ସାଂଗଠନିକ ସମ୍ପାଦକ ଆଶାୟୀଙ୍କ ବାବଦରେ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button