ରାଜନୀତି

ବିଜେପିରେ ମିଶିଲେ ଦେବାଶିଷ ନାୟକ: ନିହାର ମହାନନ୍ଦ ବି ମିଶିଲେ – Kalinga News

[ad_1]

ଭୁବନେଶ୍ବର: ବିଜେଡି ନେତା ତଥା ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟ ନେତାଙ୍କୁ ଦଳକୁ ସ୍ବାଗତ କରିଥିଲେ।

ଦେବାଶିଷ ନାୟକଙ୍କ ବି‌ଜେଡିରୁ ଇସ୍ତଫା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏକଦା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଥିଲେ ଦେବାଶିଷ। ନବୀନ କେନ୍ଦ୍ର ମନ୍ତ୍ରୀ ଥିଲା ବେଳେ ସେ ତାଙ୍କ ଓଏସ୍‌ଡି ଭାବେ କାର୍ଯ୍ୟ କରୁଥି‌ଲେ। ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେଡି ଟିକେଟ୍‌ରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ। ୨୦୧୧ ମସିହାରେ ସେ ତତ୍‌କାଳୀନ କ୍ଷମତାକେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିବା ସହ ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରିଥିଲେ। ଫଳରେ ତାଙ୍କୁ ବିଜେଡିରୁ ନିଲମ୍ବିତ ହେବାକୁ ପଡ଼ିଥିଲା। ୨୦୧୨ ମସିହାରେ ନବୀନ ତାଙ୍କୁ ପୁଣି ଦଳକୁ ଫେରାଇ ଆଣିଥିଲେ। ୨୦୧୪ ମସିହାରେ ତାଙ୍କୁ ବିଜେଡି ପୁନର୍ବାର ଟିକେଟ୍‌ ଦେଲା ଓ ସେ ବିଜୟୀ ହୋଇଥିଲେ। ତେବେ ୨୦୧୯ରେ ଦେବାଶିଷଙ୍କୁ ଆଉ ଦଳ ଭରସା କଲା ନାହିଁ। ବରୀରେ ତାଙ୍କ ଟିକେଟ୍‌ କାଟି ଦିଆଗଲା। ତାହା ପରଠାରୁ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଦେବାଶିଷଙ୍କୁ ଆଉ ଦେଖିବାକୁ ମିଳୁ ନାହିଁ। ଆଜି ଶ୍ରୀ ନାୟକ ବିଜେଡି ସଭାପତିଙ୍କୁ ଚିଠି ‌ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ମିଶିଲା ପରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ବିଜେଡି ସେବେକାର ବିଜେଡି ଆଉ ନାହିଁ। ନିର୍ଦ୍ଦିଷ୍ଟ କୋଟେରି ଦ୍ୱାରା ଦଳ ପରିଚାଳିତ ହେଉଛି। ଲୋକଙ୍କ ଆସ୍ଥା ହରାଇଥିବା ଏହି ଦଳ ଆଗାମୀ ନିର୍ବାଚନରେ ପରାଜୟ ବରଣ କରିବ।

ବିଜେପିରେ ମିଶିଥିବା ନିହାର ମହାନନ୍ଦ ୨୦୦୯ରୁ ୨୦୧୪ ଯାଏ ଅତାବିରା ବିଧାୟକ ଥିଲେ। ସେ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ବିଜୁ ମହିଳା ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ଜେନା ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ଡୁମାଣି ଖବରର ମୁଖ୍ୟ ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ, ଆଇନଜୀବୀ ଦୀପକ କୁମାର ସାହୁ, ଲାଞ୍ଜିଗଡ଼ର କଂଗ୍ରେସ ନେତା ଚାଞ୍ଚେରୀ ମାଝୀ, ଜଗତସିଂହପୁର ଜିଲ୍ଲାର ଅବସରପ୍ରାପ୍ତ ପ୍ରଶାସକ କୁଳମଣି ବିଶ୍ବାଳ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସହ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ସବୁ ନେତାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button