ରାଜନୈତିକ ପରିବାରରେ ବିବାଦ: ଶାଶୂ-ବୋହୂ, ଶ୍ବଶୁର-ଜ୍ବାଇଁ, ବାପା-ପୁଅ, ଦାଦା-ପୁତୁରା – Kalinga News

[ad_1]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ପାୱାର ପରିବାରରେ ବିବାଦ ଏବେ ଭୟଙ୍କର ରୂପ ଧାରଣ କରିଛି। ଏନ୍ସିପି ମୁଖ୍ୟ ତଥା ଏହାର ପ୍ରତିଷ୍ଠାତା ଶରଦ ପାୱାରଙ୍କ ଠାରୁ ଦଳ, ସଙ୍କେତ, ବିଧାୟକ ଓ ସାଂସଦଙ୍କୁ ଛଡ଼ାଇ ନେଇଛନ୍ତିି ତାଙ୍କର ପୁତୁରା ଅଜିତ ପାୱାର। ଏହି କଥା ସୁପ୍ରିମ କୋର୍ଟରେ ଯାଇ ପହଞ୍ଚିଲାଣି। ଗୋଟିଏ ପଟେ ଶରଦ ପାୱାରଙ୍କ ସହିତ ତାଙ୍କର ସାଂସଦ ଝିଅ ଥିବା ବେଳେ ଅନ୍ୟପଟେ ରହିଛନ୍ତି ତାଙ୍କର ପୁତୁରା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ଉଭୟ ଦାଦା ଓ ପୁତୁରା ନିଜ ନିଜ ସପକ୍ଷରେ ଦଳର ଅଧିକ ବିଧାୟକ/ସାଂସଦ ଥିବା ଦାବି କରୁଥିବା ବେଳେ ନିର୍ବାଚନ କମିସନ ଅଜିତଙ୍କ ଦଳ ପ୍ରକୃତ ଏନ୍ସିପି ବୋଲି କହିଛନ୍ତି। ରାଜ୍ୟ ବିଧାନସଭାର ବାଚସ୍ପତି ମଧ୍ୟ ଅଜିତଙ୍କ ସପକ୍ଷରେ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି। ଏହାକୁ ନେଇ ଅସହାୟ ହୋଇପଡ଼ିଥିବା ଶରଦ ପାୱାର ଏବେ ସୁପ୍ରିମ କୋର୍ଟଙ୍କର ଆଶ୍ରୟ ନେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଭାରତରେ ରାଜେନୖତିକ ପରିବାରରେ ଏଭଳି ବିବାଦ ନୂଆ କଥା ନୁହେଁ। ଉତ୍ତର ଭାରତରୁ ଆରମ୍ଭ କରି ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଏଭଳି ବିବାଦ ଲାଗି ରହିଛି। ତାମିଲନାଡୁରେ କରୁଣାନିଧି ପରିବାର, ପଞ୍ଜାବରେ ବାଦଲ ପରିବାର, ହରିଆଣାରେ ଚୌତାଲା ପରିବାର, ବିହାରରେ ପାଶ୍ବାନ ପରିବାର ଏବଂ ମହାରାଷ୍ଟ୍ରରେ ଠାକରେ ପରିବାର ଏଭଳି ବିବାଦରୁ ମୁକୁଳି ପାରିନାହାନ୍ତି। ତେବେ ଯେଉଁ ପରିବାର ବିବାଦ ଜାତୀୟ ରାଜନୀତିରେ ସବୁଠାରୁ ବେଶି ଚର୍ଚ୍ଚିତ ଥିଲା ତାହା ଥିଲା ଗାନ୍ଧୀ ପରିବାର। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଂଜୟ ଗାନ୍ଧୀ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହାପରେ ପରିବାର ଭିତରେ ସଂଜୟଙ୍କ ପତ୍ନୀ ମେନକା ଗାନ୍ଧୀଙ୍କ ବିଦ୍ରୋହ ହଟଚମଟ ସୃଷ୍ଟି କରିଥିଲା। ସେ ନିଜର ପୁଅ ବରୁଣଙ୍କ ସହିତ ଗାନ୍ଧୀ ପରିବାର ଛାଡ଼ିଥିଲେ। ୧୯୮୮ରେ ସଂଜୟ ବିଚାର ମଞ୍ଚ ନାମରେ ଏକ ସଂଗଠନ କରି ୧୯୮୮ରେ ଜନତା ଦଳରେ ମିଶିଯାଇଥିଲେ। ୨୦୦୪ରେ ସେ ଓ ପୁଅ ବରୁଣ ବିଜେପିେର ଯୋଗ ଦେଇଥିଲେ। ବିଜେପି ସରକାରରେ ସେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବେଳେ ବରୁଣ ସାଂସଦ ହୋଇଥିଲେ।
ଉତ୍ତର ପ୍ରଦେଶରେ ଯାଦବ ପରିବାରରେ ଝଡ଼ ମଧ୍ୟ କିଛି କମ୍ ନଥିଲା। ସମାଜବାଦୀ ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ଅଖିଳେଶ ଯାଦବଙ୍କ ମଧ୍ୟରେ ଝଗଡ଼ା ଏମିତି ସ୍ତରରେ ପହଞ୍ଚିଲା ଯେ ଏହି ଦଳ କ୍ଷମତାଚ୍ୟୁତ ହୋଇଥିଲା। ଦଳରେ ବିଭାଜନ ହୋଇନଥିଲେ ମଧ୍ୟ ସଂଗଠନ ଉପରେ ନିଜର କତୃର୍ତ୍ବ ଜାହିର ପାଇଁ ବାପା-ପୁଅ ଲଢ଼େଲ ଲାଗିଥିଲା। ଗୋଟିଏ ପଟେ ଥିଲେ ମୁଲାୟମ ଏବଂ ତାଙ୍କ ଭାଇ ଶିବପାଲ ଯାଦବ। ଅନ୍ୟପଟେ ଥିଲେ ଅଖିଳେଶ ଏବଂ ମୁଲାୟମଙ୍କ ଆଉ ଜଣେ ଭାଇ ରାମ ଗୋପାଳ ଯାଦବ। ଅଖିଳେଶ ମୁଖ୍ୟମନ୍ତ୍ରୀ ଥିବା ବେେଳ ୨୦୧୬ରେ ଏହି ବିବାଦ ଚରମ ସୀମାରେ ପହଂଚିଥିଲା। ମୁଲାୟମ ତାଙ୍କ ପୁଅ ଅଖିଳେଶ ଏବଂ ରାମଗୋପାଳଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରିଥିଲେ। କିନ୍ତୁ ୨୩୯ରୁ ୨୦୦ ବିଧାୟକ ଅଖିଳେଶଙ୍କୁ ସମର୍ଥନ କରିବାରୁ ୨୪ ଘଣ୍ଟା ମଧ୍ୟରେ ମୁଲାୟମ ବହିଷ୍କାର ଆଦେଶ ପ୍ରତ୍ୟାହାର କରିନେଇଥିଲେ। ତେବେ ୨୦୧୭ ବିଧାନସଭା ନିର୍ବାଚନ ବେଳେ ଉଭୟ ମୁଲାୟମ ଏବଂ ଅଖିଳେଶ ପୃଥକ ପୃଥକ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ। ଏହା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା ଏବଂ ଦଳ ହାରିଯାଇଥିଲା।
ତେବେ ଯେଉଁ ବିବାଦଟି ପରିବାରକୁ ଦୁଇ ଭାଗ କରିବା ସହିତ ଶାସନ କ୍ଷମତା ହଡ଼ପ ପର୍ଯ୍ୟନ୍ତ ଯାଇଥିଲା, ତାହା ଦେଖିବାକୁ ମିଳିଥିଲା ଆନ୍ଧ୍ର ପ୍ରଦେଶରେ। ଲୋକପ୍ରିୟ ତେଲୁଗୁ ଅଭିନେତା ଏନ୍ଟି ରାମାରାଓ କଂଗ୍ରେସକୁ ହଟାଇବା ଲାଗି ୧୯୮୨ରେ ତେଲୁଗୁ ଦେଶମ୍ ନାମରେ ରାଜନୈତିକ ଦଳ ଗଠନ କରିଥିଲେ। ୧୯୮୩ ବିଧାନସଭା ନିର୍ବାଚନରେ ଦଳ ବିଜୟୀ ହେବା ପରେ ରାମା ରାଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୫ ନିର୍ବାଚନରେ ମଧ୍ୟ ଦଳ କ୍ଷମତା ବଜାୟ ରଖିଥିଲା ଏବଂ ରାମାରାଓ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ତେବେ ୧୯୮୯ ନିର୍ବାଚନରେ ସେ ହାରିଯାଇଥିଲେ। ୧୯୯୪ ନିର୍ବାଚନରେ କ୍ଷମତାକୁ ଫେରି ରାମା ରାଓ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୧୯୯୫ରେ ତାଙ୍କୁ ଗାଦିଚ୍ୟୁତ କରିଥିଲେ ତାଙ୍କର ଜ୍ବାଇଁ ଚନ୍ଦ୍ରବାବୁ ନାଇଡ଼ୁ। ରାମାରାଓ ତାଙ୍କର ସହଯୋଗୀ ଲକ୍ଷ୍ମୀ ପାର୍ବତୀଙ୍କୁ ବିବାହ କରିବା ପରେ ପରିବାର ଭିତରେ ବିବାଦ ଆରମ୍ଭ ହୋଇଥିଲା। କାରଣ ସ୍ବାମୀଙ୍କ ନାମରେ ଲକ୍ଷ୍ମୀ କ୍ଷମତାର ଅପବ୍ୟବହାର କରିବାକୁ ଲାଗିଥିଲେ। ଏହାର ସୁଯୋଗ ନେଇ ରାମାରାଓଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚନ୍ଦ୍ରବାବୁ। ୧୯୯୬ରେ ରାମା ରାଓଙ୍କ ହୃଦ୍ଘାତରେ ପରଲୋକ ହୋଇଥିଲା।
[ad_2]