ଖେଳ ଖବର

ରଣଜୀ ଟ୍ରଫି: ଶେଷ ଦିନ ଓଡ଼ିଶାର ଆତ୍ମସମର୍ପଣ, ଦିଲ୍ଲୀଠୁ ୭ ୱିକେଟ୍‌ରେ ହାରିଲା ଓଡ଼ିଶା – Kalinga News

[ad_1]

ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫି ଋତୁରେ ଓଡ଼ିଶାର ଅଭିଯାନ ଆଉ ଏକ ଅପ୍ରତ୍ୟାଶିତ ପରାଜୟ ସହ ଶେଷ ହୋଇଛି। ଜାମିଆ ମିଲିଆ ଇସ୍‌ଲାମିଆ ପଡ଼ିଆରେ ଦିଲ୍ଲୀ ବିପକ୍ଷ ଶେଷ ମ୍ୟାଚ୍‌ରେ ଓଡ଼ିଶା ପାଳି ପଛୁଆ ଥିଲେ ମଧ୍ୟ ସ୍ଥିତି ମଜବୁତ୍‌ ରଖିଥିଲା। କିନ୍ତୁ ଶେଷ ଦିନରେ ସବୁକିଛି ଓଲଟିଯାଇଥିଲା। ଓଡ଼ିଶା ବ୍ୟାଟର୍‌ ଦିଲ୍ଲୀ ବୋଲରଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିବାରୁ ଦ୍ବିତୀୟ ପାଳିରେ ଏହି ଦଳ କେବଳ ୧୩୩ ରନ୍‌ କରିପାରିଥିଲା। ଫଳରେ ଦିଲ୍ଲୀ ସମ୍ମୁଖରେ ୧୨୩ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାକୁ ଘରୋଇ ଦଳ ୩ ୱିକେଟ୍‌ ବିନିମୟରେ ହାସଲ କରିଥିଲା। ଏହି ପରାଜୟ ପରେ ଏଲିଟ୍‌ ଗ୍ରୁପ୍‌ ଡି’ରେ ଓଡ଼ିଶା ମାତ୍ର ୧ ବିଜୟ ଓ ୨ ଅମୀମାଂସିତ ମ୍ୟାଚ୍‌ରୁ ୧୨ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି।
ତୃତୀୟ ଦିନ ଶେଷ ସୁଦ୍ଧା ଦିଲ୍ଲୀ ପ୍ରଥମ ପାଳିରେ ୧୧ ରନ୍‌ ଅଗ୍ରଣୀ ନେବା ପରେ ଅଲଆଉଟ୍‌ ହୋଇଥିଲା। ‌ସୋମବାର ଓଡ଼ିଶା ଦ୍ବିତୀୟ ପାଳି ଆରମ୍ଭ କରିବା ମାତ୍ରେ ୪ ଓଭର ଭିତରେ ସ୍ବସ୍ତିକ ସାମଲ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ।

ପ୍ରଥମ ପାଳିର ଶତକ ଅର୍ଜନକାରୀ ଶୁଭ୍ରାଂଶୁ ସେନାପତି ମାତ୍ର ୪ ରନ୍‌ କରିପାରିଥିଲେ। ଗୋବିନ୍ଦ ପୋଦ୍ଦାର (୧୭), ବିପ୍ଳବ ସାମନ୍ତରାୟ (୨୪), ଆଶୀର୍ବାଦ ସ୍ବାଇଁ (୨୯) ଓ ତଳ ଭାଗରେ ପଦାର୍ପଣକାରୀ ଜାମଲା ଭଞ୍ଜନ ମହାପାତ୍ର (୨୫) ଦଳ ପାଇଁ କିଛିଟା ସଂଘର୍ଷ କରିଥିଲେ। କିନ୍ତୁ ୧ ପଏଣ୍ଟ ଅର୍ଜନରେ ସଫଳ ହୋଇ ନଥିଲେ। ଘରୋଇ ଦଳର ସୁମିତ ମାଥୁର (୫/୨୬)ଙ୍କ ସହ ହିମାଂଶୁ ଚୌହାନ (୨/୨୨) ଓ ପ୍ରାଂଶୁ ବିଜୟରନ୍‌ (୨/୩୯) ଓଡ଼ିଶାର ବିପର୍ଯ୍ୟୟ ଘଟାଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବା ବେଳେ ରାଜେଶ ମହାନ୍ତି କିନ୍ତୁ ଓଡ଼ିଶାକୁ ପ୍ରଥମ ଓଭରରୁ ଆଶା ଦେଇଥିଲେ। ପାଳିର ଷଷ୍ଠ ବଲ୍‌ରେ ଅନୁଜ ରାୱତଙ୍କୁ ସେ ବୋଲ୍ଡ କରିଥିଲେ। ହେଲେ ଗଗନ ଭାଟ୍ସ (୨୪), ହିମ୍ମତ ସିଂହ (୩୨)ଙ୍କ ସହ ଆୟୁଷ ବଦୋନି (୪୦*) ଓ ୟଶ ଧୂଲ୍‌ (୧୬*) ଦିଲ୍ଲୀକୁ ଜିତାଇଥିଲେ।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୪୪୦/୧୦ (ଶୁଭ୍ରାଂଶୁ ସେନାପତି-୧୧୧, ବିପ୍ଳବ ସାମନ୍ତରାୟ-୧୧୦, ଶାନ୍ତନୁ ମିଶ୍ର-୭୬, ସୁମିତ ମାଥୁର-୪/୯୭, ହିମ୍ମତ ସିଂହ-୩/୪୨)। ଦିଲ୍ଲୀ ପ୍ରଥମ ପାଳି: ୪୫୧/୧୦ (ୟଶ ଧୂଲ-୧୧୨, ଜଣ୍ଟି ସିଦ୍ଧୁ-୧୦୫*, କ୍ଷିତିଜ ଶର୍ମା-୬୪, ଜାମଲା ଭଞ୍ଜନ ମହାପାତ୍ର-୩/୬୩, ବିପ୍ଳବ ସାମନ୍ତରାୟ-୨/୩୪, ଗୋବିନ୍ଦ ପୋଦ୍ଦାର-୨/୬୬, ସୁନିଲ ରାଉଳ-୨/୧୧୬)। ଓଡ଼ିଶା ଦ୍ବିତୀୟ ପାଳି: ୪୬ ଓଭରରେ ୧୩୩/୧୦ (ଆଶୀର୍ବାଦ ସ୍ବାଇଁ-୨୯, ଜାମଲା ଭଞ୍ଜନ ମହାପାତ୍ର-୨୫, ସୁମିତ ମାଥୁର-୫/୨୬, ହିମାଂଶୁ ଚୌହାନ-୨/୨୨)। ଦିଲ୍ଲୀ ଦ୍ବିତୀୟ ପାଳି: ୨୦.୩ ଓଭରରେ ୧୨୩/୩ (ଆୟୁଷ ବଦୋନି-୪୦*, ହିମ୍ମତ ସିଂହ-୩୨, ଜା‌ମଲା ଭଞ୍ଜନ ମହାପାତ୍ର-୨/୪୫, ରାଜେଶ ମହାନ୍ତି-୧/୨୪)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button