ସ୍ୱାସ୍ଥ୍ୟ

ମଦ ପିଇଲେ ହେବନି ହାର୍ଟ ଆଟାକ୍‌! ଚାପମୁକ୍ତ ରହିବାରେ ସାହାଯ୍ୟ କରେ ଆଲକହଲ୍‌; ପଢନ୍ତୁ କଣ କହୁଛି ରିପୋର୍ଟ

ସମସ୍ତେ ଜାଣନ୍ତି ମଦ ସ୍ବାସ୍ଥ୍ୟ ପାଇଁ ହାନିକାରକ । କିନ୍ତୁ ଏହାର କିଛି ଉପକାରୀ ଗୁଣ ରହିଛି । ଏକ ଅଧ୍ୟୟନରୁ ଜଣାପଡିଛି, ବେଳେ ବେଳେ ମଦ୍ୟପାନ କରିବା ବି ସ୍ବାସ୍ଥ୍ୟ ପାଇଁ ଭଲ । ସ୍ବଳ୍ପ ପରିମାଣରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରେ ହାର୍ଟଆଟାକ୍‌ ବା ହୃଦ୍‌ଘାତ ହେବାର ଆଶଙ୍କା କମ୍ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି କି ଯେଉଁ ମହିଳାମାନେ ଦିନକୁ ଗୋଟିଏ ପେଗ୍ ଓ ଯେଉଁ ପୁରୁଷମାନେ ଦିନକୁ ମାତ୍ର ୨ ପେଗ୍‌ ମଦ ପିଅନ୍ତି, ସେମାନଙ୍କୁ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକଙ୍କ ତୁଳନାରେ ହୃଦ୍‌ଘାତ ହେବାର ଆଶଙ୍କା କମ୍ ଥାଏ । ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ନିୟମିତ କମ୍ ମାତ୍ରାରେ ମଦ୍ୟପାନ କରିବା ଦ୍ବାର ମସ୍ତିଷ୍କର ଚାପ ବା ଷ୍ଟ୍ରେସକୁ ହ୍ରାସ କରିଥାଏ, ଯାହା ହୃଦ୍‌ଘାତ ଏବଂ ଷ୍ଟ୍ରୋକ୍‌ ଆଶଙ୍କାକୁ କମ୍ କରିଥାଏ ।

ଏହି ଅଧ୍ୟୟନ ପରେ ବୈଜ୍ଞାନିକମାନେ ଆଶା କରିଛନ୍ତି ସେମାନେ ମଦ୍ୟପାନ ଦ୍ବାରା ହେଉଥିବା କର୍କଟ, ମଧୁମେହ ଓ ମେଦବହୁଳତା ଭଳି ରୋଗର ପ୍ରତିକୂଳ ପ୍ରଭାବ ବିନା ହୃଦ୍‌ରୋଗ ପାଇଁ ଏକ ପ୍ରତିରକ୍ଷାତ୍ମକ ଚିକିତ୍ସା ପ୍ରାଣାଳୀ ବିକାଶ କରିବାରେ ସକ୍ଷମ ହେବେ । ଏନେଇ ଡେଲି ମେଲ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନେ ୭୫୪ ଜଣଙ୍କ ମସ୍ତିଷ୍କ ସ୍କାନିଂ କରିବା ପୂର୍ବରୁ ୫୦ ହଜାରରୁ ଅଧିକ ଆମେରିକୀୟଙ୍କ ତଥ୍ୟ ସଂଗ୍ରହ କରିଥିଲେ । ଯାହା କି କର୍କଟ ରୋଗର ସର୍ଭେ ପାଇଁ ନିଆଯାଇଥିଲା । ବ୍ରେନ୍ ଇମେଜିଂରୁ ଜଣାପଡ଼ିଥିଲା କି ଯେଉଁମାନେ ସ୍ବଳ୍ପ ପରିମାଣରେ ମଦ ପିଉଥିଲେ, ସେମାନେ ଚାପମୁକ୍ତ ରହିଥିଲେ । ସେମାନେ କମ୍ ହୃଦ୍‌ରୋଗ ବା ହାର୍ଟଆଟାକ୍‌ର ଶିକାର ହୋଇଥିଲେ ।

ସବୁ ଜିନିଷର ମାତ୍ରାଧିକ ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ହୃଦ୍‌ରୋଗର ଶିକାର ହୋଇଥିବା ଲୋକଙ୍କ ତଥ୍ୟ ଦେଖିଲେ, ସ୍ବଳ୍ପ ମଦ୍ୟପାନକାରୀଙ୍କ ତୁଳନାରେ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକଙ୍କ କ୍ଷେତ୍ରରେ ହୃଦ୍‌ଘାତ ବା ଷ୍ଟ୍ରୋକ୍‌ ଆଶଙ୍କା ଅଧିକ । ଆମେରିକାର ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ହୃଦ୍‌ରୋଗ ବିଶେଷଜ୍ଞ ତଥା ବରିଷ୍ଠ ଲେଖକ ଡକ୍ଟର ଅହମ୍ମଦ ତାୱାକୋଲ କହିଛନ୍ତି, ଯେଉଁମାନେ ସ୍ବଳ୍ପ ମାତ୍ରାରେ ମଦ୍ୟପାନ କରନ୍ତି, ସେମାନଙ୍କ ମସ୍ତିସ୍କରେ ଏକ ସ୍ବତନ୍ତ୍ର ଧରଣର ପ୍ରୋଟିନ୍ କ୍ଷରଣ ହୋଇଥାଏ । ଯାହା ହୃଦ୍‌ରୋଗ ଆଶଙ୍କାକୁ କମ୍ କରିଥାଏ । ଯେତେବେଳେ ଆମିଗଡାଲ ସକ୍ରିୟ ଥାଏ, ସେତେବେଳେ ଆମର ସ୍ନାୟୁ ପ୍ରଣାଳୀ ଠିକ୍‌ରେ କାମ କରିଥାଏ । ଫଳରେ ରକ୍ତଚାପ ନିୟନ୍ତ୍ରଣରେ ରୁହେ ଏବଂ ହୃଦ୍‌ସ୍ପନ୍ଦନ ବୃଦ୍ଧିପାଏ । ରକ୍ତ ପ୍ରଦାହକାରୀ କୋଷ ଗୁଡ଼ିକ ମଧ୍ୟ ସକ୍ରିୟ ରହିଥାନ୍ତି । ଆମର ସ୍ବାସ୍ଥ୍ୟାବସ୍ଥା ଭଲ ରୁହେ । ଦୀର୍ଘଦିନ ଧରି ଆପଣ ଷ୍ଟ୍ରେସ୍‌ ବା ଚାପରେ ରହିଲେ, ଏହାର ପରିଣାମ ଉଚ୍ଚ ରକ୍ତଚାପ, ପ୍ରଦାହ ବୃଦ୍ଧି, ମୋଟାପଣ ଓ ମଧୁମେହର କାରଣ ହୋଇଯାଏ । ଯାହାକି ହୃଦ୍‌ରୋଗର ଆଶଙ୍କାକୁ ବଢ଼ାଇ ଦେଇଥାଏ ।

ଅତ୍ୟଧିକ ଚାପଗ୍ରସ୍ତ ରହୁଥିବା ଲୋକଙ୍କଠାରେ ହୃଦ୍‌ଘାତର ଆଶଙ୍କା ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେହିଭଳି ଯେଉଁମାନେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ (ସପ୍ତାହକୁ ୧୪ ପେଗ୍‌)‌ରୁ ଅଧିକ ମଦ୍ୟପାନ କରନ୍ତି ସେମାନେ ମଧ୍ୟ ହୃଦଘାତର ଶିକାର ହୋଇଥାନ୍ତି । ତାସହ କର୍କଟ ଭଳି ଅନ୍ୟ ଗୁରୁତର ରୋଗରେ ପଡ଼ନ୍ତି । ସେମାନଙ୍କ ମସ୍ତିସ୍କର କାର୍ଯ୍ୟକଳାପ ହ୍ରାସ ପାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button