ନୀତୀଶ ନାଟକ ପଛର ରହସ୍ୟ – Kalinga News
[ad_1]
ମହମ୍ମଦ ହିଫ୍ଜୁର ରହେମାନ୍
ବିହାର ରାଜନୀତିରେ ‘ପଲଟୁରାମ’ ରୂପେ ପରିଚିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୨ରେ ଏନ୍ଡିଏ ଛାଡ଼ି ଆରଜେଡି ସହ ମେଣ୍ଟ କରିବା ସମୟରେ ‘ପ୍ରତିଜ୍ଞା’ କରିଥିଲେ, ‘ମରିଯିବି ପଛେ ଆଉ ବିଜେପି ନେତୃତ୍ବାଧୀନ ଏନ୍ଡିଏକୁ ଫେରିବି ନାହିଁ।’ ଏହି ପ୍ରତିଜ୍ଞାକୁ ଦୁଇ ବର୍ଷ ହୋଇନି, ସେ ପୁଣି ଏନ୍ଡିଏକୁ ଫେରିଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୋଦୀ ଓ ଲାଲୁଙ୍କ ଭଳି ନେତାଙ୍କୁ ସହଜରେ ନିଜ ଫାନ୍ଦରେ ପକାଇ ପାରୁଥିବା ଅଭିଜ୍ଞ ନେତା ନୀତୀଶ, କ’ଣ ପାଇଁ ପୁଣି ପଟପରିବର୍ତ୍ତନ କରିଛନ୍ତି? ଏହା ତାଙ୍କର କୌଣସି ନୂଆ ଚାଲ? ନା ସେ କୌଣସି ଭୀଷଣ ଚାପ/ବିପଦରେ ଅଛନ୍ତି। ଏହି ପ୍ରଶ୍ନ କେବଳ ନେତାମାନଙ୍କୁ ନୁହେଁ, ରାଜନୀତିରେ ରୁଚି ରଖୁଥିବା ସାଧାରଣ ନାଗରିକଙ୍କୁ ମଧ୍ୟ ଆନ୍ଦୋଳିତ କରୁଛି। ଖୋଦ ନୀତୀଶଙ୍କ ଦଳ (ଜେଡିୟୁ)ର ଅନେକ ନେତା ମଧ୍ୟ ଦ୍ବନ୍ଦ୍ବରେ। ଏନ୍ଡିଏର ମୁକାବିଲା ପାଇଁ ବିଭିନ୍ନ ବିରୋଧୀ ଦଳଙ୍କୁ ନେଇ ଗଠିତ ‘ଇଣ୍ଡିଆ’ର ନେତାମାନେ ଏହାକୁ ବିଶ୍ବାସ କରିପାରୁ ନାହାନ୍ତି। ଯେଉଁ ବ୍ୟକ୍ତି ୨୦୨୪ରେ ମୋଦୀଙ୍କର ମୁକାବିଲା କରିବା ଲାଗି ବିଭିନ୍ନ ବିରୋଧୀ ଦଳଙ୍କୁ ଏକାଠି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ସେହି ନେତା କିପରି ଏହି ବିରୋଧୀ ମଞ୍ଚକୁ ବିପର୍ଯ୍ୟସ୍ତ କରି ପୁଣି ମୋଦୀଙ୍କ ହାତ ଧରିଛନ୍ତି?
Sambad is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ ସୂତ୍ରରୁ ମିଳୁଥିବା ଖବରକୁ ଯଦି ବଶ୍ବାସ କରାଯାଏ, ତାହାେହଲେ ଏହା ଉଦ୍ବେଗଜନକ। ୨୦୨୦ରେ ବିଜେପି ସହ ମିଶି ନୀତୀଶ ବିଧାନସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ବିଜେପିକୁ ୭୮ ଆସନ ମିଳିଥିବା ବେଳେ ନୀତୀଶଙ୍କ ଜେଡିୟୁ ମିଳିଥିଲା ମାତ୍ର ୪୫ ଆସନ। ନୀତୀଶ ମୁଖ୍ୟମନ୍ତ୍ରୀ ଥାଇ ତାଙ୍କ ଦଳ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହାସତ୍ତ୍ବେ ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। କିନ୍ତୁ ୨୦୨୨ରେ ସେ ଯେଭଳି ଏନ୍ଡିଏ ପ୍ରତି ବିଶ୍ବାସଘାତକତା କରି ଲାଲୁଙ୍କ ଆରଜେଡି ଏବଂ କଂଗ୍ରେସ ସହ ହାତ ମିଳାଇ ସରକାର ଗଠନ କଲେ, ସେଥିରେ ବିଜେପି କ୍ଷୁବ୍ଧ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ବିଜେପି ନେତୃତ୍ବ ଯୋଜନା କରିଥିଲେ ବୋଲି କୁହାଯାଉଛି। ଯୋଜନା ମୁତାବକ ନୀତୀଶଙ୍କ ଜେଡୁୟରେ ବିଭାଜନ କରିବାକୁ ଉଦ୍ୟମ ହୋଇଥିଲା। ଜେଡିୟୁର ଅନେକ ନେତା ଆରଜେଡି ସହ ମେଣ୍ଟ ନେଇ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା ଘଟଣାରୁ ଏଭଳି ସଙ୍କେତ ମିଳିବାକୁ ଲାଗିଲା। ତେଣୁ ନିଜ କୁର୍ସି ବଞ୍ଚାଇବା ଲାଗି ନୀତୀଶ ବାଧ୍ୟ ହୋଇ ବିଜେପି ସହ ବୁଝାମଣା ଆଲୋଚନା ଆରମ୍ଭ କଲେ। ବିଜେପି ବୁଝାମଣା ପାଇଁ ଏଇଥିପାଇଁ ରାଜି ହେଲା ଯେ ନୀତୀଶ ମୁଖ୍ୟମନ୍ତ୍ରୀ ଥାଇ ଲୋକସଭା ନିର୍ବାଚନ ଲଢ଼ିଲେ ପାର୍ଟିକୁ ଫାଇଦା ମିଳିବ। ନୀତୀଶ ତ ମୁଖ୍ୟମନ୍ତ୍ରୀ ରହିବେ, କିନ୍ତୁ ସରକାର ଉପରେ ବିଜେପିର ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ଏହାଛଡ଼ା ନୀତୀଶଙ୍କ ବିନା ‘ଇଣ୍ଡିଆ’ ମେଣ୍ଟ ଭୁଶୁଡ଼ି ପଡ଼ିବ। ୨୦୨୫ରେ ରାଜ୍ୟ ବିଧାନସଭା ନିର୍ବାଚନ ପରେ ନୀତୀଶ ଆଉ ମୁଖ୍ୟମନ୍ତ୍ରୀ ରହିବେ ନାହିଁ ବୋଲି ବିଜେପି ତାଙ୍କୁ ସ୍ପଷ୍ଟ କରିଦେଇଛି। ତେବେ ନୀତୀଶଙ୍କ ସହିତ ପୁଣି ବୁଝାମଣାକୁ ନେଇ ବିଜେପିର ଅନେକ ନେତା ବିରୋଧ କରିଥିଲେ ମଧ୍ୟ ହାଇକମାଣ୍ଡଙ୍କ ଚାପରେ ନିରବ ରହିଛନ୍ତି। ଚଳିତ ବର୍ଷ ଲୋକସଭା ସହିତ ବିହାର ବିଧାନସଭା ନିର୍ବାଚନ କରିବାକୁ କେତେକ ନେତା ପ୍ରସ୍ତାବ ଦେଇଥିଲେ। ଏହା ଉପରେ ବିଜେପି ହାଇକମାଣ୍ଡ ବ୍ୟାପକ ବିଚାରବିମର୍ଶ କରିଥିଲେ। କିନ୍ତୁ ଫଳାଫଳ ଓଲଟପାଲଟ ହେବା ଭୟରେ ଏଭଳି ଯୋଜନାରୁ ଓହରିଯାଇଛନ୍ତି।
ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ ୨୦୨୩ରେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପଦ ହସ୍ତାନ୍ତର କରିବା ଲାଗି ନୀତୀଶ କୁଆଡ଼େ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହା ପୂରଣ ନକରିବାରୁ ଲାଲୁ ତାଙ୍କ ଉପରେ କ୍ଷୁବ୍ଧ ଥିଲେ। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ଲାଗି ତାଙ୍କ ଉପରେ ଲାଲୁଙ୍କ ପକ୍ଷରୁ ବାରମ୍ବାର ଚାପ ପଡ଼ିବାରୁ କୁର୍ସି ରକ୍ଷା ଲାଗି ନୀତୀଶ ବିଜେପି ସହିତ ସଂପର୍କ ସ୍ଥାପନ କରିଥିଲେ। କିନ୍ତୁ ତାଙ୍କ ଦଳର କିଛି ନେତା ଏହାକୁ ବିରୋଧ କରିଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ବାରମ୍ବାର ମେଣ୍ଟ ପରିବର୍ତ୍ତନ କଲେ ତାଙ୍କର ଭାବମୂର୍ତ୍ତି ନଷ୍ଟ ହେବ ଏବଂ ଦଳ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହେବ। କିନ୍ତୁ ସେମାନଙ୍କୁ ବୁଝାଇବାରେ ସଫଳ ହେଲାପରେ ନୀତୀଶ ଅମିତ ଶାହଙ୍କ ସହିତ ଯୋଗାଯୋଗ କରିଥିଲେ। ୧୯୭୪ରୁ ରାଜନୀତିରେ ସକ୍ରିୟ ଥିବା ୭୨ ବର୍ଷୀୟ ନୀତୀଶ ୧୮ ବର୍ଷରୁ ଅଧିକ ସମୟ ଧରି ବିହାରର ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି। ରାଜ୍ୟରେ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ତାଙ୍କ ନାମରେ ରହିଛି। ୨୦୦୦ ମସିହାରେ ପ୍ରଥମ ଥର ଲାଗି ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୭ ଦିନ ପରେ ସେ ଇସ୍ତଫା ଦେଇଥିଲେ। ଏହାପରେ ୨୦୦୫ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି। କେବଳ ୨୦୧୪ ମଇରୁ ୨୦୧୫ ଫେବ୍ରୁଆରି ୯ ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ତାଙ୍କର ସହଯୋଗୀ ଜୀତନରାମ ମାଝୀଙ୍କୁ ବସାଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ଦଳର ବିପର୍ଯୟ ପରେ ନୈତିକତା ଦୃଷ୍ଟିରୁ ମଇ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଇଥିଲେ। ତେବେ ୨୦୧୫ ଫେବ୍ରୁଆରିରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, କର୍ପୂରୀ ଠାକୁର ଓ ଭିପି ସିଂହଙ୍କ ଭଳି ନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ସେମାନଙ୍କ ଗହଣରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ନୀତୀଶ। କିନ୍ତୁ ୧୯୯୪ ପରେ ତାଙ୍କର ଯାତ୍ରା ଅସ୍ଥିର ହୋଇପଡ଼ିଥିଲା। ଏହି ବର୍ଷ ସେ ଜନତା ଦଳ ତ୍ୟାଗ କରି ଜର୍ଜ ଫର୍ଣ୍ଣାଡିଜଙ୍କ ସହିତ ମିଶି ସମତା ପାର୍ଟି ଗଠନ କରିଥିଲେ। ୧୯୯୬ରେ ସେ ତାଙ୍କ ଆଦର୍ଶର ପରିପନ୍ଥୀ ବିଜେପି ସହ ହାତ ମିଳାଇ ବାଜପେୟୀ ସରକାରରେ ମନ୍ତ୍ରୀ ହୋଇଥିଲେ। ୨୦୦୩ରେ ସମତା ଦଳକୁ ପୁଣି ଜନତା ଦଳ ସହିତ ମିଶାଇ ଗଠନ କରିଥିଲେ ଜନତା ଦଳ (ୟୁ)। ତାଙ୍କ ସହିତ ଥିଲେ ଶରଦ ଯାଦବ। ୨୦୧୩ରେ ମୋଦୀଙ୍କୁ ଏନ୍ଡିଏ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବାରୁ ଏହାର ବିରୋଧ କରି ନୀତୀଶ ଏନ୍ଡିଏ ସହ ୧୭ ବର୍ଷର ସଂପର୍କ ଚ୍ଛିନ୍ନ କରିଥିଲେ। ୨୦୧୫ ବିଧାନସଭା ନିର୍ବାଚନରେ ସେ ଲାଲୁଙ୍କ ଆରଜେଡି ଏବଂ କଂଗ୍ରେସ ସହ ମେଣ୍ଟ କରି ବିଜୟୀ ହୋଇଥିଲେ। ରାଜ୍ୟରେ ତାଙ୍କ ନେତୃତ୍ବରେ ମହାମେଣ୍ଟ ସରକାର ଗଠନ ହୋଇଥିଲା। କିନ୍ତୁ ୨୦୧୭ରେ ଏହି ମହାମେଣ୍ଟ ସହ ସଂପର୍କ ଚ୍ଛିନ୍ନ କରି ନୀତୀଶ ପୁଣି ଏନ୍ଡିଏ ସହ ମିଶି ସରକାର ଗଠନ କରିଥିଲେ। କିନ୍ତୁ ୨୦୨୦ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବିଜେପି ଅଧିକ ଆସନ ପାଇଥିଲେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ୨୦୨୨ରେ ନୀତୀଶ ହଠାତ୍ ଏନଡିଏ ଛାଡ଼ି ପୁଣି ଲାଲୁଙ୍କ ଆରଜେଡି ଓ କଂଗ୍ରେସ ସହିତ ମିଶି ସରକାର ଗଠନ କରିଥିଲେ। ୨୦୨୪ ଜାନୁଆରି ୨୮ରେ ପୁଣି ପଟ୍ଟପରିବର୍ତ୍ତନ କରିଛନ୍ତି। ଏକଦା ସ୍ବଚ୍ଛ ଭାବମୂର୍ତ୍ତିକୁ ନେଇ ଶୀର୍ଷରେ ରହିଥିବା ନୀତୀଶ କୁମାରଙ୍କ ଲୋକପ୍ରିୟତା ଏବେ ଖସିବାରେ ଲାଗିଛି। ୨୦୧୦ ବିହାର ବିଧାନସଭା ନିର୍ବାଚନରେ ୧୧୫ଟି ଆସନ ହାସଲ କରିଥବା ନୀତୀଶଙ୍କ ଦଳ ୨୦୧୫ରେ ୭୧କୁ ଖସି ଆସିଥିଲା। ୨୦୨୦ରେ ଏହା ୪୫କୁ ଖସି ଆସିଛି।
[ad_2]