ଗ୍ୟାଙ୍ଗଷ୍ଟର୍ ସକିଲ୍ର କଳା କାରନାମା: ବାଲି ବ୍ୟବସାୟୀ ଚେକ୍ରେ ଦେଲେ ୧୫ ଲକ୍ଷର ବଟି – Kalinga News

[ad_1]
ଥାନାରେ ସକିଲ୍ ସମେତ ୭ ଜଣଙ୍କ ନାଁରେ ଅଭିଯୋଗ
କଟକ: କଟକ କମିସନରେଟ୍ ପୁଲିସ ଜାଲରେ ପୁଣି ପଡ଼ିଲା ଗ୍ୟାଙ୍ଗଷ୍ଟର୍ ମହମ୍ମଦ୍ ସକିଲ୍। ସଂଗଠିତ ଅପରାଧ ଷଡ଼ଯନ୍ତ୍ର ଅଭିଯୋଗରେ ଗଲା ଗୁରୁବାର ଚୌଦ୍ବାର ଜେଲ୍ ଯାଇଥିବା ସକିଲ୍ ବିରୋଧରେ ଜଣେ ବାଲିଘାଟ ବ୍ୟବସାୟୀଙ୍କ ନିକଟରୁ ବଟି ନେଇଥିବା ଭଳି ସଂଗିନ ଅଭିଯୋଗ ହୋଇଛି। ସଦର ଅଞ୍ଚଳର ଜଣେ ବ୍ୟବସାୟୀ ତାକୁ ୧୪ ଲକ୍ଷ ୬୦ ହଜାର ଟଙ୍କା ବଟି ଚେକ୍ ଜରିଆରେ ଦେଇଲେ। ସକିଲ୍ ସମେତ ୭ ଜଣଙ୍କ ବିରୋଧରେ ସଦର ଥାନାରେ ଏହି ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଭୁବନେଶ୍ବର ଖଣ୍ଡଗିରି ଥାନା ପାତ୍ରପଡ଼ାରେ ରହୁଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଚୁଗୁଚ୍ଛିଆର ହିମାଂଶୁ ଶେଖର ସାହୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା(ଆଇଟି) ପଢ଼ା ଶେଷ କରିବା ପରେ ଏକ ୱେବ୍ ପୋର୍ଟାଲ୍ ସାମ୍ବାଦିକ ଭାବେ ଗଲା ଦୁଇବର୍ଷ ହେବ କାର୍ଯ୍ୟ ଆରମ୍ଭ କରିଥିଲା। ସେ କଟକ ସଦର ଥାନା ତେନ୍ତୁଲିନାଳି ଅଞ୍ଚଳର ଭବାନୀ ମହାନ୍ତିଙ୍କ ସମ୍ପର୍କରେ ଆସିଥିଲା। ଭବାନୀ ଆନନ୍ଦପୁରରେ ବାଲିଘାଟ ନିଲାମ ନେଇଥିବା ବେଳେ ଏହି ଘାଟରେ ୯ ଜଣଙ୍କ ଭାଗିଦାରୀ ରହିଛି। ତେବେ ଏଥିରେ ହିମାଂଶୁ ୫ ଲକ୍ଷ ଟଙ୍କା ନିବେଶ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭବାନୀ ଓ ହିମାଂଶୁ ମଧ୍ୟରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇଥିଲା। ହିମାଂଶୁ ଯୋଜନାବଦ୍ଧ ଭାବେ ଭବାନୀଙ୍କ ନିକଟରୁ ବଟି ଆଦାୟ କରିବାକୁ ଗ୍ୟାଙ୍ଗଷ୍ଟର୍ ସକିଲ୍ର ସହଯୋଗ ଲୋଡ଼ିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଯୋଜନା ମୁତାବକ, ଗଲା ୧୬ ତାରିଖ ଦିନବେଳା ଗୋଟିଏ ହ୍ୟୁଣ୍ଡାଇ ଆଇ ଟ୍ବେଣ୍ଟି କାର୍ ଓ ଦୁଇଟି ଥର୍ ଗାଡ଼ିରେ ଗ୍ୟାଙ୍ଗଷ୍ଟର୍ ମହମ୍ମଦ୍ ସକିଲ୍ ସମେତ ଲାଲବାଗ ମସ୍ତାନ ରୋଡ୍ର ଅବଦୁଲ୍ କାଦିର୍(ସକିଲ୍ର ଖାସ୍), ସିଆର୍ଆର୍ଆଇ ଗତିରାଉତପାଟଣାର ଶ୍ରୀନାଥ ରାଉତ(ବନ୍ଧୁକ ବେପାରୀ), ସଦର ଥାନା ଭାଣପୁର ପୀରବଜାର ଅଞ୍ଚଳର ସୟଦ୍ ଅବଦୁଲ୍ ସୋଫିଆନା, ବାରଙ୍ଗ ଥାନା ମଧୁପୁରର ପଦିଆ ଓରଫ ପ୍ରଦୀପ ସାହୁ, ଭୁବନେଶ୍ବର ଭରତପୁରରେ କଳିଙ୍ଗବିହାରରେ ରହୁଥିବା ଜଗତସିଂହପୁର ଜିଲ୍ଲା କୃଷ୍ଣନନ୍ଦପୁରର ସେକ୍ ନଦିମ୍, ହିମାଂଶୁ ତେନ୍ତୁଲିନାଳିରେ ରହୁଥିବା ଭବାନୀଙ୍କ ଘରେ ପହଞ୍ଚିଥିଲେ। ତାଙ୍କୁ ବନ୍ଧୁକ, ଖଣ୍ଡା ଓ କଟୁରି ଦେଖାଇ ସେଠାରେ ଭୟଭୀତ କରି ବଟି ମାଗିଥିଲେ। ଭବାନୀ ୧୪ ଲକ୍ଷ ୬୦ ହଜାର ଟଙ୍କାର ଏକ ବ୍ୟାଙ୍କ୍ ଚେକ୍ ସେମାନଙ୍କୁ ଦେଇଥିଲେ। ଚେକ୍ ନେଇ ଏହି ଅପରାଧୀମାନେ ସହର ବାହାରକୁ ଖସିଯିବାକୁ ଯୋଜନା କରୁଥିଲେ। ଗଲା ୧୭ ତାରିଖ ରାତି ପ୍ରାୟ ୮ଟା ବେଳେ ସଦର ଥାନା ଅନ୍ତର୍ଗତ କାଜିପାଟଣା ନିକଟରେ ଥିବା ଇନ୍ଦିରା କଲୋନି ପଡ଼ିଆରେ ଏକାଠି ଖାଉଥିବା ବେଳେ ପୁଲିସ ସେମାନଙ୍କୁ ସେଠାରୁ କାବୁ କରି ଗିରଫ କରି ଚୌଦ୍ବାର ଜେଲକୁ ପଠାଇଥିଲା। ଗ୍ୟାଙ୍ଗଷ୍ଟର୍ ସକିଲ୍ ବିରୋଧରେ ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଅପରାଧିକ ମାମଲା ଥିବା ବେଳେ ୩ ଥର ସିଆର୍ପିସି ଧାରା ୧୧୦ ଓ ଏନ୍ଏସ୍ଏରେ ବି ଅଟକ ରଖାଯାଇଛି। ଏମିତିକି ତାକୁ ତଡ଼ିପାର୍ କରାଯାଇଥିବା ସତ୍ତ୍ବେ ସେ କଟକ ସହରକୁ ପୁଣି ଫେରି ସୁପାରି ନେଇ ଅପରାଧିକ କାଣ୍ଡ ଘଟାଇବା ଏବେ ପୁଲିସ ପାଇଁ ସବୁଠାରୁ ଅଧିକ ଚିନ୍ତାର କାରଣ ହୋଇଛି।
[ad_2]