ଅପରାଧ

ରାଜଧାନୀରେ ନିଦ ହଜାଇଛନ୍ତି ଏରାଗୋଲା ଗ୍ୟାଙ୍ଗ୍‌: ଧରାପଡ଼ିଲେ ୧୧, ଛୁ’ ମାରିଲେ ୬ – Kalinga News

[ad_1]

ଭୁବନେଶ୍ବର: କିଛି ଦିନ ହେଲା ରାଜଧାନୀରେ ଲୁଟ୍‌, ଛିନ୍‌ତାଇ କରି କମିସନରେଟ୍‌ ପୁଲିସର ନିଦ ହଜେଇ ଦେଇଥିବା ଏକ ବଡ଼ ଏରାଗୋଲା ଗ୍ୟାଙ୍ଗ୍‌କୁ ଠାବ କରାଯାଇଛି। ପୂରା ରାଜଧାନୀରେ ବିଭିନ୍ନ ଥାନା ଅଞ୍ଚଳରେ ପାଖାପାଖି ୩୦ରୁ ଅଧିକ ଲୁଟ୍‌ପାଟ୍‌ କରିଥିବା ଏହି ୧୭ ଜଣିଆ ଗ୍ୟାଙ୍ଗ୍‌ର ୧୧ ସଦସ୍ୟଙ୍କୁ ପୁଲିସ ବାନ୍ଧିବାରେ ସଫଳ ହୋଇଥିବା ବେଳେ ୬ ଜଣ ଚମ୍ପଟ ମାରିଛନ୍ତି। ଫେରାର୍ ହୋଇଥିବା ୬ ଜଣ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ଆଜି କୋର୍ଟ ଚାଲାଣ ହୋଇଥିବା ୧୧ ଜଣ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ବିନୋଦ ଦାସ(୨୨), ଅନିଲ ଦାସ(୧୯), ଏମ୍‌. ରାଜା(୩୫), ଶିବା ଦାସ(୨୩), ଏ. ପ୍ରସାଦ(୨୨), ଏ. ଅଜୟ(୨୦), ଏ. ଅଶୋକ(୨୦), ଡି. ଶ୍ରୀନିବାସ(୨୨), ଏନ୍‌. ରାଜଶେଖର ଆଚାରି(୩୭), ଗଞ୍ଜାମ କୋଦଳା ଅଞ୍ଚଳର ପି. ସୁବାସ(୨୫) ଓ ଯାଜପୁର ଜିଲ୍ଲା ଯଖପୁରା ଅଞ୍ଚଳର ସମୀର ପ୍ରଧାନ(୧୯)। ସେମାନଙ୍କଠାରୁ ନଗଦ ୨.୫ ଲକ୍ଷ ଟଙ୍କା, ୧୭ଟି ସୁନାଚେନ୍‌, ୨୫ ଗ୍ରାମ୍‌ ଓଜନର ଅନ୍ୟାନ୍ୟ ସୁନା ଗହଣା, ୬ ଚୋରା ବାଇକ୍‌, ୫୦ ମୋବାଇଲ୍‌ ଫୋନ୍‌, ମାରଣାସ୍ତ୍ର, ଜାଲ୍‌ ପରିଚୟପତ୍ର ଓ ଗାଡ଼ି ଡିକି ଭାଙ୍ଗିବାକୁ ବ୍ୟବହାର କରୁଥିବା ଲିଭର୍‌ ଆଦି ଜବତ କରାଯାଇଛି। ପ୍ରାୟ ଗୋଟିଏ ମାସର କସରତ ପରେ ପୁଲିସ ପଞ୍ଝାରେ ଏହି ଗ୍ୟାଙ୍ଗ୍‌ ଧରାପଡ଼ିଛି। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିସନରେ ଅବିନାଶ କୁମାର ଓ ଡିସିପି ପ୍ରତୀକ ସିଂ ଏହି ଗ୍ୟାଙ୍ଗ୍‌ର ଆପରାଧିକ ଇତିହାସ ଉପରେ ବିବରଣୀ ଦେଇଥିଲେ। ଏହି ଗ୍ୟାଙ୍ଗ୍‌ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଲୁଟ୍‌ପାଟ୍‌ କରୁଥିବା ଜଣାପଡ଼ିଛି।

ଲୁଟ୍‌ ତରିକା- ଏହି ଗ୍ୟାଙ୍ଗ୍‌ର ପ୍ରତ୍ୟେକ ସଦସ୍ୟ ପେସାଦାର ଓ ଧୁରନ୍ଧର। ପାଠପଢ଼ା କମ୍‌ ହେଲେ ବି ଲୋକଙ୍କୁ ଚକ୍‌ମା ଦେବାରେ ସେମାନେ ବେଶ୍‌ ପାରଙ୍ଗମ। ଲୋକଙ୍କ ଆଗରେ କିଛି ଖୁଚୁରା ଟଙ୍କା ପକାଇ ସେମାନେ ଅନ୍ୟମନସ୍କ କରିଦିଅନ୍ତି ଏବଂ ଏହି ମଉକାରେ ହାତରୁ ବ୍ୟାଗ୍‌ ଝାମ୍ପି ଚମ୍ପଟ ମାରନ୍ତି। ଇଂରାଜୀ ଅକ୍ଷର ଟି’ ଆକୃତିର ଏକ ଲୁହା ଲିଭର୍‌ ଦ୍ବାରା ସେମାନେ ଅକ୍ଲେଶରେ ବାଇକ୍‌ ଡିକି ଭାଙ୍ଗିପାରନ୍ତି। ଏମିତିକି ବିନା ଶବ୍ଦରେ କାର୍‌ କାଚ ଭାଙ୍ଗି ଲୁଟ୍‌ପାଟ କରିପାରନ୍ତି। ସେହିଭଳି ସକାଳୁଆ ବା ସନ୍ଧ୍ୟାରେ ଚଲାବୁଲା କରୁଥିବା ଲୋକଙ୍କୁ ଏବଂ ରାତିରେ ଯାତାୟାତ କରୁଥିବା ବ୍ୟବସାୟୀଙ୍କୁ ସେମାନେ ପିଛା କରି ବା ଛକି ରହି ଲୁଟ୍‌ କରନ୍ତି। ଲୁଟ୍‌, ଛିନ୍‌ତାଇ ବେଳେ ପ୍ରତିରୋଧର ସମ୍ମୁଖୀନ ହେଲେ ସେମାନେ ମାରଣାସ୍ତ୍ର ବ୍ୟବହାର କରିବାକୁ ପଛାନ୍ତି ନାହିଁ। ସେହିଭଳି ଲଙ୍କାଗୁଣ୍ଡ ବା ରାସାୟନିକ ସ୍ପ୍ରେ ପକାଇ ସେମାନେ ଖସିଯାଆନ୍ତି। ବଡ଼ କଥା ହେଉଛି ସେମାନେ ବ୍ୟାଙ୍କ୍‌ରୁ ଫେରୁଥିବା ଗ୍ରାହକଙ୍କୁ ଓ ମଲ୍‌କୁ ସପିଂ କରିବାକୁ ଯାଉଥିବା ଲୋକଙ୍କୁ ହିଁ ଟାର୍ଗେଟ୍‌ କରନ୍ତି। ଦ୍ରୁତବେଗରେ ବାଇକ୍‌ ଚାଳନା କରିବାର ବି ସେମାନେ ସିଦ୍ଧହସ୍ତ। ତେଣୁ ଚୋରି କରିବା ପରେ ଆଖିପିଛୁଳାକେ ସେମାନେ ଅନ୍ତର୍ଧାନ ହୋଇଯାଆନ୍ତି। ଦରକାର ପଡ଼ିଲେ ସେମାନେ ବାଇକ୍‌ ଛାଡ଼ି ଛୁ’ ମାରନ୍ତି। ଲୁଟ୍‌ତରାଜ ସମୟରେ ନକଲି ନମ୍ବର ପ୍ଲେଟ୍‌ ଲଗାଇଥିବା ଚୋରା ବାଇକ୍‌ ବ୍ୟବହାର କରୁଥିବାରୁ ସେମାନେ ଧରାପଡ଼ିବା ଆଶଙ୍କା ଉପୁଜିବା ମାତ୍ରେ ବାଇକ୍‌ ଫୋପାଡ଼ି ପଳାନ୍ତି। ଲୁଟ୍‌ ପୂର୍ବରୁ ହ୍ବାଟ୍‌ସଆପ୍‌ ଜରିଆରେ ସୂଚନା ଆଦାନପ୍ରଦାନ କରନ୍ତି ଏବଂ ରାସ୍ତାରେ ସେମାନେ ଚୋରି ସାମଗ୍ରୀ ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ହସ୍ତାନ୍ତର କରିଦିଅନ୍ତି।

କେମିତି ଫସିଲା ଗ୍ୟାଙ୍ଗ୍‌-
ବର୍ତ୍ତମାନ ସୁଦ୍ଧା ଏହି ଗ୍ୟାଙ୍ଗ୍‌ ନାଁରେ ୨୭ଟି ମାମଲା ହୋଇସାରିଛି। ଏୟାର୍‌ଫିଲ୍‌ଡ, ଖଣ୍ଡଗିରି, ଜଟଣୀ, ଖାରବେଳନଗର, ବାଲିଅନ୍ତା, ଧଉଳି, ଭରତପୁର, ବଡ଼ଗଡ଼ ଓ ନୂଆପଲ୍ଲୀ ଆଦି ଥାନା ଅଞ୍ଚଳରୁ ୨୩ଟି ବଡ଼ଧରଣର ଛିନ୍‌ତାଇ କରିଥିବା ଜଣାପଡ଼ିଛି। ମାର୍ଚ୍ଚ ୧୬ ତାରିଖ ଦିନ ମନୋଜ ଲେଙ୍କା ଖଣ୍ଡଗିରିସ୍ଥିତ କାନାଡା ବ୍ୟାଙ୍କ୍‌ରୁ ୩ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ବାଟରେ ୨ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇଥିଲେ। ମାର୍ଚ୍ଚ ୪ ତାରିଖରେ ଜଟଣୀର ଜଣେ ମହିଳାଙ୍କ ବେକରୁ ୨ ଦୁର୍ବୃତ୍ତ ସୁନା ହାର ଝାମ୍ପି ନେଇଥିଲେ। ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ୍‌ ସ୍କ୍ବାଡ୍‌ ଏସିପି ହିମାଂଶୁ ସ୍ବାଇଁଙ୍କ ନେତୃତ୍ବରେ ପିଓପିଡି ଟିମ୍‌ ଓ ଟିମ୍‌-୬୦ ଏହି ଗ୍ୟାଙ୍ଗ୍‌କୁ ଠାବ କରିବାକୁ ଲାଗି ପଡ଼ିଥିଲେ। ବିଭିନ୍ନ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଥିଲା। ବ୍ୟାଙ୍କରୁ ମଧ୍ୟ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇ ମେଳ କରାଯାଇଥିଲା। ଜଟଣୀ ଓ ଖଣ୍ଡଗିରି ମାମଲାରେ ସିସିଟିଭି ଫୁଟେଜ୍‌ରୁ ଗୋଟିଏ ବାଇକ୍‌କୁ ଚିହ୍ନଟ କରାଯାଇଥିଲା। କିନ୍ତୁ ଜାଲି ନମ୍ବର ଯୋଗୁଁ ତାକୁ ଠାବ କରିବା ସମ୍ଭବ ହୋଇନଥିଲା। ମାତ୍ର ସେହି ବାଇକ୍‌କୁ ପିଛା କରୁକରୁ ପୁଲିସ ଟିମ୍‌ ଇନ୍‌ଫୋସିଟି ଥାନା ଅଞ୍ଚ‌ଳର ଏକ ବସ୍ତିରେ ପହଞ୍ଚି ବିନୋଦ ଓ ଶିବାକୁ କାବୁ କରିଥିଲା। ଏହାପରେ ସେମାନଙ୍କ ସୂଚନା ଆଧାରରେ ପୁଲିସ ଭୁବନେଶ୍ବରର ବିଭିନ୍ନ ବସ୍ତି ଓ ଯାଜପୁରରେ ଚଢ଼ଉ କରି ୧୧ ଜଣଙ୍କୁ ଧରିଥିଲା। ପୁଲିସ ଚଢ଼ଉ ବାବଦରେ ସୂଚନା ପାଇ ଏହି ଗ୍ୟାଙ୍ଗ୍‌ର ୬ ଜଣ ଓଡ଼ିଶା ପାର୍ ହୋଇଯାଇଛନ୍ତି।

ଗ୍ୟାଙ୍ଗ୍‌ର ଇତିହାସ-
ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ମୂଳ ଅଧିବାସୀ ତଥା ‘ଘୁଷୁରିଆ’ ବା ‘ଗୋଲା’ ସମ୍ପ୍ରଦାୟର ଏହି ଲୁଟେରାମାନେ ସମସ୍ତେ ନିଜ ନିଜର ସମ୍ପର୍କୀୟ। ଚୋରି କରିବା ସେମାନଙ୍କ ବଂଶଗତ ବୃତ୍ତି। ପୂର୍ବ କାଳରେ ଚାଲିଚାଲି ସିନ୍ଧିଚୋରି ଓ ବାଟୋଇଙ୍କୁ ଲୁଟୁଥିବା ଏହି ଲୁଟେରାମାନେ ସମୟକ୍ରମେ ବାଇକ୍‌ ଚଢ଼ି, ମୋବାଇଲ୍‌ରେ ଅପରେଟ୍‌ କରି ଅତ୍ୟାଧୁନିକ ଢଙ୍ଗରେ ଲୁଟ୍‌ କରୁଛନ୍ତି। ପୁରୁଷମାନେ ଚୋରି କରନ୍ତି ଓ ପରିବାରର ମହିଳାମାନେ ଚୋରି ସାମଗ୍ରୀ ବିକ୍ରି କରନ୍ତି। ସେମାନଙ୍କ ମୂଳ ବାସସ୍ଥାନ ଅଞ୍ଚଳରେ ଗାଁ ମୁଖିଆ ବା ‌ଗାଁ ନେତାଙ୍କୁ ବଟି ଦିଅନ୍ତି। ପୁଲିସ ଚଢ଼ଉରୁ ବର୍ତ୍ତିବା ପାଇଁ ସେମାନେ ସ୍ଥାନୀୟ ନେତାଙ୍କୁ ଚାନ୍ଦା ବି ଦିଅନ୍ତି। ବେଳେବେଳେ ସ୍ଥାନୀୟ ଟାଉଟରମାନେ ବି ପୁଲିସ ଭୟ ଦେଖାଇ ସେମାନଙ୍କଠାରୁ ବଟି ନିଅନ୍ତି। ଏହି ଗ୍ୟାଙ୍ଗ୍‌ ଗୋଟିଏ ସହରରେ କିଛି ଦିନ ଲୁଟ୍‌ପାଟ୍‌ କରିବା ପରେ ଅନ୍ୟ ଦୂର ସହରକୁ ପଳାନ୍ତି। ମୋବାଇଲ୍‌ ବଦଳାଇ ଦେବାରୁ ଅନ୍ୟ ସହରରେ ସେମାନଙ୍କୁ ଠାବ କରିବା କଷ୍ଟକର ହୁଏ। ମନୋଜ ଫେରିପାଇଲେ ଲକ୍ଷେ, ଟିଆଇ ପରେଡ୍‌ରେ ମିଳିବ ଗହଣା ଖଣ୍ଡଗିରିରେ ଲୁଟ୍‌ର ଶିକାର ହୋଇଥିବା ମନୋଜଙ୍କୁ ଆଜି ପୁଲିସ ୧ଲକ୍ଷ ଟଙ୍କା ଫେରସ୍ତ କରିଛି। ସେହିପରି ଅନ୍ୟ ୪ ଜଣଙ୍କୁ ମଧ୍ୟ ଟଙ୍କା ଫେରସ୍ତ କରାଯାଇଛି। ଟିଆଇ ପରେଡ୍‌ ମାଧ୍ୟମରେ ହିଁ ଗହଣା ଫେରସ୍ତ କରାଯିବ ବୋଲି କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button