ଅପରାଧ

ବାସ୍ତୁଦୋଷ ବାହାନାରେ ମହିଳାଙ୍କୁ ଅସଦାଚରଣ: ବନ୍ଧାହେଲା ଭଣ୍ଡ ଜ୍ୟୋତିର୍ବିଦ୍‌ – Kalinga News

[ad_1]

୨ ଲକ୍ଷ ଦାବିରେ ବ୍ଲାକ୍‌ମେଲ୍‌, ଟାର୍ଗେଟ୍‌ରେ କଲେଜ୍‌ ଛାତ୍ରୀ

ଭୁବନେଶ୍ବର: ନିଜକୁ ଜଣେ ପ୍ରତିଷ୍ଠିତ ଜ୍ୟୋତିର୍ବିଦ୍ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଥିଲା। ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ ନିଜକୁ ବାବା ବେଶରେ ସଜାଇଥିଲା। ଗ୍ରହଶାନ୍ତି କରିବା, ବାସ୍ତୁଦୋଷ ଦୂର କରିବା ଭଳି ସାଧନାରେ ସିଦ୍ଧି ହାସଲ କରିଛି ବୋଲି ଦାବି କରୁଥିଲା। କିନ୍ତୁ ଅସଲ ଚେହେରା ଥିଲା ଭିନ୍ନ। ତା’ ଭିତରେ ଲୁଚିରହିଥିଲା ଏକ ଭୟଙ୍କର ଯୌନପିପାସୁ। କଥା ଚାତୁରିରେ ମହିଳାମାନଙ୍କୁ ଫସାଉଥିଲା। ଭଲ ପାଉଣା ପାଉଥିଲା। ମଉକା ଦେଖି ‌‌ଯୌନଲାଳସା ମେଣ୍ଟାଉଥିଲା। କିନ୍ତୁ ବେଶି ଦିନ ଛପି ରହିନଥିଲା ଭଣ୍ଡ ବାବାର ଏହି ସାଂଘାତିକ ଖେଳ। ନୂଆପଲ୍ଲୀ ବେହେରାସାହି ଅଞ୍ଚଳର ଜଣେ ମହିଳାଙ୍କୁ ଫସାଇବାକୁ ଯାଇ ନିଜେ ଫସିଗଲା। ଗତକାଲି ରାତିରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଗିରଫ କରିଛି। ଅଭିଯୁକ୍ତ ଭଣ୍ଡ ଜ୍ୟୋତିର୍ବିଦ୍‌ ହେଲା ଭଦ୍ରକ ପୀରହାଟ ସନ୍ଦୋଳ ଅଞ୍ଚଳର ନୀଳାମ୍ବର ପାଣି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେଠାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ପାରିବାରକି ସମସ୍ୟାକୁ ନେଇ ପୀଡ଼ିତା କିଛି ଦିନ ହେଲା ଘୋର ମାନସିକ ଅଶାନ୍ତିରେ ଦିନ କାଟୁଥିଲେ। ଝିଅର ଏହି ସମସ୍ୟାକୁ ନେଇ ମା’ ଚିନ୍ତାରେ ପଡ଼ିଥିଲେ। ଏମିତି ସମୟରେ ପୀଡ଼ିତାଙ୍କ ମା’ ଫେସ୍‌ବୁକ୍‌ ବିଜ୍ଞାପନରୁ ଜ୍ୟୋତିର୍ବିଦ୍‌ ନୀଳାମ୍ବର ବିଷୟରେ ଜାଣିବାକୁ ପାଇଥିଲେ। ମା’ଙ୍କ କଥାରେ ବିଶ୍ବାସ କରି ପୀଡ଼ିତା ଫୋନ୍‌ ଯୋଗେ ନୀଳାମ୍ବର ସହ ଯୋଗାଯୋଗ କରିଥିଲେ। ଏହାପରେ ନିଳାମ୍ବର ନୂଆପଲ୍ଲୀ ବେହେରାସାହିସ୍ଥିତ ପୀଡ଼ିତାଙ୍କ ଘରକୁ ଆସିଥିଲେ। ପୀଡ଼ିତାଙ୍କ ସମସ୍ୟା ଶୁଣିବା ପରେ ବାସ୍ତୁଦୋଷ ଓ ଗ୍ରହ ଅଶାନ୍ତି ଅଛି ବୋଲି ନୀଳାମ୍ବର କହିଥିଲା। ପୂଜାପାଠ ଦ୍ବାରା ସବୁ ସମସ୍ୟାର ସମାଧାନ କରିଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ପୂଜା ପଦ୍ଧତି ପର୍ଯ୍ୟାୟକ୍ରମେ ଲମ୍ବା ସମୟ ଧରିଚାଲିବ ଏବଂ କିଛି ଅଧିକ ଖର୍ଚ୍ଚ ହେବ ବୋଲି କହିଥିଲା। ପୀଡ଼ିତାଙ୍କ ସ୍ବାମୀ ଭୁବନେଶ୍ବର ବାହାରେ ରହୁଥିବା ଓ ତାଙ୍କ ପାଖରେ ଭଲ ପଇସା ଅଛି ବୋଲି ଜାଣିବା ପରେ ନୀଳାମ୍ବର ଏହି ଗୋଟି ଚାଳନା କରିଥିଲା। ପୀଡ଼ତା ସବୁ ସର୍ତ୍ତରେ ରାଜି ହୋଇଥିଲେ। ତେଣୁ ମଉକା ପାଇ ନୀଳାମ୍ବର ପୂଜାପାଠ କରିବା ଆଳରେ ପୀଡ଼ିତାଙ୍କ ଘରକୁ ଆସିଥିଲା। ପୂଜାର୍ଚ୍ଚନା କରିବାକୁ ସେ ବିଭିନ୍ନ ପର୍ଯ୍ୟାୟରେ ପୀଡ଼ିତାଙ୍କଠାରୁ ପ୍ରାୟ ୮୫ ହଜାର ଟଙ୍କା ନେଇଥିଲା। ମାତ୍ର ଏହାପରେ ବି ପୀଡ଼ିତାଙ୍କ ସମସ୍ୟା ଦୂର ହୋଇନଥିଲା। ତେଣୁ ପୀଡ଼ିତା ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥର ବାବା ନୀଳାମ୍ବର ତା’ର ଅସଲ ଚାଲ୍‌ ଚଳାଇଥିଲା। ଗ୍ରହଦୋଷ କାଟିବାକୁ ହେଲେ ଆଉ ଏକ ବଡ଼ଧରଣର ପୂଜା କରିବାକୁ ପଡ଼ିବ ବୋଲି କହିଥିଲା। ପୂଜା ବିଧି ବଡ଼ ବିଚିତ୍ର ବୋଲି କହି ଦୁଇଟି ପଦ୍ଧତି ବିଷୟରେ କହିଥିଲା।

ପ୍ରଥମଟି ଥିଲା ପୀଡ଼ିତା ଜଣେ ବ୍ରାହ୍ମଣଙ୍କୁ ଦିନକ ପାଇଁ ବାହାହେବେ। କିନ୍ତୁ ଏଭଳି ଅଜବ ସର୍ତ୍ତକୁ ପୀଡ଼ିତା ପ୍ରତ୍ୟାଖ୍ୟାନ କରିଥିଲେ। ସେହିଭଳି ଦ୍ବିତୀୟ ପଦ୍ଧତି ଥିଲା ଯେ ନୀଳାମ୍ବର ଆଗଦାନ୍ତରେ କାମୁଡ଼ିଥିବା ଏକ ଲବଙ୍ଗକୁ ମହିଳା ନିଜ ଓଠ ଲଗାଇ କାଢ଼ିନେବେ। ଏଭଳି ଅଜବ ପୂଜା ବିଧିରେ ପୀଡ଼ିତା ମୋଟେ ରାଜି ହୋଇନଥିଲେ। ଭଣ୍ଡ ନୀଳାମ୍ବରର ସବୁ ଚାଲ୍‌ ବିଫଳ ହେବା ପରେ ସେ ବଳପ୍ରୟୋଗ କରିଥିଲା। ମହିଳାଙ୍କୁ ଜୋର୍‌ ଜବରଦସ୍ତ ଟଣାଓଟରା କରି ଅସଦାଚରଣ କରିଥିଲା। କେବଳ ସେତିକି ନୁହେଁ, ଏସବୁ କାଣ୍ଡକୁ ନୀଳାମ୍ବର ମୋବାଇଲ୍‌ରେ ରେକର୍ଡିଂ କରାଇଥିଲା। ଲୋକଲଜ୍ଜାକୁ ଡରି ମହିଳା ଚୁପ୍‌ ରହିଥିଲେ। କିନ୍ତୁ ମହିଳାଙ୍କ ନିରବତାକୁ ତାଙ୍କ ଦୁର୍ବଳତା ବୋଲି ଧରିନେଇଥିଲା ଧୂର୍ତ୍ତ ନୀଳାମ୍ବର। ଏଥର ସେ ମହିଳାଙ୍କ ସ୍ବାମୀଙ୍କୁ ଫସାଇବାକୁ ଉଦ୍ୟମ କରିଥିଲା। ମହିଳାଙ୍କ ସ୍ବାମୀଙ୍କୁ ସେଦିନର ଫଟୋ ପଠାଇ ୨ ଲକ୍ଷ ଟଙ୍କା ଦାବି କରି ବ୍ଲାକ୍‌ମେଲ୍ କରିଥିଲା। ମହିଳାଙ୍କ ସ୍ବାମୀ ମଧ୍ୟ ଲୋକଲଜ୍ଜା ଭୟରେ ନୀଳାମ୍ବରକୁ ୨ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ। କିନ୍ତୁ ପୀଡ଼ିତା ଏହା ଜାଣିବା ପରେ ସ୍ବାମୀଙ୍କୁ ସବୁ ସତ କହିଦେଇଥିଲେ। ଭଣ୍ଡ ନୀଳାମ୍ବରର ଖେଳ ବୁଝିବା ପରେ ଦମ୍ପତି ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଥିଲେ।

ଟାର୍ଗେଟ୍‌ରେ କଲେଜ୍‌ ଛାତ୍ରୀ
ଭଣ୍ଡ ‌ଜ୍ୟୋତିର୍ବିଦ୍‌ ନୀଳାମ୍ବର କଲେଜ୍‌ ଛାତ୍ରୀଙ୍କ ଉପରେ ବେଶି ନଜର ରଖୁଥିଲା। ବିଶେଷକରି ପ୍ରେମ ସମ୍ପର୍କ ଭାଙ୍ଗିଯାଉଥିବା ଛାତ୍ରୀମାନଙ୍କୁ ଫସାଉଥିଲା। ପ୍ରେମ ଫାଟ ଯୋଡ଼ିବା ବାହାନାରେ ଛାତ୍ରୀମାନଙ୍କୁ ତା’ ଜାଲରେ ଛନ୍ଦି ଦେଉଥିଲା। ପୂଜାପାଠ ଆଳରେ ଅସଦାଚରଣ କରୁଥିଲା। ପୁଲିସ ସୂଚନାନୁସାରେ ସାଧାରଣତଃ ଲୋକଲଜ୍ଜା ଭୟରେ କେହି ସାମ୍ନାକୁ ଆସି ଏଭଳି ଅଭିଯୋଗ କରନ୍ତି ନାହିଁ। ଏବେ ତାକୁ ଅସଦାଚରଣ, ଠକେଇ, ବ୍ଲା‌କ୍‌ମେଲ୍‌ ଭଳି ସଂଗିନ୍‌ ଦଫାରେ ଗିରଫ କରାଯାଇଛି। ତେଣୁ ତା ବିରୋଧରେ ଅଭିଯୋଗ ତାଲିକା ଲମ୍ବା ହୋଇପାରେ। ତଥାପି ତା’ର ମୋବାଇଲ୍‌ ନମ୍ବରକୁ ଯାଞ୍ଚ କରାଯାଉଛି ଏବଂ ସେଥିରୁ କିଛି ସୁରାକ୍‌ ମିଳିବା ଆଶା କରାଯାଉଛି ‌ବୋଲି ପୁଲିସ କହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button