ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା – Kalinga News

[ad_1]
୧୪ବର୍ଷରେ ହୋଇଛି ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅନୁମତି ନଥାଇ ଖଣି ଖୋଳା ଚାଲିଥିଲା
ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଖଣି ଦୁର୍ନୀତି ପ୍ରସଙ୍ଗ ଫେରିଛି। ଆଜି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ଯେ ଓଡ଼ିଶାରେ ୨୦୦୦-୦୧ରୁ ୨୦୧୩-୧୪ ମଧ୍ୟରେ ୮,୯୭,୪୪୩ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ଏହାର ସିବିଆଇ ତଦନ୍ତ ପାଇଁ ବିଜେପି ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଖଣି ଦୁର୍ନୀତି ପ୍ରସଙ୍ଗରେ ମୋତେ ପୂର୍ବରୁ ଭୁଲ୍ ତଥ୍ୟ ଦିଆଯାଇଥିଲା। ଏହି ମହାଦୁର୍ନୀତିର ନିଶ୍ଚିତ ତଦନ୍ତ ହେବ। ଏହାସହ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଆମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ଦେଇଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ ୨୦୦୦ରୁ୨୦୧୪ ପର୍ଯ୍ୟନ୍ତ ଏହି ୧୪ବର୍ଷରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ରାଜ୍ୟ ସରକାର ଖଣି ଦୁର୍ନୀତି କରି ଓଡ଼ିଶାର ରାଜକୋଷକୁ ନଷ୍ଟ କରିଛନ୍ତି। ସରକାର ଜାଣିଥିଲେ ଯେ ଓଡ଼ିଶାର ୧୯୨ଟି ଖଣି ଲିଜ୍ ମଧ୍ୟରୁ ୧୭୬ ଖଣି ଲିଜ୍ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ। ଖଣି ଖନନ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅନୁମତି ଦେଇନି। ୯୮ଟି ଲିଜ୍ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଜଙ୍ଗଲ କ୍ଷେତ୍ରର ଅନୁମତି ପ୍ରଦାନ କରିନି। ୪୭ଟି ଖଣି ଜଙ୍ଗଲ ମଞ୍ଜୁରି ବିନା ଚାଲିଛି। ୫୫ଟି ଖଣି ନଦୀ, ଉପନଦୀ ନାଳ ଅଞ୍ଚଳକୁ ପ୍ରଭାବିତ କରୁଛି। ମୁଖ୍ୟମନ୍ତ୍ରୀ ଏସବୁ ଜାଣିକି ବି ବେଆଇନ ଭାବେ ଖଣି ଖନନ ପାଇଁ ଅନୁମତି ଦେଇଥିଲେ। ତେଣୁ ରାଜ୍ୟରେ ହୋଇଥିବା ବେଆଇନ ଖଣି ଖନନ ନେଇ ଯଥାଶୀଘ୍ର ସିବିଆଇ ତଦନ୍ତ କରିବାକୁ ଆମେ ଦାବି କରିଛୁ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ୧୯୨ଖଣି ଲିଜ୍ ମଧ୍ୟରୁ ୯୪ଟି ବିନା ପରିବେଶ ମଞ୍ଜୁରି, ୭୫ଖଣି ଲୁହାପଥର ଓ ମାଙ୍ଗାନିଜ ଖଣିରୁ ଅଧିକ ଉତ୍ତୋଳନ କରିଥିଲେ। ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ଖଣିକୁ ଯେଉଁ ଲିଜ୍ ଦିଆଯାଇଛି ସେ କ୍ଷେତ୍ରରେ ଜଙ୍ଗଲ ମଞ୍ଜୁରି ବିନା ସେମାନଙ୍କୁ ପରିବେଶ ଅନୁମୋଦନ ପ୍ରଦାନ କରାଯାଇଛି। ବେଆଇନ ଭାବେ ଚାଲିଥିବା ଖଣିରୁ ଆଦାୟ କରାଯାଉଥିବା ଜରିମାନା ଟଙ୍କା ବହୁତ କମ୍। ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଆଗାମୀ ନିର୍ବାଚନରେ ରାଜ୍ୟ ସରକାରଙ୍କୁ ଓଡ଼ିଶାବାସୀ ଉଚିତ ଜବାବ ଦେବେ।
ଶ୍ରୀ ମିଶ୍ର କହିଛନ୍ତି ଯେ ଖଣି ଅଞ୍ଚଳରେ ନଦୀ ପ୍ରଭାବିତ ହୋଇ ଜଳ ପ୍ରଦୂଷଣ କରୁଛି, କିନ୍ତୁ ଏଯାଏଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ସେହି ପ୍ରଦୂଷିତ ଜଳକୁ ସ୍ଥାନୀୟ ଗ୍ରାମବାସୀ, ଆଦିବାସୀ, ବନ୍ୟଜନ୍ତୁ ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି। ସୁନ୍ଦରଗଡ, କେନ୍ଦୁଝର ଜିଲ୍ଲାର ପ୍ରକଳ୍ପ ହାତୀ କରିଡ଼ର ସହ ୩୧ଟି ଖଣି ସଂଲଗ୍ନ ହୋଇଛି। ଏହା ଫଳରେ ହାତୀଙ୍କ ଦ୍ୱାରା ଧନଜୀବନ ହାନୀ ଓ ଫସଲ ଧ୍ୱଂସ ହେଉଛି। ଏହି ଅବସରରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ଶାହ କମିସନ ଯେଉଁ ସବୁ ସୁପାରିସ କରିଥିଲେ ତାହାକୁ ରାଜ୍ୟ ସରକାର ଲାଗୁ କରନ୍ତୁ। ଖଣି ଦୁର୍ନୀତିରେ ବିଜେଡି, ବିଜେପି, କଂଗ୍ରେସ ସମେତ ଯେଉଁ ଦଳର ନେତା ସାମିଲ୍ ଥିଲେ ବି ସିବିଆଇ ତଦନ୍ତ ଆମର ଦାବି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଜ ଆଡ଼ୁ ସିବିଆଇ ତଦନ୍ତ କରନ୍ତୁ କିମ୍ବା ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରନ୍ତୁ। ଆଗକୁ ଏହି ଖଣି ଦୁର୍ନୀତି ପ୍ରସଙ୍ଗରେ ଅଧିକ ତଥ୍ୟ ଦେବି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର, ଗଣମାଧ୍ୟମ ସହସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
[ad_2]




