ରାଜନୀତି

ମାଓ କ୍ୟାମ୍ପ୍‌ ଏବେ ଯବାନଙ୍କ ଆଶ୍ରୟସ୍ଥଳୀ: କାନ୍ଥରେ ଝୁଲୁଛି ମୃତ କମ୍ରେଡ୍‌ଙ୍କ ଫଟୋ – Kalinga News

[ad_1]

ସେଣ୍ଟ୍ରାଲ୍‌ କମିଟିର ଅଧ୍ୟକ୍ଷ ସହ ବହୁ ନେତା ଏଠାରେ ରାତ୍ରିଯାପନ କରୁଥିଲେ

ପ୍ରେମେନ୍ଦ୍ର ପରିଚ୍ଛା

ମାଲକାନଗିରି: ଦିନେ ଏଠାରୁ ରଣନୀତି କରି ମାଓବାଦୀ ପ୍ରଜାମେଳି, ସଭା ସହ ପୁଲିସ୍‌ ଓ ସୁରକ୍ଷାବାହିନୀକୁ ଟାର୍ଗେଟ୍ କରୁଥିଲେ। ଆଜି ସେହି କ୍ୟାମ୍ପରୁ ସୁରକ୍ଷା ବାହିନୀ ମାଓବାଦୀଙ୍କୁ ଟାର୍ଗେଟ୍ କରୁଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ସ୍ବାଭିମାନ ଅଞ୍ଚଳରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଅଫିସ୍‌କୁ ସୁରକ୍ଷାକର୍ମୀ ନିଜ ଅକ୍ତିଆରକୁ ନେବା ପରେ ରୋଚକ ଚିତ୍ର ଦେଖିବାକୁ ମିଳିଛି। ଯୋଡ଼ାମ୍ବରେ ଥାନା ପ୍ରତିଷ୍ଠା ପରେ ନକ୍ସଲ୍‌ ପଛଘୁଞ୍ଚା ଦେଇଛନ୍ତି। ବିଚ୍ଛିନ୍ନାଞ୍ଚଳରେ ପୂର୍ବରୁ ପୁଲିସ୍ ପହଞ୍ଚି ପାରୁନଥିଲା। ଏହାର ସୁଯୋଗ ନେଇ ମାଓବାଦୀ ଏଠାରେ ସ୍ଥାୟୀ କ୍ୟାମ୍ପ କରି ରହୁଥିଲେ। କ୍ୟାମ୍ପରେ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ସହ ଅନ୍ୟ କ୍ୟାଡର୍‌ ମାଓବାଦୀ ରହୁଥିଲେ। ମୃତ କମ୍ରେଡ୍‌ଙ୍କ ଫଟୋଗୁଡ଼ିକୁ ସୁସଜ୍ଜିତ କରି ରଖିଥିଲେ। ଗୋଟିଏ କୋଠରିରେ ମାଓବାଦୀମାନେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଅନ୍ୟ ଘରଟି ରୋଷେଇ ପାଇଁ ବ୍ୟବହାର କରାଯାଉଥିଲା। ଏହି ଅଞ୍ଚଳ ସଂପୂର୍ଣ୍ଣ ନିରାପଦ ଥିବାରୁ ସେଣ୍ଟ୍ରାଲ କମିଟିର ଅଧ୍ୟକ୍ଷ ସହ ବହୁ ନେତା ଏଠାରେ ରାତ୍ରିଯାପନ କରୁଥିଲେ।

କାନ୍ଥରେ ଝୁଲୁଛି ମୃତ କମ୍ରେଡ୍‌ଙ୍କ ଫଟୋ
ସେଣ୍ଟ୍ରାଲ୍‌ କମିଟିର ଅଧ୍ୟକ୍ଷ ସହ ବହୁ ନେତା ଏଠାରେ ରାତ୍ରିଯାପନ କରୁଥିଲେ
ଆଗାମୀ ପିଢ଼ି ପାଇଁ ମାଓ କାର୍ଯ୍ୟକଳାପର ମୂକସାକ୍ଷୀ ହୋଇରହିବ

ଏବେ ସ୍ଥାନୀୟ ଲୋକଙ୍କ କହିବା କଥା, ଗୁରୁପ୍ରିୟା ସେତୁ ହେବା ପରେ ଯବାନ ଧୀରେ ଧୀରେ ସ୍ବାଭିମାନ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଥିଲେ। ବର୍ତ୍ତମାନ ସ୍ବାଭିମାନ ଅଞ୍ଚଳରେ ଥିବା ୯ଟି ପଞ୍ଚାୟତରେ ବିଏସ୍‌ଏଫ୍‌ କ୍ୟାମ୍ପ ରହିଛି। ଯବାନମାନେ ସ୍ବାଭିମାନ ଅଞ୍ଚଳର ୧୫୨ଟି ଗ୍ରାମକୁ ଜଗି ରହିଛନ୍ତି। ଯୋଡ଼ାମ୍ବ ଥାନା ପ୍ରତିଷ୍ଠା ପରେ ଏହି ଅଞ୍ଚଳରେ ଶାନ୍ତି ବଜାୟ ରହିଛି। ନକ୍ସଲ ଏହି ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଛନ୍ତି, ଆଉ ପଶି ପାରୁନାହାନ୍ତି। କୌଣସି ପ୍ରକାରେ ଲୋକଙ୍କୁ ଭୁତାଇବାକୁ ନକ୍ସଲ ଉଦ୍ୟମ କରୁଥିଲେ ହେଁ ବିଫଳ ହେଉଛନ୍ତି। ଅନ୍ୟପଟେ ଅଞ୍ଚଳବାସୀ ସଚେତନ ହେବା ପରେ ନକ୍ସଲଙ୍କୁ ଆଉ ଭୟ କରୁନାହାନ୍ତି। ଚଳିତ ନିର୍ବାଚନରେ ସ୍ବାଭିମାନ ଅଞ୍ଚଳର ସମସ୍ତ ୨୩ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିଲା। ସ୍ବାଭିମାନ ଅଞ୍ଚଳରେ ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ୭୧ ପ୍ରତିଶତ ମତଦାନ ହୋଇଥିଲା। ପୂର୍ବରୁ ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଥିବା ନକ୍ସଲମାନେ ଚଳିତ ନିର୍ବାଚନରେ କୌଣସି ସ୍ଥାନରେ ବ୍ୟାନର କିମ୍ବା ପୋଷ୍ଟର ମାରି ପାରିନଥିଲେ। ନିର୍ବାଚନକୁ ଦୃଷ୍ଟିରେ ରଖି ଯବାନଙ୍କ ପକ୍ଷରୁ ଅଞ୍ଚଳରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଶେଷ କରି ଏଥିରେ ପୁଲିସ୍, ବିଏସ୍‌ଏଫ୍‌ ଏବଂ ଜିଲ୍ଲା ପ୍ରଶାସନର ଭୂମିକା ପ୍ରଶଂସନୀୟ। ମାଓ କ୍ୟାମ୍ପ ଅଫିସକୁ ତତ୍କାଳୀନ ଡିଜିପି ନ ଭାଙ୍ଗିବାକୁ ପରାମର୍ଶ ଦେଇଥିଲେ। କାରଣ ଆଗାମୀ ପିଢ଼ି ପାଇଁ ଏହା ଇତିହାସ ଏବଂ ସେମାନଙ୍କ ସଂପର୍କୀୟଙ୍କ ମୃତ୍ୟୁର ମୂକସାକ୍ଷୀ ହୋଇ ରହିବ ବୋଲି ସେ କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button