ମନୋରଞ୍ଜନ

ପ୍ରିୟଙ୍କାଙ୍କ ଝିଅ ମାଲତୀ ବାନ୍ଧିଲେ ପରିଣୀତିଙ୍କ ପୁଅ ନୀରଙ୍କୁ ରାକ୍ଷୀ, ଫ୍ୟାନ୍ସଙ୍କ ମନ ଜିତିଛି ଏଇ ଛୋଟିଆ ଝଲକ

ବଲିଉଡରୁ ଆସିଛି ଏକ ଖାସ୍ ଖବର । ରକ୍ଷାବନ୍ଧନ ଅବସରରେ ଭାଇ ଭଉଣୀର ଭଲପାଇବାରେ ଭିଜିଛି ଚୋପ୍ରା ପରିବାର । ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କ ପୁଅ ନୀର୍ ପାଳନ କରିଛନ୍ତି ତାଙ୍କର ପ୍ରଥମ ରକ୍ଷାବନ୍ଧନ । ଆଉ ଏହି ଖାସ୍ ଦିନରେ ଦୂରରେ ଥାଇ ମଧ୍ୟ ଭାଇ ନୀରଙ୍କୁ ଭୁଲିନାହାନ୍ତି କଜିନ୍ ଭଉଣୀ ମାଲତୀ ମେରି ଚୋପ୍ରା ଜୋନାସ୍ । ମାଲତୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସଙ୍କ ଝିଅ ।

ମାଲତୀ ନୀରଙ୍କ ପାଇଁ ପଠାଇଛନ୍ତି ଏକ ସ୍ୱତନ୍ତ୍ର ରାକ୍ଷୀ । ରାକ୍ଷୀରେ ରହିଛି ଏକ ସୁନ୍ଦର ଭିଣ୍ଟେଜ୍ କାର୍‌ର ଡିଜାଇନ୍ । ପରିଣୀତି ନୀରଙ୍କ ଛୋଟ ହାତରେ ବନ୍ଧା ରାକ୍ଷୀର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଏବେ ଚର୍ଚ୍ଚାରେ । ଫଟୋ ସହ ପରିଣୀତି ଲେଖିଛନ୍ତି-ମୋ ପ୍ରଥମ ରାକ୍ଷୀ ପାଇଁ ଧନ୍ୟବାଦ ମାଲତୀ ଦିଦି । ଅନେକ ଭଲପାଇବା, ନୀର୍ । ପରିଣୀତିଙ୍କ ଏହି ପୋଷ୍ଟକୁ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ପ୍ରିୟଙ୍କା ଚୋପ୍ରା । ଆଉ ଲେଖିଛନ୍ତି-ଦିଦି ତୁମକୁ ବହୁତ ଭଲପାଏ, ବେବି ନୀର୍ ।

ନୀରଙ୍କ ଜନ୍ମ ପରେ ମଧ୍ୟ ପରିଣୀତିଙ୍କ ପରିବାରକୁ ଭୁଲିନଥିଲେ ପ୍ରିୟଙ୍କା ଓ ନିକ୍ ଜୋନାସ୍ । ନବଜାତ ନୀରଙ୍କ ପାଇଁ ଉପହାର ଓ ବିଭିନ୍ନ ସାମଗ୍ରୀ ପଠାଇଥିଲେ ଦୁହେଁ । ସେତେବେଳେ ପରିଣୀତି ମଧ୍ୟ ସୋସିଆଲ ମିଡିଆରେ ଏହାର ଝଲକ ଦେଇ ଲେଖିଥିଲେ-ନୀର୍ ଏବେଠାରୁ ଆଦରରେ ବୁଡ଼ିଗଲାଣି ।

ଆଉ ଏବେ, ନୀରଙ୍କ ପ୍ରଥମ ରକ୍ଷାବନ୍ଧନରେ ମାଲତୀଙ୍କ ଏହି ଖାସ ରାକ୍ଷୀ ଭାଇ-ଭଉଣୀର ସମ୍ପର୍କକୁ ଆହୁରି ସ୍ୱତନ୍ତ୍ର କରିଦେଇଛି । ଆମେରିକାରେ ରହୁଥିଲେ ମଧ୍ୟ ଭାରତୀୟ ପରମ୍ପରା ଓ ପର୍ବପର୍ବାଣୀକୁ ଭୁଲିନାହାନ୍ତି ପ୍ରିୟଙ୍କା ଚୋପ୍ରା । ଦୀପାବଳିଠାରୁ ଆରମ୍ଭ କରି ହୋଲି ପର୍ଯ୍ୟନ୍ତ ପରିବାର ସହ ବିଭିନ୍ନ ଭାରତୀୟ ପର୍ବ ପାଳନ କରୁଥିବାର ଝଲକ ସେ ସୋସିଆଲ ମିଡିଆରେ ସେୟାର କରିଆସିଛନ୍ତି । ତେବେ ନୀରଙ୍କ ପ୍ରଥମ ରାକ୍ଷୀର ଏହି ଛୋଟିଆ ଝଲକ ଏବେ ଫ୍ୟାନ୍ସଙ୍କ ମନ ଜିତିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button