ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଶୁଭ ଲଗ୍ନ । ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ, ମଙ୍ଗଳବାର ଦିନ ଦିବା ୧୦ଟା ୧୧ ମିନିଟ୍ ୧୬ ସେକେଣ୍ଡରୁ ୧୨ଟା ୨୬ ମିନିଟ୍ ୧୮ ସେକେଣ୍ଡ ମଧ୍ୟରେ ମହାପ୍ରଭୁଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯିବ ।
ଧାର୍ଯ୍ୟ ଲଗ୍ନ ଅନୁଯାୟୀ ନୃସିଂହନାଥ ମହାପ୍ରଭୁଙ୍କ ନିକଟରେ ଯଥାରୀତି ନୀତିକାନ୍ତି ସମ୍ପନ୍ନ ହେବା ପରେ ନବାନ୍ନ ଭୋଗ ଲାଗିବ । ଏହାପରେ ପଶ୍ଚିମ ଓଡ଼ିଶାର ଲୋକେ ନୂଆଖାଇ ପର୍ବ ପାଳନ କରିବେ । ନୂଆଖାଇ ଲଗ୍ନ ଧାର୍ଯ୍ୟ ସମୟରେ ନୃସିଂହନାଥ ପୀଠର ସମସ୍ତ ପୂଜକ ଏବଂ କୁଳ ପୁରୋହିତ ଉପସ୍ଥିତ ଥିଲେ । ସେମାନଙ୍କ ଉପସ୍ଥିତିରେ ନୂଆଖାଇର ଶୁଭ ଲଗ୍ନ ଧାର୍ଯ୍ୟ କରାଯାଇଛି ।
ମନ୍ଦିର ବୋର୍ଡ ପକ୍ଷରୁ ଧାର୍ଯ୍ୟ ଲଗ୍ନ ଅନୁସାରେ ପଶ୍ଚିମାଞ୍ଚଳର ସମସ୍ତ ଜନସାଧାରଣଙ୍କୁ ନୂଆଖାଇ ପାଳନ କରିବାକୁ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଅନୁରୋଧ କରିଛନ୍ତି । ପଶ୍ଚିମ ଓଡ଼ିଶାର ଏହି ଗଣପର୍ବକୁ ନେଇ ଏବେଠାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।



