ଆପଣ କରୁଛନ୍ତି କି ଆଇଲାସେସ୍ ଏକ୍ସଟେନସନ୍? ତେବେ ହୋଇପାରେ କ୍ଷତିକାରକ

ସୁନ୍ଦର ଦେଖାଯିବା ସହିତ ନିଜକୁ ଏକ ଅଲଗା ଲୁକ୍ ଦେବା ପାଇଁ ବର୍ତ୍ତମାନ ଯୁବପିଢ଼ି ‘ଆଇଲାସେସ୍ ଏକ୍ସଟେନସନ୍’ କରୁଛନ୍ତି। ଏହି ପ୍ରକ୍ରିୟାରେ ଆଖିପତାର କେଶକୁ ଲମ୍ୱା ଓ ଘନ କରାଯାଇଥାଏ। ଏହା ବ୍ୟତୀତ ମାର୍କେଟ୍ରେ ରେଡିମେଡ୍ ଆଇଲାଶେସ୍ ମଧ୍ୟ ଉପଲବ୍ଧ ହେଉଛି, ଯାହାକୁ ବ୍ୟବହାର କରିବା ପରେ ପିଙ୍ଗି ଦିଆଯାଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଆଇଲାସେସ୍ ଏକ୍ସଟେନସନ୍ କଲେ ଆପଣଙ୍କ ଆଖି ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥାଏ ।
ପାର୍ଲର୍ କିମ୍ୱା ମେଡିକାଲ୍ ଆପଣ ଯେଉଁଠି ବି ଆଇଲାସେସ୍ ଏକ୍ସଟେନସନ୍ କରୁଛନ୍ତି, ମନେ ରଖନ୍ତୁ ଏହାଦ୍ୱାରା ଆପଣଙ୍କ ଆଖିପତାର କେଶ କେବଳ ୬ ମାସ ପାଇଁ ବୃଦ୍ଧି ହୋଇଥାଏ। ଏହି ଏକ୍ସଟେନସନ୍ ପାଇଁ ୨ ଘଣ୍ଟା ସମୟ ଲାଗିଥାଏ। ଏହି ପ୍ରକ୍ରିୟାରେ ଆପଣଙ୍କ ଆଖିରେ କେମିକାଲ୍ ପ୍ରୟୋଗ କରାଯାଇଥାଏ ଏବଂ ସିନ୍ଥେଟିକ୍ କେଶକୁ ଲିକ୍ୱିଡ୍ ସାହାଯ୍ୟରେ ଆଇଲାସେସ୍ ସହିତ ଯୋଡ଼ା ଯାଇଥାଏ। ଯଦି ପରେ ଆପଣ ଭବିଷ୍ୟତରେ ଆଇଲାସେସ୍ ବାହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରଫେସନାଲଙ୍କ ସାହାଯ୍ୟ ନେବାକୁ ପଡ଼ିବ।
ସେହିପରି ମାର୍କେଟ୍ ରେ ମିଳୁଥିବା ଆଇଲାସେସ୍ ଲଗାଇବା ପାଇଁ ଅଠାର ବ୍ୟବହାର କରାଯାଇଥାଏ। ଏଥିପାଇଁ ଆପଣଙ୍କ ଆଖି କୁଣ୍ଡେଇ ହେବା ଓ ପୋଡ଼ିବା ପରି ସମସ୍ୟା ଉପୁଜିଥାଏ। ଏହିକାରଣରୁ ଆଖିରେ ଏହିପରି କୌଣସି ଜିନିଷ ଲଗାଇବା ପୂର୍ବରୁ ଏହାର ଲାଭ ଓ କ୍ଷତି ବିଷୟରେ ଜାଣି ନିଅନ୍ତୁ। ନଚେତ ଆପଣଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହେବାର ଆଶଙ୍କା ଉପୁଜିଥାଏ।




