ଭାରତ–ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ର ଆଜି ଶୁଭାରମ୍ଭ, ଭଦୋଦରାରେ ପ୍ରଥମ ମ୍ୟାଚ

ଭଦୋଦରା: ଆଜିଠୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ (ଓଡିଆଇ) ସିରିଜ୍ର ଶୁଭାରମ୍ଭ ହେଉଛି। ସିରିଜ୍ର ପ୍ରଥମ ମ୍ୟାଚ ଭଦୋଦରାରେ ଖେଳାଯିବାକୁ ଥିବା ବେଳେ, ଆସନ୍ତା ମାସରେ ହେବାକୁ ଥିବା ଟି–୨୦ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଏହି ସିରିଜ୍କୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ଦଳ ଗଠନ, ଖେଳାଳିଙ୍କ ଫର୍ମ ଓ ରଣନୀତି ପରୀକ୍ଷା ପାଇଁ ଏହି ସିରିଜ୍ ଭାରତୀୟ ଟିମ୍କୁ ଏକ ଉତ୍ତମ ମଞ୍ଚ ଦେବ।
ସବୁଙ୍କ ନଜର ଆଜି “ରୋ–କୋ” ଯୁଗଳ—ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିବ। କେବଳ ଦିନିକିଆ ଫର୍ମାଟରେ ଖେଳୁଥିବା ଏହି ଦୁଇ ସିନିୟର ବ୍ୟାଟର ସମ୍ପ୍ରତି ଚଳିଥିବା ବିଜୟ ହଜାରେ ଟ୍ରଫି ଘରୋଇ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଲେଖାଏଁ ମ୍ୟାଚରେ ଉତ୍ତମ ପ୍ରଦର୍ଶନ କରି ଫର୍ମରେ ଥିବା ସଙ୍କେତ ଦେଇଛନ୍ତି। ଆନ୍ତର୍ଜାତୀୟ ମଞ୍ଚରେ ତାହାକୁ ଅବ୍ୟାହତ ରଖିବା ହିଁ ଦଳର ଆଶା।
ସେହିପରି, ଟି–୨୦ ବିଶ୍ୱକପ୍ ଦଳରୁ ବାଦ ପଡିଥିବା ଅଧିନାୟକ ଶୁବମନ ଗିଲଙ୍କ ପାଇଁ ଏହି ସିରିଜ୍ ବିଶେଷ ଗୁରୁତ୍ୱ ରଖେ। ଆହତ କାରଣରୁ ସେ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଅଂଶଗ୍ରହଣ କରିପାରିନଥିଲେ। ଏବେ ଫିଟ୍ ହୋଇ ଫେରିଥିବା ଗିଲଙ୍କ ପାଖରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ରହିଛି।
ନ୍ୟୁଜିଲାଣ୍ଡ ଦଳ ସଦା ଭାରତ ପାଇଁ ଏକ କଠିନ ପ୍ରତିଦ୍ୱନ୍ଦ୍ୱୀ ଭାବେ ପରିଚିତ। ଏହିପରିସ୍ଥିତିରେ ଆଜିର ମୁକାବିଲା ଦୁଇ ଦଳ ପାଇଁ ରଣନୀତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ।




