ରାଜ୍ୟ

ବାଲିରୁ ପୁନରୁଦ୍ଧାର ହୋଇଥିବାରୁ ବାବା ବାଲି ଲୋକନାଥଙ୍କ ନାମରେ ନାମିତ ହେଲେ ମହାଦେବ

ଗଞ୍ଜାମ ବ୍ଲକର ଋଷିକୁଲ୍ୟା ନଦୀ ପାର୍ଶ୍ୱସ୍ଥ ମାଳି ଜଗନ୍ନାଥପୁର ଗାଁରେ ପ୍ରାୟ ୭ ଏକର ଜାଗାରେ ରହିଛି ବାବା ବାଲି ଲୋକନାଥଙ୍କ ମନ୍ଦିର । ପୌରାଣିକ କିମ୍ବଦନ୍ତୀ କୁହେ, ପ୍ରଭୁ ରାମଚନ୍ଦ୍ର ଵନବାସ ସମୟରେ ଏଠି ମହାଦେବଙ୍କ ଲିଙ୍ଗ ସ୍ଥାପନ କରି ପୂଜାର୍ଚନା କରିଥିଲେ । କାଳକ୍ରମେ ତାହା ନଦୀ ବାଲିରେ ପୋତି ହୋଇଯାଇଥିଲା । ଏକଦା ପାରଳା ମହାରାଜା ପୁରୀରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ପୋତି ହୋଇ ଯାଇଥିବା ମନ୍ଦିରର ତ୍ରିଶୂଳ ଘୋଡା ଟାପୁରେ ବାଜି ରକ୍ତସ୍ରାବ ହୋଇଥିଲା ।

ପରେ ରାଜାଙ୍କ ଆଦେଶରେ ପୋତି ହୋଇଥିବା ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା । ବାଲିରୁ ଉଦ୍ଧାର କରାଯାଇଥିବାରୁ ମହାଦେବଙ୍କୁ ବାଲି ଲୋକନାଥଙ୍କ ନାମରେ ନାମିତ କରାଯାଇଥିଲା । ଏହାର ଶ୍ରେୟ ପାଇଁ ପାରଳା ମହାରାଜା ଓ ଆଠଗଡ଼ ରାଜାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ମନ୍ଦିର ଦାୟିତ୍ୱ ଆଠଗଡ଼ ରାଜାଙ୍କୁ ହସ୍ତାନ୍ତର କରାଯାଇଥିଲା । ବାବା ବାଲି ଲୋକନାଥଙ୍କ ଭୋଗରାଗ ପାଇଁ ପାରଳା ରାଜା କିଛି ଜମି ପୂଜାରୀମାନଙ୍କୁ ପ୍ରଦାନ କରିଥିଲେ । ସେହି ଜାଗା ଏବେ ମାଳି ଜଗନ୍ନାଥପୁର ଓ କଲ୍ୟାଣପୁର ଗାଁ ନାମରେ ବେଶ ପରିଚିତ ।

ସେହି ଗ୍ରାମର ପ୍ରାୟ ୮୦ ପରିବାର ନିଜ ମଧ୍ୟରେ ପାଳି କରି ବାବା ବାଲି ଲୋକନାଥଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି । ପ୍ରତି ମାସର ସୋମବାର, ଶନିବାର, ସଂକ୍ରାନ୍ତି, ଶିବରାତ୍ରି, କାର୍ତ୍ତିକ ଓ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ବହୁ ଭକ୍ତ ବାବା ବାଲି ଲୋକନାଥଙ୍କ ଦର୍ଶନ କରିଥାନ୍ତି । ଶ୍ରାବଣ ସୋମବାରେ କାଉଡିଆମାନେ ବାବାଙ୍କୁ ଜଳାଭିଷେକ କରିଥାନ୍ତି । ଦିନର ପ୍ରଥମ ପ୍ରହରରେ ଏଠି ବାବାଙ୍କୁ ନଡ଼ିଆ ଓ କଦଳୀ ଭୋଗ ଲାଗିକରାଯାଏ । ମଧ୍ୟାହ୍ନରେ ବାବାଙ୍କୁ ଭାତ, ଡାଲମା ଭୋଗ ଲାଗି କରାଯାଇଥାଏ ।

ପାର୍ଶ୍ଵ ଦେବଦେବୀ ଭାବେ ଗଣେଶ, ପାର୍ବତୀ, କାର୍ତ୍ତିକେୟ ଓ କାଶୀବିଶ୍ୱନାଥ ପୂଜା ପାଉଛନ୍ତି । ପାରଳା ମହାରାଜା କାଶୀବିଶ୍ୱନାଥଙ୍କୁ ବସାଇଥିଲେ । ଲୋକଙ୍କ ବିଶ୍ୱାସ ରହିଛି ଭକ୍ତଙ୍କ ଡାକ ଶୁଣି ସବୁ ସମସ୍ୟାର ସମାଧାନ କରିଥାନ୍ତି ବାବା ଲୋକନାଥ । ଆଉ ଏହି ବିଶ୍ୱାସକୁ ଆଧାର କରି ଭକ୍ତ ଛୁଟି ଆସନ୍ତି ବାବା ବାଲି ଲୋକନାଥଙ୍କ ପୀଠକୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button