ଦୃଷ୍ଟିହୀନ ହୋଇ ପିଲାମାନଙ୍କୁ ଭବିଷ୍ୟତର ରାସ୍ତା ଦେଖାଉଛନ୍ତି ରୁବେନ ସାର୍, ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦିବ୍ୟାଙ୍ଗତା

ରାଇକିଆ: ଆଖିରେ କଳା ଚଷମା ହାତରେ ଆଶାବାଡ଼ି । ସାଧାରଣ ଲୋକ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆଖିକୁ ଦେଖା ଯାଉନଥିଲେ ବି ଏତେ ଗୁଡିଏ ପିଲାଙ୍କୁ ପାଠ କେମିତି ପଢ଼ାଉଛନ୍ତି । ତାଙ୍କ ଠାରୁ ପାଠ ପଢିଥିବା ପିଲା ପଞ୍ଚାୟତରେ ସର୍ବୋଚ୍ଚ ନମ୍ବର ରଖୁଛନ୍ତି । ତାଙ୍କ ଠାରୁ ଶିକ୍ଷା ପାଇ ବହୁ ମେଧାବୀ ଛାତ୍ରଛାତ୍ରୀ ବଡ଼ ବଡ଼ ପଦବୀରେ ଚାକିରୀ କରୁଛନ୍ତି ।
ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦିବ୍ୟାଙ୍ଗତା । ସବୁ ପାଠକୁ ଅତି ସରଳତାର ସହ ପଢାଇ ପିଲାମାନଙ୍କୁ ଭବିଷ୍ୟତର ରାସ୍ତା ଦେଖାଉଛନ୍ତି ଦିବ୍ୟାଙ୍ଗ ଶିକ୍ଷକ ରୁବେନ ସାର୍ ।
ଆଜି ଆମେ ଏମିତି ଏକ ଶିକ୍ଷକଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଯେତେ ପ୍ରଶଂସା କଲେବି କମ୍ ହେବ । ଆଖି ଥିବା ଶିକ୍ଷକ ବି ଏହି ପରି କାର୍ଯ୍ୟ କରିବା ବହୁତ୍ କମ ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ଗୁଟିଂଙ୍ଗିଆ ପଞ୍ଚାୟତ ମଲ୍ଲିକପଡା ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୧୨ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷ ହେଲା ଶିକ୍ଷକତା କରିଆସୁଛନ୍ତି । ସେ ଜନ୍ମରୁ ଦୃଷ୍ଟିହୀନ କିଛି ବି ଦେଖି ପାରନ୍ତିନି । ହେଲେ ସ୍କୁଲରେ ପିଲାମାନଙ୍କୁ ବ୍ରେଲି ବହି ସାହାଯ୍ୟରେ ଗଣିତ ହେଉ କି ଇଂରାଜୀ କିମ୍ବା ସାହିତ୍ୟ ହେଉ ଅବା ଚିତ୍ରାଙ୍କନ ସବୁ ପାଠକୁ ଅତି ସହଜ ଏବଂ ସରଳରେ ବୁଝାଇଥାନ୍ତି ।
ଆଖି ଥିବା ଲୋକଙ୍କ ଭଳି ପିଲାଙ୍କୁ ପଢାନ୍ତି । ପିଲାମାନେ ବି ସାରଙ୍କ ପଢ଼ା ବହୁତ ଭଲରେ ବୁଝନ୍ତି । ସାର୍ ସ୍କୁଲକୁ ନିୟମିତ ଆସନ୍ତି ଏବଂ ପାଠ ପଢ଼ାଇବା ସହ ପିଲାମାନଙ୍କ ସହ ଖେଳନ୍ତି । ଏହି ସ୍କୁଲରୁ ପିଢି ପରେ ପିଢ଼ି ଭଲ ମଣିଷଟିଏ ହୋଇଛନ୍ତି । ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି । ଆଉ କେତେ ଛାତ୍ରଛାତ୍ରୀ ମାନେ ବଡ଼ ବଡ଼ ପଦବୀରେ ଚାକିରୀ ବି କରୁଛନ୍ତି । ଆଉ କିଛି ଛାତ୍ର ଛାତ୍ରୀ ବାହାର ଜିଲ୍ଲାରେ ବର୍ତ୍ତମାନ ବିଟେକ୍, ବିକମ ପାଠ ପଢ଼ୁଛନ୍ତି । ହେଲେ ଏବେ ବି ସାରଙ୍କୁ ଭୁଲି ନାହାନ୍ତି ପିଲାମାନେ । ଯେବେବି ଛୁଟିରେ ନିଜ ଗାଁକୁ ଆସନ୍ତି ପ୍ରଥମେ ରୁବେନ ସାରଙ୍କ ପାଖକୁ ଆସନ୍ତି ।
ସାର୍ ବି ପିଲାମାନଙ୍କୁ ନ ଭୁଲି ଦିନ ହେଉ କି ରାତି ଯେତେବେଳେ ସମୟ ମିଳେ ପିଲାମାନଙ୍କୁ ଫୋନ କରି ଭଲ ମନ୍ଦ ପଚାରନ୍ତି ତାଗିଦ୍ ବି କରନ୍ତି । ପିଲାମାନେ ବି ଆଜି ପର୍ଯ୍ୟନ୍ତ ସାରଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାରଙ୍କଠାରୁ ଆଶୀର୍ବାଦ ନିଅନ୍ତି । ରୁବେନ ସାର୍ ପିଲାମାନଙ୍କୁ ନିଜ ପିଲା ପରି ସ୍ନେହ ଆଦର କରିଥାନ୍ତି । ସେମାନଙ୍କ ସୁଖ ଦୁଃଖ ବୁଝନ୍ତି । ଗୋଟିଏ ଶିକ୍ଷକର କର୍ତ୍ତବ୍ୟ ଠୁ ବି ଅଧିକ ଗୋଟିଏ ବାପାର କର୍ତ୍ତବ୍ୟ କରିଥାଆନ୍ତି । ଯଦି କୋୖଣସି ଦିନ ରୁବେନ ସାର୍ ଛୁଟିରେ ରହିଥାନ୍ତି ।
ତେବେ ପିଲାମାନେ ସ୍କୁଲରେ ମନ ଲାଗୁନି ବୋଲି ଘରେ ବାପା ମାଙ୍କୁ କୁହନ୍ତି । ତେବେ ଏହି ଭଳି ଜଣେ ଶିକ୍ଷକଙ୍କୁ ପାଇ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି କହିଛନ୍ତି ଅଭିଭାବକ ମାନେ । ଆଜି କାଲିର ପରିସ୍ଥିତିରେ ନିସ୍ଵାର୍ଥପର ସେବା ମନୋଭାବ ଖୁବ କମ ଦେଖିବାକୁ ମିଳୁଛି ଏବଂ ଏଭଳି କାହାଣୀ ଯୁବପିଢ଼ିଙ୍କୁ ଅନେକ ପ୍ରେରଣା ମଧ୍ୟ ଯୋଗାଇଥାଏ । ସେହି ଭଳି ରୁବେନ ସାରଙ୍କ ଏହି କାହାଣୀ ଖୁବ୍ ପ୍ରଶଂସନୀୟ ।




