କାଜୁ ଜଙ୍ଗଲରେ ଲୋମଟାଙ୍କୁରା ଘଟଣା, ପ୍ରଥମେ ଅପହରଣ ତା’ପରେ ହତ୍ୟା

କାଜୁ ଜଙ୍ଗଲରେ ଲୋମଟାଙ୍କୁରା ଘଟଣା । ପ୍ରଥମେ ଅପହରଣ ତା’ପରେ ହତ୍ୟା । ଜଙ୍ଗଲରୁ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ସନ୍ଦେହ ଘେରରେ ନବମ ଶ୍ରେଣୀ ଛାତ୍ରଙ୍କ ହତ୍ୟା ଘଟଣା । ହତ୍ୟା ପରେ କାଜୁ ଜଙ୍ଗଲ ନିକଟ ଏକ ବୁଦା ମୂଳରେ ମୃତଦେହକୁ ଫୋପାଡି ଦେଇଥିଲେ ଦୁର୍ବୃତ୍ତ । ସେପଟେ ପୁଅ ତିନିଦିନ ଧରି ନିଖୋଜ ରହିଥିବା ନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଅନେକ ଖୋଜାଖୋଜି ପରେ ବି ପୁଅକୁ ପାଉନଥିଲେ ପରିବାର ଲୋକେ ।
ସକାଳୁ ସକାଳୁ ମା’ ଖବର ପାଇଲେ ଗାଁ ନିକଟ କାଜୁ ଜଙ୍ଗଲ ପାଖରେ ପୁଅର କ୍ଷତବିକ୍ଷତ ମୃତଦେହ ପଡ଼ିଛି । ଯାହା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଆଉ ଯାଇ ପହଞ୍ଚିଥିଲେ କାଜୁ ଜଙ୍ଗଲରେ । ପୁଅର ମୃତ ଦେହକୁ ଚିହ୍ନିବା ପରେ ତୁରନ୍ତ ପୋଲିସରେ ଖବର ଦେଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ଏ ହେଉଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗାଁ ନିକଟ ରାମନାପଲ୍ଲୀ ଗାଁ ରାସ୍ତାରେ ଘଟିଥିବା ହତ୍ୟାକାଣ୍ଡ ।
ହତ୍ୟାର ଶିକାର ହୋଇଛି ଖଣ୍ଡରାବଳୀ ଗାଁର ଅମର ବିଷୋୟୀ ନାମକ ଜଣେ ନବମ ଶ୍ରେଣୀର ଛାତ୍ର । ଘଟଣା ସ୍ଥଳରୁ ଗଳିତ ମୃତଦେହକୁ ଜବତ କରି ବ୍ରହ୍ମପୁରକୁ ଏଫଏମଟିକୁ ବ୍ୟବଛେଦ ପାଇଁ ପଠାଇଥିଲେ ପୋଲିସ । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ, ଏସଡିପିଓ ଡଃ.ଦୀପକ୍ କୁମାର ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଅପରାହ୍ନରେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛିଥିଲା ପୋଲିସ ।
ତେବେ ହତ୍ୟାକାରୀକୁ ଖୁବ୍ ଶୀଘ୍ର ଧରାଯିବ ଏବଂ ଏନେଇ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଶ୍ରୀ ଦେ । ମୃତ ଅମରଙ୍କ ବାପା ଜଣେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ରହି କାମ କରୁଛନ୍ତି । ସେପଟେ ଖଣ୍ଡରାବଳୀ ଗାଁରେ ମା’ ଓ ଦୁଇ ଭାଇ ରହୁଥିବା ବେଳେ ଗତ ୨୮ ତାରିଖ ଦିନ ଆମର ନିଖୋଜ ଥିବା ନେଇ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହାପରେ ଏବେ ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଏବଂ ସମ୍ପର୍କୀୟମାନେ ଅଭିଯୋଗ ଆଣିଛନ୍ତି । ତେବେ ଘଟଣାର ପ୍ରକୃତ କାରଣ କଣ? କିଏ ଏବଂ କାହିଁକି ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କଲା? ସେନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।




