ପ୍ରତ୍ୟକ୍ଷ ଦେବୀ ମା’ ଉତ୍ତରମୁଖି, ଗଛରେ ଖଣ୍ଡେ ଛିଟ ବାନ୍ଧି ମାନସିକ କଲେ ମା’ ଦୁଃଖ କଷ୍ଟ ହରନ୍ତି

ଓଡିଶା ମାଟିର ପାଣି ପବନରେ ଭରି ରହିଛି ମାତୃ ଶକ୍ତିର କୃପା ବୋଲି କଥାରେ ଅଛି l ଅନେକ ସମୟରେ ବିଶ୍ୱାସ ରଖି ଆମେ ମାତୃ ଶକ୍ତିକୁ ପୂଜା ଅର୍ଚ୍ଚନା କରିଥାଉ ନିଜକୁ ବିଭିନ୍ନ ବିପଦ ଆପଦରୁ ରକ୍ଷା ପାଇଁ l ସେଥିପାଇଁ ତ ମାତୃ ଶକ୍ତିକୁ ପ୍ରାଧାନ୍ୟ ଦେଇ ଗଢି ଉଠିଛି ମନ୍ଦିର l ସେହି ମନ୍ଦିର ମାନଙ୍କରେ ପୂଜା ପାଉଥିବା ମା’ ମାନଙ୍କ ମଧ୍ୟରୁ ବାଲିଅନ୍ତା ଗାଁ ଅଞ୍ଚଳର ମା ଉତ୍ତରମୁଖୀ ବେଶ ପ୍ରତ୍ୟକ୍ଷ ବୋଲି ଦାବି କରନ୍ତି ଏହି ଅଞ୍ଚଳ ବାସୀ l କାହିଁ କେଉଁ ପୁରାତନ ସମୟରୁ ମା ଏଠାରେ ବିରାଜମାନ କରୁଛନ୍ତି l ମା ଉତ୍ତର ଦିଗକୁ ମୁହଁ କରି ରହିଥିବାରୁ ତାଙ୍କ ନାମ କିଏ କେବେ ଠାରୁ ରଖିଛନ୍ତି ଉତ୍ତରମୁଖୀ ତାହା ବର୍ତମାନ କାହାରି ଜ୍ଞାତ ନୁହେଁ l
ଆଖପାଖ ଅଂଚଳର ଲୋକେ ଏଠାକୁ ନିଜର ସବୁ ଦୁଃଖ ରୋଗ କଷ୍ଟ ଅନର୍ଥ ନୀତି ଦିନ ଜୀବନର ପ୍ରତ୍ୟେକ ସମସ୍ୟାକୁ ନେଇ ଧାଇଁ ଆସନ୍ତି l ମା ଉତ୍ତରମୁଖୀ ନିକଟରେ କିଏ ଗୁହାରି ପଡେ କିଏ ପୁଣି ଉପାସ ରଖନ୍ତି ଦଣ୍ଡ ପଡନ୍ତି l ସମସ୍ତଙ୍କର ଦୁଃଖ କଷ୍ଟ ରୋଗ ବ୍ୟାଧି ମା ଲାଘବ କରନ୍ତି l ନିକଟରେ ଦେଖୁଥିବା ଏହି ସାହାଡ଼ା ବୃକ୍ଷଟି କେଉଁ ଆବାହମାନ କାଳରୁ ରହି ଆସିଛି ତାର କିଛି ଆକଳନ କରି ହେବନି l ସାହାଡ଼ା ବୃକ୍ଷଟି ସବୁ ସମୟର ମୁକ ସାକ୍ଷୀ ବୋଲି ଗ୍ରାମବାସୀ ମାନେ କୁହନ୍ତି l କାହିଁକି ନା ମାଆଙ୍କ ନିକଟରେ ଗୁହାରି କରିବା ପାଇଁ ଆସିଲେ ପ୍ରଥମେ ଏହିବୃକ୍ଷରେ ଖଣ୍ଡେ ଛିଟ ବାନ୍ଧି ମାଆଙ୍କ ନିକଟରେ ମାନସିକ କରାଯାଏ l ତାପରେ ମନୋକାମନା ପୂର୍ଣ୍ଣ ହେଲେ ଭୋଗ ରାଗ କରାଯାଏ ବୋଲି ବିଶ୍ୱାସ ରହିଛି ବୋଲି ଅଞ୍ଚଳ ବାସୀ ଉକ୍ତି ଵାଢନ୍ତି l
ମାଆ ଉତ୍ତରମୁଖୀଙ୍କ ନିକଟରେ ସାଧାରଣତଃ ମୂଖ୍ୟ ଭୋଗ ମାଛ ଭୋଗ କରାଯାଏ l କେଉଁ ଅମଳରୁ କିମ୍ବଦନ୍ତୀ ଅନୁସାରେ ଏହି ଅଞ୍ଚଳ ବାସୀ କୈବର୍ତ୍ତମାନେ କୁଶଭଦ୍ରା ନଈକୁ ଜାଲ ନେଇ ମାଛ ଧରିବାକୁ ଯିବା ବେଳେ ଏହି ମାଆଙ୍କ ବିଗ୍ରହ ପାଇଥିଲେ l ସେହି ଦିନ ଠାରୁ ଏହି ଠାରେ ରଖି ପୂଜାର୍ଚ୍ଚନା କରନ୍ତି l ମାଆ ଉତ୍ତରମୁଖୀ ଉତ୍ତର ଦିଗକୁ ମୁଖ୍ କରି ରହିଛନ୍ତି l ଗ୍ରାମବାସୀ ମାନେ ଦୃଢୋକ୍ତି ବାଢ଼ନ୍ତି କି ରାତି ହେଲେ ମାଆ ଗାଁ ଗାଁ ବୁଲନ୍ତି ଲୋକଙ୍କ ଦୁଃଖ କଷ୍ଟ ଦୁର କରନ୍ତି l
ମାଆଙ୍କ ଭାରି ମହିମା ରହିଛି ବୋଲି କାହିଁ କେଉଁ ଅଂଚଳରୁ ଲୋକ ଆସି ଏଠାରେ କୀର୍ତ୍ତନ ହୋମ ଯଜ୍ଞ ପାଲା ଇତ୍ୟାଦି କରନ୍ତି l ମୂଖ୍ୟଦ୍ୱାରକୁ ଛାଡିଦେଲେ ଏବେ ମନ୍ଦିରଟି ଅତି ସୁନ୍ଦର ଭାବରେ ସଜ୍ଜା ହୋଇ ଭିତରେ ମାଆ ପୂଜା ପାଉଛନ୍ତି l ନିକଟରେ ଗୋଟିଏ କୂଅ ଥିଲା ପରେ ତାହା ବନ୍ଦ କରାଗଲା l ଚତୁର୍ପାଶ୍ୱ ଭାରି ସୁନ୍ଦର ଭାବରେ ସାଜସଜା ପରିବେଶ l ତେବେ ଏ ଘଟଣାଟିକୁ ଉପସ୍ଥାପନା କରିବା ପଛରେ ଅନ୍ଧ ବିଶ୍ୱାସକୁ ପ୍ରଶ୍ରୟ ଦେବା ଆମର କୌଣସି ଉଦ୍ଦେଶ୍ୟ ନୁହେଁ l



