ଅପରାଧ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ହାଇକୋର୍ଟରେ ରଦ୍ଦ: ଚାକିରି ହରାଇବେ ୨୫ ହଜାର – Kalinga News

[ad_1]

ସୁଧ ସହିତ ଦରମା ଅର୍ଥ ଫେରାଇବାକୁ ନିର୍ଦ୍ଦେଶ, ମମତା-ବିଜେପି ମୁହାଁମୁହିଁ

କୋଲକାତା: ପଶ୍ଚିମବଙ୍ଗରେ ୨୦୧୬ରେ ହୋଇଥିବା ସ୍କୁଲ ଶିକ୍ଷକ ନିଯୁକ୍ତିକୁ ଆଜି କଲିକତା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ବହୁଚର୍ଚ୍ଚିତ ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ମମତା ବାନାର୍ଜୀ ସରକାର ପାଇଁ ବଡ଼ ଧରଣର ଝଟ୍‌କା ହୋଇଛି। ହାଇକୋର୍ଟ ରାୟ ଯୋଗୁଁ ୨୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ଚାକିରି ହରାଇବେ। ତେବେ ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯିବ ବୋଲି ପଶ୍ଚିମବଙ୍ଗ ସରକାର ସୂଚନା ଦେଇଛନ୍ତି। ହାଇକୋର୍ଟ ଏହି ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଚାକରି ହରାଉଥିବା ଶିକ୍ଷକମାନଙ୍କୁ ସୁଧ ସହିତ ଦରମା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେମାନଙ୍କୁ ୪ ସପ୍ତାହ ସମୟ ଦିଆଯାଇଛି। ସେମାନଙ୍କଠାରୁ ଏହି ଅର୍ଥ ଆଦାୟ କରିବା ଲାଗି ଜିଲ୍ଲା ମାଜି‌‌‌ଷ୍ଟ୍ରେଟମାନଙ୍କୁ ଦାୟିତ୍ବ ଦିଆଯାଇଛି। ୨୦୧୬ରେ ନିଯୁକ୍ତି ପାଇବା ପରେ ସେମାନେ ‌ଯେତେ ଦରମା ପାଇଛନ୍ତି ତାହାକୁ ୧୨ ପ୍ରତିଶତ ସୁଧ ସହିତ ଫେରାଇବା ଲାଗି ରାୟରେ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଦେବାଂଶୁ ବସାକ ଓ ଜଷ୍ଟିସ ମହମ୍ମଦ ଶବ୍ବର ରସିଦିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ବେନିୟମ କାରବାର ‌ହୋଇଥିବାରୁ ସମଗ୍ର ପ୍ରକ୍ରିୟାକୁ ବେଆଇନ ଘୋଷଣା କରାଯାଇଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ହାଇକୋର୍ଟରେ ଏହି ଖଣ୍ଡପୀଠ ଗଠିତ ହୋଇଥିଲା। ଏହି ବିବାଦୀୟ ନିଯୁକ୍ତି ସଂପର୍କରେ ଅଧିକ ତଦନ୍ତ କରି ତିନି ମାସ ମଧ୍ୟରେ ରିପୋର୍ଟ ଦେବାପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିବା ଲାଗି କୋର୍ଟ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗକୁ କହିଛନ୍ତି। ତେବେ ହାଇକୋର୍ଟଙ୍କ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯିବ ବୋଲି ଆୟୋଗର ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଦୁର୍ନୀତି ମାମଲାରେ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ କ୍ଷମତାସୀନ ତୃଣମୂଳ କଂଗ୍ରେସର ଅନେକ ନେତା ଓ ସରକାରୀ ଅଧିକାରୀ ଏବେ ଜେଲରେ ଅଛନ୍ତି। ୨୦୧୬ରେ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ନିଯୁକ୍ତି ପାଇଁ ହୋଇଥିବା ରାଜ୍ୟସ୍ତରୀୟ ପରୀକ୍ଷାରେ ୨୩ ଲକ୍ଷରୁ ଅଧିକ ପ୍ରାର୍ଥୀ ଭାଗ ନେଇଥିଲେ। ଖାଲି ପଡ଼ିଥିବା ୨୪ ହଜାର ୬୪୦ ପବଦି ଲାଗି ଏହି ପରୀକ୍ଷା ‌ହୋଇଥିଲା। ତେବେ ୨୫ ହଜାର ୭୫୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଶିକ୍ଷକଙ୍କ ସହିତ ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି କର୍ମଚାରୀ ମଧ୍ୟ ଥିଲେ। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଦର୍ଶାଇ ଅନେକ ପିଟିସନ ହାଇକୋର୍ଟରେ ଦାଖଲ କରାଯାଇଥିଲା। ମାମଲାର ବିଚାର କରି ଶିକ୍ଷକ ନୁଯୁକ୍ତି ପାଇଁ ଗଠିତ କମିଟିକୁ ଗତବର୍ଷ ହାଇକୋର୍ଟ ବରଖାସ୍ତ କରିଦେଇଥିଲେ। ଏହାସହିତ ୩୬ ହଜାର ଅଣତାଲିମପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତିକୁ ମଧ୍ୟ ବାତିଲ କରିଥିଲେ। ‌ତେବେ ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଥିଲା। ଯେଉଁମାନଙ୍କର ନିଯୁକ୍ତି ବାତିଲ ହୋଇଛି ସେମାନଙ୍କର ପିଟିସନର ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ଗତ ନଭେମ୍ବର ମାସରେ କଲିକତା ହାଇକୋର୍ଟକୁ କହିଥିଲେ।

ଏହି ମାମଲାର ବିଚାର କରୁଥିବା ହାଇକୋର୍ଟର ତତ୍କାଳୀନ ବିଚାରପତି ଅଭିଜିତ ଗାଙ୍ଗୁଲି ସିବିଆଇ ଦ୍ବାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗାଙ୍ଗୁଲି ବିଚାରପତି ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେପି ଟିକେଟ‌ରେ ଏବେ ‌ଲୋକସଭା ନିର୍ବ‌ାଚନ ଲଢ଼ୁଛନ୍ତି। ହାଇକୋର୍ଟ ରାୟ ନେଇ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିବା ବେଳେ ମମତା ଅଭିଯୋଗ କରିଛନ୍ତି ଯେ ବିଜେପି ନେତାମାନେ ନ୍ୟାୟାଳୟ ଓ ରାୟକୁ ପ୍ରଭାବିତ କରୁଛନ୍ତି। ରାଜ୍ୟ ରାଜନୀତିରେ ଖୁବଶୀଘ୍ର ବିସ୍ଫୋରଣ ହେବ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି ଯେ ଶୁଭେନ୍ଦୁ ବସ୍ଫୋରଣ ସଂପର୍କରେ‌ ଭବିଷ୍ୟବାଣୀ କରିଥିଲେ। ଏହି ବିସ୍ଫୋରଣ କଣ? ସେମାନେ କେମିତି ଜାଣିଲେ ଯେ କୋର୍ଟ ଏଭଳି ରାୟ ଦେବେ? ୨୬ ହଜାର ଲୋକଙ୍କର ଚାକିରି ଛଡ଼ାଇ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବା କଣ ବିସ୍ଫୋରଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ଦୁର୍ନୀତି ଧରାପଡ଼ିଛି। ଏବେ ସିବିଆଇ ଯାହାକୁ ଚାହିଁବ, ଗିରଫ କରିପାରିବ। ସମୟ ଆସିଛି ମମତା ଏବଂ ତାଙ୍କ ପୁତୁରା ଯିବା ଉଚିତ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button