ଦେଶ- ବିଦେଶ

କିଟ୍ କର୍ତ୍ତୃପକ୍ଷଙ୍କ ଆଚରଣକୁ ନେଇ ଚାରିଆଡ଼େ ନିନ୍ଦା

ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ କର୍ତ୍ତୃପକ୍ଷଙ୍କ ଆଚରଣକୁ ନେଇ ଚାରିଆଡ଼େ ନିନ୍ଦା। କ୍ୟାମ୍ପସରୁ ବଳପୂର୍ବକ ତଡ଼ିବା, କେବଳ ନେପାଳ ଛାତ୍ରଛାତ୍ରୀଙ୍କ ଲାଗି ସାଇନ-ଏ-ଡାଏ ଘୋଷଣା କରିବା ଆଦି ମାମଲାର ତଦନ୍ତ ଆରମ୍ଭ ହୋଇଛି। ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ଏହାର ବିସ୍ତୃତ ତଦାରଖ ଆରମ୍ଭ କରିଛନ୍ତି। କ୍ୟାମ୍ପସ୍ ଛାଡ଼ି ଚାଲିଯାଇଥିବା ପିଲାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ ସେମାନଙ୍କୁ ସହାୟତା ଲାଗି ଉଚ୍ଚଶିକ୍ଷା ବିଭାଗ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିଛି। ତେବେ କିଟ୍ ଉପରେ ଏ ଘଟଣାକୁ ନେଇ ଚଡ଼କ ପଡ଼ିଥିଲା ବେଳେ କିଟ୍ କର୍ତ୍ତୃପକ୍ଷ ଏହାକୁ କଭରଅପ୍ କରିବାକୁ ସବୁମତେ ପ୍ରୟାସ ଜାରି ରଖିଛନ୍ତି। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୃତ ଛାତ୍ରୀଙ୍କ ନାଁରେ ମେଧାବୃତ୍ତି ଘୋଷଣା କରିଛନ୍ତି। ପୁନର୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେବନି ବୋଲି ଦିଲ୍ଲୀସ୍ଥିତ ନେପାଳ ଦୂତାବାସରୁ ଆସିଥିବା ଅଧିକାରୀଙ୍କୁ କିଟ୍ କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି। ତେବେ ଏହା ସତ୍ତ୍ୱେ କିଟ୍ ଉପରୁ ବିପଦ ଟଳିନି। କିଟ୍ କର୍ତ୍ତୃପକ୍ଷଙ୍କ ଏତେ ସମ୍ୱେଦନଶୀଳତା କୁଆଡ଼ୁ ଅଚାନକ ଚାଲିଆସିଲା ବୋଲି ଦଳମତ ନିର୍ବିଶେଷରେ ସମସ୍ତେ ସନ୍ଦେହ କରିଛନ୍ତି।  ବିଭିନ୍ନ ସଂଗଠନ ନ୍ୟାୟ ଦାବିରେ କ୍ରମାଗତ ଆନ୍ଦୋଳନ ଜାରି ରଖିଛନ୍ତି। ଗୃହ ସଚିବ କିଟ୍ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି। କିଟ୍‌ରେ ଘଟିଥିବା ଏହି ଅଘଟଣ ସହ ଅଚ୍ୟୁତଙ୍କ ଅତୀତର ପୁଳା ପୁଳା କେଳେଙ୍କାରୀକୁ ଯୋଡ଼ି ବର୍ଷିଛନ୍ତି ବିଭିନ୍ନ ଦଳ ଓ ସଂଗଠନ। କଂଗ୍ରେସ କହିଛି, କିଟ୍‌ରେ ଘଟିଥିବା ଘଟଣା ବଡ଼ ପ୍ରସଙ୍ଗ। ଏଭଳି ଆଚରଣରୁ ଲୋକଙ୍କ ଅନ୍ତରଆତ୍ମା କାନ୍ଦୁଛି। ବହୁ ଆଇଏଏସ, ଆଇପିଏସ ଓ ବଡ଼ବଡ଼ିଆଙ୍କ ସହଧର୍ମିଣୀ କିଟ୍‌ରେ କାମ କରୁଛନ୍ତି। ନ୍ୟାୟ ମିଳିବ କେମିତି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ ସାହୁଙ୍କ ପତ୍ନୀ ବି କିଟ୍‌ରେ କାର୍ଯ୍ୟରତ। କାହିଁକି ସରକାର କାହାକୁ ଗିରଫ କରୁନାହାନ୍ତି ବୋଲି ପଚାରିଛନ୍ତି ବାହିନୀପତି।

ପିଲାଙ୍କୁ କ୍ୟାମ୍ପସକୁ ଫେରିଆସିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। କିଟ୍ କର୍ତ୍ତୃପକ୍ଷଙ୍କ ବ୍ୟବହାର ଅସମ୍ୱେଦନଶୀଳ ଓ ନିନ୍ଦନୀୟ ବୋଲି କହିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ। ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।  କିଟ୍‌ ଜମି ଜବରଦଖଲ ପ୍ରସଙ୍ଗର ବି ତଦନ୍ତ ହେବ। କିଟ୍‌ର ମନମାନି ଗ୍ରହଣୀୟ ନୁହେଁ। ସରକାର କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରିବେନି। ଆଇନ ମନ୍ତ୍ରୀ କହିଛନ୍ତି, ସମସ୍ତଙ୍କୁ ଆଇନ ପରିସରଭୁକ୍ତ କରି ଉଚିତ୍ ଦଣ୍ଡବିଧାନ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ସରକାର ନେବେ।ଆତ୍ମହତ୍ୟା ଓ ତା ପରବର୍ତ୍ତୀ ପର୍ଯାୟରେ ଦୁର୍ବ୍ୟବହାର ଓ ଧମକକୁ ସରକାର ଗୁରୁତର ସହ ନେଇଛନ୍ତି। ଯେତେ ବଡ଼ ଲୋକ ହେଲେ ବି ଆକ୍ସନ ହେବ। ଉଚ୍ଚସ୍ତରୀୟ କମିଟିର ପରାମର୍ଶ ଆଧାରରେ ନିଷ୍ପତ୍ତି ନିଆଯିବ।

କିଟ୍ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ପୁଣି ଓଲଟାଯାଉଛି। ଅତୀତ ସରକାର ଅମଳରେ ବେଆଇନ୍ ଭାବେ ଅଚ୍ୟୁତ ନିଜର ସାମ୍ରାଜ୍ୟ ମେଲାଇଥିଲା ବେଳେ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଅସଭ୍ୟ ଆଚରଣ ବେଶୀ ନିନ୍ଦିତ କଲା ଓଡ଼ିଶାକୁ। ସେଥିରେ ବ୍ୟଥିତ ସରକାର କୌଣସି କୋହଳ ଆଚରଣ କରିବା ମୁଡ୍‌ରେ ହିଁ ନାହାନ୍ତି ବୋଲି ହୃଦବୋଧ ହେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button