ଗୃହରେ ବିରୋଧୀଙ୍କ ହଟ୍ଟଗୋଳ

ଚାଲିପାରିଲାନି ଅଧିବେଶନର ଅଧା ଦିନ। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳରୁ ପ୍ରଶ୍ନୋତ୍ତର କାଳ, ଶୂନ୍ୟ କାଳ ଓ ମୁଲତବୀ କାଳ ବାଏଁ ବାଏଁ ଉଡ଼ିଗଲା। ଗୃହ କାର୍ଯ୍ୟ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ତଳେ ମିଳିତ ପ୍ରତିବାଦ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ। ଆଇନ ଶୃଙ୍ଖଳା ପ୍ରସଙ୍ଗରେ ସାଢ଼େ ୧୦ଟାରେ ଆଗ ମିଳିତ ପ୍ରତିବାଦ କରିବାରୁ ଗୃହକୁ ୧୨ଟା ଯାଏ ମୁଲତବୀ କରିଦେଇଥିଲେ ବାଚସ୍ପତି। ଆଉ ୧୨ଟା ପରେ ଚାଷୀଙ୍କ କଟନିଛଟନି, ଆତ୍ମହତ୍ୟା ନେଇ ଏକାକୀ ବିଜେଡି ପ୍ରତିବାଦ କରିଥିଲା। କଂଗ୍ରେସ ଚୁପ୍ ରହିଥିଲା। ଫଳରେ ଅପରାହ୍ନ ୪ଟା ଯାଏ ମୁଲତବୀ କରାଯାଇଥିଲା। କାରଣ କଂଗ୍ରେସ ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଥିଲା। କଂଗ୍ରେସ କହିଛି, ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ବିଜେଡି ଜାଣିଶୁଣି ହଟ୍ଟଗୋଳ କରି ଗୃହ ଚଳାଇଦେଲାନି। ବିଜେଡି-ବିଜେପି ମିଶିକି ଅଛନ୍ତି। ଶାସକ ଦଳ କହିଛି, କୌଣସି ଆବଶ୍ୟକତା ନଥିଲା ପ୍ରଶ୍ନୋତ୍ତର କାଳରେ ହଟ୍ଟଗୋଳ କରିବା। ଲୋକଙ୍କ ଲାଗି ଉତ୍ତରଦାୟିତ୍ୱ ସରକାରଙ୍କର ଅଛି। କିନ୍ତୁ ବିରୋଧୀ ପଳାୟନପଂଥୀ ସାଜିଛନ୍ତି।
କଂଗ୍ରେସ କହିଛି, ସେମାନେ ପଳାୟନପଂଥୀ ସାଜିନାହାନ୍ତି। ଆଇନଶୃଙ୍ଖଳାକୁ ନେଇ ସରକାର ସଚେତନ ନୁହଁନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାଜଧାନୀରେ ମୁଣ୍ଡ ଗଡ଼ିଲା। ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରୀ ହେଲା। ଛାତ୍ରୀ ଅପହରଣ, ଦୁଷ୍କର୍ମ ପ୍ରମାଣିତ କରୁଛି ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଶାସକ ଦଳ କହିଛି, ସରକାର ବିରୋଧୀଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ। ରାଜ୍ୟ ସ୍ୱାର୍ଥସମ୍ୱଳିତ ପ୍ରସଙ୍ଗକୁ ବିରୋଧୀ ଉଠାଇବାକୁ ଦେଉନାହାନ୍ତି। ଜାଣିଶୁଣି ହଙ୍ଗାମା କରି ବନ୍ଦ କରୁଛନ୍ତି। ଦୀର୍ଘ ଦିନ ଧରି ଚାଷୀଙ୍କୁ ପ୍ରତାରଣା କରି ବିଜେଡି ସରକାର ତାହାର କର୍ମଫଳ ପାଇସାରିଛି। ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନର ଅଧା ଦିନ ପୁରା ବେକାରରେ ଚାଲିଗଲା।




