ଦେଶ- ବିଦେଶ

ମଣିପୁରରେ ରାଷ୍ଟ୍ରପତି ଶାସନ

ମଣିପୁରରେ ରାଷ୍ଟ୍ରପତି ଶାସନ। ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂଙ୍କ ଇସ୍ତଫା ପରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଫେବ୍ରୁଆରୀ ୯ ତାରିଖରେ ଇସ୍ତଫା ଦେଇଥିଲେ ଏନ.ବିରେନ୍ ସିଂ। ଯାହା ପରେ ରାଜ୍ୟପାଳ ଅଜୟ ଭଲ୍ଲା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରିଥିଲେ। ଏହାପରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଛକାପଞ୍ଝା ପରେ ବିଜେପି ବିଫଳ ହୋଇ ବିଧାନସଭା ଅଧିବେଶନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ରାଜ୍ୟରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ବର୍ତ୍ତମାନ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଯୋଗୁଁ ବିରେନ ସିଂହଙ୍କୁ ଲଗାତାର ସମାଲାଚନା କରାଯାଉଥିଲା। ଯାହା ପରେ ସେ ଗତ ସପ୍ତାହରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ସେପଟେ ଭାଜପାର ଉତ୍ତର-ପୂର୍ବ ପ୍ରଭାରୀ ସମ୍ୱିତ ପାତ୍ର ଓ ମଣିପୁର ବିଧାୟକଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଗତ ଦୁଇ ଦିନ ମଧ୍ୟରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟିଥିଲେ।

୨୦୨୩ ମେ ୩ ତାରିଖରୁ ମଣିପୁରରେ ଆରମ୍ଭ ହୋଇଥିଲା ଜାତିଗତ ହିଂସା ।  ଇମ୍ଫାଲ ଉପତ୍ୟକାରେ ରହୁଥିବା କୁକି ଏବଂ ମୈତେଇ ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ହିଂସାରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଥିଲା। ୧୫୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ଗତ ଦେଢ ବର୍ଷରେ ୧୧ ହଜାର ଏଫଆଇଆର ଏବଂ ୫୦୦ରୁ ଅଧିକ ଗିରଫଦାରୀ ହୋଇଛି। ସେପଟେ ଉତ୍ତର-ପୂର୍ବ ପ୍ରଭାରୀ ସମ୍ୱିତ ପାତ୍ର ଙ୍କୁ Z  ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ଏବେ ସିଆରପିଏଫ କମାଣ୍ଡୋ ତାଙ୍କୁ ସୁରକ୍ଷା ଯୋଗାଇବେ।  କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ Z  ବର୍ଗର ସୁରକ୍ଷା ପ୍ରଦାନ କରିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ଦ୍ୱାରା ଦିଆଯାଇଥିବା ବିପଦ ମୂଲ୍ୟାଙ୍କନ ରିପୋର୍ଟ ଆଧାରରେ ଦଲାଇଲାମାଙ୍କୁ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ୮୯ ବର୍ଷୀୟ ଆଧ୍ୟାତ୍ମିକ ନେତାଙ୍କୁ ମୋଟ ୩୩ଜଣ ସୁରକ୍ଷା କର୍ମୀ ମିଳିବ। ହିମାଚଳ ପ୍ରଦେଶର ଧର୍ମଶାଳାରେ ତାଙ୍କ ବାସଭବନରେ ସଶସ୍ତ୍ର ସୁରକ୍ଷାକର୍ମୀ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରିବେ। ଅନ୍ୟପଟେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଭାଜପା ଦ୍ୱାରା ଏହା ଲାଗୁ ପରେ ପୂର୍ଣ୍ଣ ଅକ୍ଷମତା ବିଳମ୍ୱରେ ସ୍ୱୀକାର କରାଯାଉଛି। ଏବେ ମୋଦି ମଣିପୁର ପାଇଁ ତାଙ୍କର ଦାୟିତ୍ୱକୁ ଅସ୍ୱୀକାର କରିପାରିବେ ନାହିଁ। ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ତାଙ୍କ ଯୋଜନା ବୁଝାଇବାକୁ ମନସ୍ଥ କରିଛନ୍ତି କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

୧୯୬୩ ମସିହାରୁ ଆଜି ପର୍ଯ୍ୟନ୍ତ ମଣିପୁରରେ ୧୧ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇ ସାରିଲାଣି । ୪୩ରୁ ୨୭୭ ଦିନ ଯାଏ ରାଷ୍ଟ୍ରପତି ଶାସନ ଅଧିନରେ ରହିଥିଲା। ତେବେ ଆଗାମୀ ଦିନରେ କିଏ ହେବ ମଣିପୁରର ମୁଖ୍ୟମନ୍ତ୍ରୀ ନେଇ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button