ରାଜ୍ୟ

ବିପିୟୁଟିର ୧୧ତମ ସମାବର୍ତ୍ତନ ଉତ୍ସବ; ରାଷ୍ଟ୍ର ନିର୍ମାଣରେ ବୈଷୟିକ ଶିକ୍ଷା ଗୁରୁତ୍ବପୂର୍ଣ୍ଣ: ରାଜ୍ୟପାଳ

ରାଉରକେଲା: ସମାବର୍ତ୍ତନ ଉତ୍ସବ ଛାତ୍ରଛାତ୍ରୀଙ୍କ ଜୀବନରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ସେମାନଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟର ଫଳ। ପ୍ରଯୁକ୍ତିବିଦ୍ୟା ଶିଳ୍ପ, ଅର୍ଥନୀତି ଓ ସମାଜକୁ ଆଗକୁ ନେଇଥାଏ। ତେଣୁ ରାଷ୍ଟ୍ର ନିର୍ମାଣରେ ବୈଷୟିକ ଶିକ୍ଷା ଗୁରୁତ୍ବପୂର୍ଣ୍ଣ ବୋଲି ଓଡ଼ିଶାର ରାଜ୍ୟପାଳ ତଥା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର କୁଳାଧିପତି ଡକ୍ଟର ହରିବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ବିପିୟୁଟିର ୧୧ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଡକ୍ଟର କମ୍ଭମ୍‌ପାଟି ତାଙ୍କ ପ୍ରେରଣାଦାୟକ ଭାଷଣରେ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା, ମହାକାଶ ଗବେଷଣା ଏବଂ ଆଇଟି କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି କହିଥିଲେ। ସ୍ନାତକମାନଙ୍କୁ ସେମାନଙ୍କ ବୃତ୍ତିଗତ ଯାତ୍ରାରେ ନବସୃଜନ ଓ ନୈତିକ ମୂଲ୍ୟବୋଧକୁ ଗ୍ରହଣ କରି ‘ବିକାଶିତ ଭାରତ’ ଦିଗରେ ଯୋଗଦାନ ପାଇଁ ଆହ୍ୱାନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଆମେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)ରେ ବିଶ୍ବସ୍ତରୀୟ ନେତା।

୨୯,୨୮୩ ବିଦ୍ୟାର୍ଥୀଙ୍କୁ ୟୁଜି ଓ ପିଜି ଡିଗ୍ରୀ ପ୍ରଦାନ
୧୦ ବିଦ୍ୟାର୍ଥୀଙ୍କୁ ସ୍ବର୍ଣ୍ଣ ପଦକ
ଅତୁନ ଭୌମିକଙ୍କୁ ସମ୍ମାନଜକ ଡକ୍ଟରେଟ୍‌ ଉପାଧି

ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜାତୀୟ ଶିକ୍ଷାନୀତି ୨୦୨୦ ଆମର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଛି। ବିପିୟୁଟିରୁ ଯେଉଁ ଜ୍ଞାନ, ଦକ୍ଷତା ଓ ମୂଲ୍ୟବୋଧ ହାସଲ କରିଛ, ତାହା ତୁମର ବୃତ୍ତିଗତ ଓ ବ୍ୟକ୍ତିଗତ ଯାତ୍ରାରେ ମୂଳଦୂଆ ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ। ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟର ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗ ପ୍ରଣାଳୀର ମହାନିର୍ଦେଶକ ଡକ୍ଟର ବିନୟ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେ କେବଳ ଚତୁରତା ଅପେକ୍ଷା ଜ୍ଞାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିବାକୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ଏକ ଆତ୍ମନିର୍ଭରଶୀଳ ଓ ବୈଷୟିକ ଦୃଷ୍ଟିରୁ ଉନ୍ନତ ଭାରତ ଗଠନରେ ସେମାନଙ୍କର ଦକ୍ଷତାକୁ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। ବିପିୟୁଟି କୁଳପତି ପ୍ରଫେସର ଅମିୟ କୁମାର ରଥ ସ୍ୱାଗତ ଭାଷଣରେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ବିଶ୍ୱବିଦ୍ୟାଳୟର ସଫଳତା ଏବଂ ପଦକ୍ଷେପଗୁଡ଼ିକର ବର୍ଣ୍ଣନା କରିଥିଲେ।

ସେ ଇ-ପରୀକ୍ଷାରେ ବିପିୟୁଟିର ଅଗ୍ରଣୀ ଭୂମିକା, ଜାତୀୟ ଶିକ୍ଷା ନୀତି (ଇନ୍‌ଇପି) ୨୦୨୦ର ସମସ୍ତ ପାଠ୍ୟକ୍ରମ ପ୍ରଚଳନ, ଫଳାଫଳ ଆଧାରିତ ଶିକ୍ଷା ଏବଂ ପ୍ରକଳ୍ପ ଆଧାରିତ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ଶିଳ୍ପ-ଶିକ୍ଷାକ୍ଷେତ୍ର ସହଯୋଗକୁ ପ୍ରୋତ୍ସାହିତ କରିବା, ବିପିୟୁଟି ଟେକ୍ କାର୍ନିଭାଲ୍ ଆୟୋଜନ କରିବା ଓ ବିପିୟୁଟି ହାକାଥନ୍ ଏବଂ ବିପିୟୁଟି ଶିଳ୍ପ ଏକାଡେମିଆ କନ୍‌କ୍ଲେଭ ଭଳି ପଦକ୍ଷେପ ମାଧ୍ୟମରେ ଉଦ୍ୟୋଗିତା ଓ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସମାରୋହ ସମୟରେ ଇଞ୍ଜିନିୟରିଂ, ପରିଚାଳନା, ଫାର୍ମାସି, ସ୍ଥାପତ୍ୟ ଓ ପ୍ରାୟୋଗିକ ବିଜ୍ଞାନ ସମେତ ବିଭିନ୍ନ ବିଭାଗର ମୋଟ ୨୯,୨୮୩ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା। ୧୯ କୃତୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ଶିକ୍ଷାଗତ ପ୍ରଦର୍ଶନ ପାଇଁ ସ୍ୱର୍ଣ୍ଣ ପଦକ ଓ ଅନ୍ୟ ୩ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ରାଉରକେଲା ଇସ୍ପାତ୍‌ କାରଖାନାର ପୂର୍ବତନ ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା ବିକାଶରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା। ବିପିୟୁଟିର କୁଳସଚିବ ନିଶିପୁନମ୍‌ ମିଞ୍ଜ୍‌ ଧନ୍ୟବାଦ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button