ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ‘ସୁନ୍ଦରୀ ଝିଅକୁ ବିବାହ’ ଟିପ୍ପଣୀ: ଆଦିବାସୀ ପ୍ରସଙ୍ଗ ଉଠାଇ ଘେରିଲା ବିଜେଡି

ବାରିପଦା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଫା ରଙ୍ଗର ଝିଅଙ୍କୁ ବିବାହ କରିବା ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟରେ ରାଜନୀତି ପଶିଛି। ତାଙ୍କର ଏହି ମନ୍ତବ୍ୟକୁ ମୟୂରଭଞ୍ଜ ଜିଲ୍ଲା ବିଜେଡି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏଥିସହିତ ଦଳ ଆଦିବାସୀ ପ୍ରସଙ୍ଗ ଉଠାଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ପଦମର୍ଯ୍ୟାଦାକୁ ରକ୍ଷା କରନ୍ତୁ ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ ଓ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା କହିଛନ୍ତି।

ଆଜି ବାରିପଦାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ହେମ୍ବ୍ରମ୍ କହିଥିଲେ; ନବରଙ୍ଗପୁର, ରାଉରକେଲା, କୁଚିଣ୍ଡା, ରେମୁଣା ସମେତ ସାରାରାଜ୍ୟରେ ଆଦିବାସୀ ମହିଳାଙ୍କ ଉପରେ ଦୁଷ୍କର୍ମ ଓ ଅତ୍ୟାଚାର ବଢ଼ିଚାଲିଛି। ଏଥିପାଇଁ ରାଜ୍ୟର ଆଦିବାସୀ ସମାଜ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଏପରି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ମୟୂରଭଞ୍ଜ ବିଜୁ ଜନତା ଦଳ ଏହାର ଘୋର ନିନ୍ଦା କରୁଛି। ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ପରି ଗୁରୁତ୍ବପୂର୍ଣ୍ଣ ପଦବିରେ ଥାଇ ଜଣେ ବ୍ୟକ୍ତି ଏପରି ମନ୍ତବ୍ୟ ଦେବା ଦାୟିତ୍ବହୀନତାର ପରିଚୟ ବୋଲି ଶ୍ରୀମତୀ ହେମ୍ବ୍ରମ କହିଥିଲେ।

ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ସରୋଜିନୀ
ଆଦିବାସୀ ମହିଳାଙ୍କୁ ଅସମ୍ମାନ କରିନାହାନ୍ତି: ବିଜେପି

ସେହିପରି, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ହାଁସଦା କହିଥିଲେ; ବିଜେପି ସରକାରକୁ ଆସିବାପରେ ରାଜ୍ୟର ଆଦିବାସୀମାନଙ୍କ ବିକାଶ ପରିବର୍ତ୍ତେ ଅବହେଳାର ଶିକାର ହୋଇଛନ୍ତି। ପୋଲାଭରମ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରିର ୧୨୨ଟି ଆଦିବାସୀବହୁଳ ଗାଁ ନିଶ୍ଚିହ୍ନ ହୋଇଯିବ। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ଶ୍ରୀ ମାଝୀ ଏ ବାବଦରେ ନିରବ ରହିଛନ୍ତି। ମାତ୍ର, ଆଦିବାସୀ ଝିଅଙ୍କୁ ନେଇ ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଏହାଉପରେ ପ୍ରତିକ୍ରିୟା ରଖି ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ନିହାର ମୋଦୀ କହିଛନ୍ତି; କ୍ଷମତାରୁ ଯିବାପ‌ରେ ବିଜେଡି ନେତା ଓ ପୂର୍ବତନ ଲୋକପ୍ରତିନିଧିଙ୍କ ମସ୍ତିଷ୍କ ଠିକ୍‌ରେ କାମ କରୁନାହିଁ। ମୁଖ୍ୟମନ୍ତ୍ରୀ କେଉଁଠି ବି କୌଣସି ଆଦିବାସୀ ମହିଳାଙ୍କ ଅସମ୍ମାନ କରିନାହାନ୍ତି। ତାଙ୍କ କଥାକୁ କଦର୍ଥ କରି ବିଜେଡି ହୀନ ରାଜନୀତି କରିବାକୁ ଚାହୁଛି। ଯେଉଁ ସରକାର ୨୫ ବର୍ଷ ଶାସନରେ କିଛି କରିପାରିଲାନି, ସେମାନେ ଏବେ ବାଉଳାଚାଉଳା ହେଉଛନ୍ତି ବୋଲି କହିଛନ୍ତି ଶ୍ରୀ ମୋଦୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button