ନ୍ୟାୟ ଅପେକ୍ଷାରେ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତ: ୫ ବର୍ଷ ହେଲା ସମସ୍ତେ ଚୁପ୍

କଟକ: ଚିଟ୍ଫଣ୍ଡ କେଳେଙ୍କାରୀର ବିଚାରବିଭାଗୀୟ ତଦନ୍ତ ବନ୍ଦ ହେବାକୁ ପାଞ୍ଚ ବର୍ଷ ପୂରିଛି। ରାଜ୍ୟରେ ଚିଟ୍ଫଣ୍ଡ କେଳେଙ୍କାରୀ କାୟା ବିସ୍ତାର କରିବା ଓ ଲକ୍ଷାଧିକ ଜମାକାରୀ କ୍ଷତିଗ୍ରସ୍ତ ହେବା ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ରେ ଜଣିକିଆ କମିସନ ଗଠନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷ ଥର ପାଇଁ ୨୦୧୯ ଅଗଷ୍ଟ ୪ରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା। ଅର୍ଥାତ୍ ୨୦୨୦ ଫେବ୍ରୁଆରି ୪ରୁ ଜଷ୍ଟିସ୍ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।
ସରକାର ଏହି ପ୍ରସଙ୍ଗରେ ୫ ବର୍ଷ ହେଲା ପୂରା ଚୁପ୍ ରହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବ ସରକାର ତଦନ୍ତ କମିସନଙ୍କ କାର୍ଯ୍ୟକାଳ ବଢ଼ାଇଥିଲେ, ନା’ ତଦନ୍ତ ବନ୍ଦ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିଥିଲେ। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମଧ୍ୟ ତଦନ୍ତ କମିସନ ପ୍ରସଙ୍ଗରେ ସ୍ଥିତି ଅସ୍ପଷ୍ଟ ରହିଛି। ତେବେ ତଦନ୍ତ କମିସନ ସରକାରଙ୍କୁ ୭ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। କମିସନ ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ୨୦୨୦ରେ କାର୍ଯ୍ୟକାଳ ଆଉ ବଢ଼ି ନଥିଲା। ଏହି ୭ଟି ରିପୋର୍ଟରେ କ’ଣ ପରାମର୍ଶ ରହିଥିଲା ସେ ନେଇ ଏ ପର୍ଯ୍ୟନ୍ତ କିଛି ଜଣାପଡ଼ି ନାହିଁ। ତଦନ୍ତ କମିସନ ଅନ୍ତରୀଣ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ପୂର୍ବ ସରକାର ପଦକ୍ଷେପ ନେଇ ନଥିଲେ। ନୂଆ ସରକାର ମଧ୍ୟ ତଦନ୍ତ କମିସନ ରିପୋର୍ଟରେ ରହିଥିବା ପରାମର୍ଶ ଓ ତଥ୍ୟ ଆଧାରରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଗଲେ ଚିଟ୍ଫଣ୍ଡ କେଳେଙ୍କାରୀରେ କେଉଁମାନେ ସଂପୃକ୍ତ ତାହା ସ୍ପଷ୍ଟ ହେବ।