ରାଜନୀତି

କେନ୍ଦ୍ରାପଡା, ଜଗତସିଂହପୁର ଲୋକସଭା ଅଞ୍ଚଳରେ ନିର୍ବାଚନୀ ହିଂସା – Kalinga News

[ad_1]

ପଟ୍ଟାମୁଣ୍ଡାଇରେ ବିଜେପି ବୁଥ୍‌ କମିଟି ସଭାପତିଙ୍କୁ ଛୁରା ମାଡ଼


ପଟ୍ଟାମୁଣ୍ତାଇ/ମହାକାଳପଡ଼ା/ମାହାଙ୍ଗା: କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଅଞ୍ଚଳରେ ଆଜି ଭୋଟ ଗ୍ରହଣ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବା ସହିତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରାପଡା ବିଧାନସଭା ମଣ୍ତଳୀ ଅନ୍ତର୍ଗତ ପଟ୍ଟାମୁଣ୍ତାଇ ଥାନା ନୀଳକଣ୍ଠପୁର ଗ୍ରାମର ୩୫ ନମ୍ବର ବୁଥ୍‌ରେ ବିଜେପି ନେତାଙ୍କୁ ଛୁରା ମାଡ଼ ହୋଇଛି। ବୁଥ୍‌ କମିଟିର ବିଜେପି ସଭାପତି ରଶ୍ମୀରଞ୍ଜନ ଜେନା ଛୁରା ମାଡ଼ରେ ଆହତ ହୋଇଛନ୍ତି। ଛୁରା ମାଡ କରିଥିବା ବ୍ୟକ୍ତିଜଣକ ହେଉଛନ୍ତି ସେହି ଗ୍ରାମର ବିଜୟ କୁମାର ସାହୁ। ବିଜୟ ବିଜେଡିର ସମର୍ଥକ ବୋଲି ଏତଲାରେ ଦର୍ଶାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଥାନାରେ ଅଭିଯୋଗ ପରେ ପଟ୍ଟାମୁଣ୍ତାଇ ଆଦର୍ଶ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉକ୍ତ ବୁଥ୍‌ରେ ମତଦାନ ହେଉଥିବା ବେଳେ ବାହାରେ ବିଜେପି ବୁଥ୍‌ କମିଟି ସଭାପତି ରଶ୍ମୀରଞ୍ଜନ ଚେୟାର ପକାଇ ବସିଥିଲେ। ହଠାତ ସେହି ଗ୍ରାମର ବିଜୟ ସେଠାରେ ପହଞ୍ଚି ତାଙ୍କୁ ମାଡ଼ ମାରିଥିଲେ। ସେ ତଳେ ପଡିଯିବାରୁ ଛୁରିରେ ତାଙ୍କ ପିଠିକୁ ଭୁସି ଦେଇଥିଲେ। ରଶ୍ମୀରଞ୍ଜନଙ୍କୁ ପଟ୍ଟାମୁଣ୍ତାଇ ମେଡିକାଲକୁ ନେଇ ଚିକିତ୍ସା କରାଯାଇଥିଲା। ଆକ୍ରମଣକାରୀ ବିଜୟ ଘଟଣା ପରେ ଫେରାର ହୋଇଯାଇଛନ୍ତି ବୋଲି ଆଦର୍ଶ ଥାନା ଆଇଆଇସି ରଞ୍ଜିତ ମହାନ୍ତି କହିଛନ୍ତି।

ସେହିପରି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବରକନ୍ଧା ପଞ୍ଚାୟତର ଗୋଖାଖଟି ଗ୍ରାମରେ ଭୋଟ ଦେବାକୁ ନେଇ ଜଣେ ବ୍ୟକ୍ତିଙ୍କ ଗଳା କାଟି ଦେବାରୁ ସେ ଗୁରୁତର ହୋଇଛନ୍ତି। ଏହି ବ୍ୟକ୍ତିଜଣକ ହେଉଛନ୍ତି ଏହି ଗ୍ରାମର ପ୍ରମୋଦ ସ୍ବାଇଁ (୪୮)। ଆଜି ଦିନ ପ୍ରାୟ ସାଢେ ୪ଟା ସମୟରେ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଇ ପ୍ରମୋଦ କ୍ଲବ ଘରେ ବସିଥିଲେ। ଏହି ସମୟରେ ସେହି ଗ୍ରାମର ସରୋଜ ସ୍ବାଇଁ (୫୩) ଓ ତାଙ୍କ ପୁଅ ବେଦାନ୍ତ ସ୍ବାଇଁ (୨୨) ପ୍ରମୋଦଙ୍କ ନିକଟକୁ ଆସି ତାଙ୍କୁ ଘୋଷାଡି ଘୋଷାଡି ଆଣି ଛୁରିରେ ତାଙ୍କ ଗଳାକୁ କାଟି ଦେଇଥିଲେ। ପରିବାର ଲୋକେ ତାଙ୍କୁ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ସହିତ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅପରପକ୍ଷରେ ସରୋଜଙ୍କ ପୁଅ ବେଦାନ୍ତ ତାଙ୍କ ଘରେ ଏକୁଟିଆ ଥିବା ବେଳେ ପ୍ରମୋଦ ଓ ତାଙ୍କ ପୁଅ ଅଭି ସ୍ବାଇଁ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳରେ ଭୋଟ ଦେବାକୁ କହି ବନ୍ଧୁକ ଦେଖାଇ ଭୟଭୀତ କରି ଧମକ ଦେଇଥିଲେ। ଉକ୍ତ ଦଳକୁ ଭୋଟ ନ ଦେଲେ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ସରୋଜ ପାଲଟା ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ମହାକାଳପଡ଼ାରେ ଯୁବକଙ୍କ ଗଳା କାଟି ଦେଲେ ଦୁର୍ବୃତ୍ତ
ମାହାଙ୍ଗାରେ ଭୁଜାଲି ମାଡ଼; ଏରସମାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
ଇଭିଏମ୍ ସମସ୍ୟା ଯୋଗୁଁ ମତଦାନ ବିଳମ୍ବିତ; ବିଭିନ୍ନ ସ୍ଥାନରେ ରାତି ୯ଟା ଯାଏ ଭୋଟଗ୍ରହଣ

ଅନ୍ୟପଟେ କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ମାହାଙ୍ଗା ବିଧାନସଭା ଅଞ୍ଚଳରେ ଭୋଟ ଗ୍ରହଣ ବେଳେ ଏକାଧିକ ସ୍ଥାନରେ ଗଣ୍ଡଗୋଳ ଘଟିଛି। ମାହାଙ୍ଗା ଓ ଭଦ୍ରେଶ୍ବର ଥାନା ଅଞ୍ଚଳରେ ଗଣ୍ଡଗୋଳ ଘଟି ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ମାହାଙ୍ଗା ଥାନା ପଣସପୁର ପଞ୍ଚାୟତ ବୁଥ ନଂ ୮୮ରେ ବୁଥ ବାହାରେ ଗଣ୍ତଗୋଳ ହୋଇଥିଲା। ନଡିଆସାହାସପୁର ଗ୍ରାମର ବିକାଶ ରଂଜନ ମହାନ୍ତି ଏବଂ ତାଙ୍କ ପତ୍ନୀ ସସ୍ମିତା ମହାନ୍ତି ଭୋଟ ଦେବାକୁ ଯାଇଥିବା ବେଳେ ଭୋଟ କେନ୍ଦ୍ର ପାଖରେ ସେମାନଙ୍କୁ ପଣସପୁର ଗ୍ରାମର ପ୍ରିୟବ୍ରତ ରାଉତରାୟ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ କହି ଏକ ହଜାର ଟଙ୍କା ନିଅ ବୋଲି କହିଥିଲେ। ସେ ଏହାକୁ ବିରୋଧ କରିବାରୁ ହଠାତ୍ ପ୍ରିୟବ୍ରତ ଅଶାଳୀନ ବ୍ୟବହାର କରିବା ସହ ଧମକ ଦେଇଥିଲେ। ପାଖରେ ରଖିଥିବା ଏକ ଭୁଜାଲିରେ ବିକାଶଙ୍କୁ ଆକ୍ରମଣ କରିଥିଲେ। ଫଳରେ ବିକାଶଙ୍କ ବାମ ପାଖ ଆଖି ପତାରେ ଆଘାତ ଲାଗିଥିଲା। ଘଟଣା ପରେ ପ୍ରିୟବ୍ରତ ସେଠାରୁ ଫେରାର ହୋଇଯାଇଥିଲା। ଏ ନେଇ ବିକାଶ ମାହାଙ୍ଗା ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି କୁମୁଡାଜୟପୁର ଫାଣ୍ତି ଅଧୀନ କୁଣ୍ଠି ପଞ୍ଚାୟତ ୪୪ ନମ୍ବର ବୁଥରେ ଫଟୋ ଉଠାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ଘଟିଛି। ଜଳେଶ୍ବରପୁର ୭୦ନଂ ବୁଥ ବାହାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଭଦ୍ରେଶ୍ବର ଥାନା ଅଧୀନ ହଳଦିଆ ପଂଚାୟତ ଓଳକଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ଘଟି ଏକାଧିକ ଆହତ ହୋଇଥିବା ଜଣାଯାଇଛି।

ନାହାଙ୍ଗ ପଂଚାୟତର ଗୌଡଗୋପ, ବାଲିପଡା, ପାଇକରାପୁର ପଞ୍ଚାୟତ କୁସୁନପୁର, ଭଉଁରିଆ ପଂଚାୟତ ପନ୍ଦରବାଟିଆ ଆଦି ସ୍ଥାନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ଘଟିଛି। ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ବୁଥ୍ ନିକଟରେ ଦୁଇ ଗୋ‌‌ଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ବେଳେ ବିଭିନ୍ନ ସ୍ଥାନରେ ଉତ୍ତେଜନା ସୃଷ୍ଟି ହୋଇଛି। କିନ୍ତୁ ଉଭୟ କେନ୍ଦ୍ରାପଡ଼ା ଓ ‌ଜଗତସିଂହପୁର ଲୋକସଭା ଅଞ୍ଚଳର ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଛି। ରାତି ୯ଟା ପର ଯାଏ ବିଭିନ୍ନ ସ୍ଥାନରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଏହି ଘଟଣାକୁ ନେଇ ଉତ୍ତେଜନା ବି ସୃଷ୍ଟି ହୋଇଛି।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button