ଦେଶ- ବିଦେଶ

ସୈଫ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସନ୍ଦେହ ପ୍ରକଟ କଲେ ମହାରାଷ୍ଟ୍ର ମନ୍ତ୍ରୀ

ମୁମ୍ବାଇ: ଗତକିଛି ଦିନ ହେବ ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଉପରେ ହୋଇଥିବା ଛୁରାମାଡ଼କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏବେ ମହାରାଷ୍ଟ୍ରର ମନ୍ତ୍ରୀ ନିତେଶ ରାଣେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି କି ସୈଫ୍‌ଙ୍କ ଉପରେ ବାସ୍ତବରେ ଆକ୍ରମଣ ହୋଇଛି ନା ୫୪ ବର୍ଷୀୟ ଅଭିନେତା ଅଭିନୟ କରୁଥିଲେ?

ଜଣେ ଚୋର ଅଭିନେତାଙ୍କ ଘରକୁ ଚୋରି କରିବାକୁ ଆସି ତାଙ୍କ ସାନ ପୁଅ ଶୋଇଥିବା ଘରକୁ ପ୍ରବେଶ କରିଥିଲା। ସାନ ପୁଅ ଜୈହ୍‌ଙ୍କ ରୁମ୍‌ରେ ଥିବା ସହାୟକ ପାଟି ଚିଲାଇବାରୁ ସୈଫ୍‌ ଯାଇ ଚୋରକୁ ସାମ୍ନା କରିଥିଲେ। ‌ଚୋର ଜଣକ ସୈଫ୍‌ଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ତା’ପରେ ଅଭିନେତାଙ୍କୁ ଜଣେ ଅଟୋ ଚାଳକର ଗାଡ଼ିରେ ଲୀଲାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସ‌ା କରାଯାଇଥିଲା। ଏବେ ସେ ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍‌କୁ ଡିସ୍‌ଚାର୍ଜ ହେବା ପରେ ମନ୍ତ୍ରୀଙ୍କର ଏପରି ବୟାନ ଆସିଛି।

ପୁଣେରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ରାଣେ କହିଛନ୍ତି, “ଡିସଚାର୍ଜ ହେବା ପରେ ଯେତେବେଳେ ମୁଁ ସୈଫ୍ ଅଲ୍ଲୀ ଖାନଙ୍କୁ ଦେଖିଲି, ମୁଁ ସନ୍ଦେହ‌ରେ ପଡ଼ିଗଲି ଯେ ସେ ପ୍ରକୃତରେ ଛୁରାମାଡ଼ରେ ଆଘାତପ୍ରାପ୍ତ ହୋଇଥିଲେ ନା କେବଳ ଅଭିନୟ କରିଥିଲେ।”

ବିରୋଧୀ ଦଳ ନେତାମାନେ ସୈଫ୍‌ଙ୍କ ଉପରେ ଆକ୍ରମଣ ଘଟଣାରେ ଚିନ୍ତା ପ୍ରକଟ କରିବା ନେଇ ସେ ଆହୁରି ବି କହିଛନ୍ତି ‘‘ସୁପ୍ରିୟା ସୁଲେ କେବଳ ସୈଫ୍‌ ଅଲୀ ଖାନ୍‌, ଶାହରୁଖ୍‌ ଖାନ୍‌ଙ୍କ ପୁଅ ଓ ଏନ୍‌ସିପି ନେତା ନୱାବ ମଲ୍ଲିକଙ୍କ ପୁଅ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। କେବେ କେଉଁ ହିନ୍ଦୁ କଳାକାରଙ୍କ ପାଇଁ ବ୍ୟସ୍ତ ହେବାର ଦେଖିଛନ୍ତି କି?’’

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button