ରାଜ୍ୟ

‘ଦୟା’ ପ୍ରଦୂଷିତ ଜାଣି ପ୍ରଦୂଷଣ ବୋର୍ଡ ନିରବ: ଚିଲିକାର ଜୈବ ବିବିଧତା ନଷ୍ଟ ହେବା ଆଶଙ୍କା‌

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ପ୍ରବାହିତ ଦୟା ନଦୀ ଜଳ ପ୍ରଦୂଷିତ। ଉତ୍ପତ୍ତି ସ୍ଥଳଠାରୁ ଚିଲିକାରେ ମିଶିବା ପର୍ଯ୍ୟନ୍ତ ପ୍ରାୟ ୪୦ କିମି ବ୍ୟାପ୍ତ ଏହି ନଈର ପାଣି ବ୍ୟବହାର ଯୋଗ୍ୟ ହୋଇରହି ନାହିଁ। ଏ କଥା ଆଜି କି କାଲିର ନୁହେଁ। ଏକ ଦଶନ୍ଧି ତଳେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ(ସିପିସିବି) ଏଭଳି ରିପୋର୍ଟ ଦେଇସାରିଛି। ଦେଶର ମାତ୍ରାଧିକ ପ୍ରଦୂଷିତ ୩୫୧ଟି ନଦୀ ମଧ୍ୟରେ ଓଡ଼ିଶାର ୧୯ଟି ନଦୀ ରହିଛି। ଯେଉଁଥିରେ ଦୟା ସମେତ ଭୁବନେଶ୍ବରରେ ପ୍ରବାହିତ ଗଙ୍ଗୁଆ ନଦୀ ମଧ୍ୟ ରହିଛି। ବର୍ଷ ବର୍ଷ ଧରି ଏହି ନଦୀ ଦ୍ବୟର ପାଣି ପ୍ରଦୂଷିତ ହୋଇଥିଲେ ମଧ୍ୟ କେହି ଧ୍ୟାନ ଦେଇ ନାହାନ୍ତି। ପରିଣାମ ସ୍ବରୂପ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ କେତେଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସ୍ଥିତି ଗମ୍ଭୀର ଆଡ଼କୁ ଯାଉଥିବା ବେଳେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ(ଓଏସ୍‌ପିସିବି)ର କାର୍ଯ୍ୟାନ୍ବୟନ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ନଦୀର ଜଳ ପ୍ରଦୂଷିତ ହୋଇଥିବା ସମ୍ପର୍କରେ ଓଏସ୍‌ପିସିବି ବହୁ ଆଗରୁ ଅବଗତ ରହିଛି। ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛି। ନଦୀ କିଭଳି ପ୍ରଦୂଷିତ ହେଉଛି, କେଉଁ ଅଞ୍ଚଳରେ ଏହି ନଈର ପାଣି ବିଷାକ୍ତ ହୋଇଛି, ବିଷାକ୍ତ ସ୍ତର କିଭଳି ରହିଛି ଆଦି ବିଷୟରେ ଅନୁଧ୍ୟାନ କରିବା ସହ ଓଏସ୍‌ପିସିବି ରିପୋର୍ଟ ପ୍ରସ୍ତୁତ କରିଛି। ଭୁବନେଶ୍ୱର ଉପକଣ୍ଠରୁ ବାହାରି ଧଉଳି, ଡେଲାଙ୍ଗ, ତିରିମଲ, କଣାସ, ଜଙ୍କିଆ, ବସନ୍ତପୁର, ଗଡ଼ିଶାଗୋଦା ପ୍ରଭୃତି ଅଞ୍ଚଳ ଅତିକ୍ରମକରି ଚିଲିକାରେ ମିଶିବା ଭିତରେ ପାଖାପାଖି ୩ ଲକ୍ଷ ଲୋକ ଏହି ନଦୀ ଉପରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ରହିଛନ୍ତି। ଏକ ହଜାରରୁ ଅଧିକ ହେକ୍ଟର ଚାଷ ଜମିକୁ ଏହି ନଦୀରୁ ଜଳସେଚନ ହେଉଛି। ପ୍ରାୟ ଏକ ଲକ୍ଷ ଲୋକେ ପିଇବା ପାଣି ପାଇଁ ଏହା ଉପରେ ନିର୍ଭରଶୀଳ। ନଦୀ ନିକଟରେ ପାଣିଟାଙ୍କି କରି ପାଇପ୍‌ ଯୋଗେ କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହେଉଛି। ଲୋକଙ୍କ ଜୀବନରେଖା ପାଲଟିଥିବା ଏହି ନଦୀ ଜଳ ବିଷାକ୍ତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନଦୀକୁ ଯିବାକୁ ରାଜଧାନୀ ଉପକଣ୍ଠବାସୀ ଏବେ ଭୟ କଲେଣି।

ଚିଲିକାର ଜୈବ ବିବିଧତା ନଷ୍ଟ ହେବା ଆଶଙ୍କା‌
ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହେଉଛି: ଜଙ୍ଗଲ ମନ୍ତ୍ରୀ

ଦୟା ନଦୀ ପାଣି ଦ୍ବାରା କଣାସ ଅଞ୍ଚଳରେ ଏବେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଓଏସ୍‌ପିସିବି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନିରବ। ଓଏସ୍‌ପିସିବି ସଦସ୍ୟ ସଚିବ କେ ମୁରଗସେନ୍‌ ଏବାବଦରେ ମୁହଁ ଖୋଲୁ ନାହାନ୍ତି। ସେପଟେ ବିଷାକ୍ତ ପାଣି ଦ୍ବାରା ଚିଲିକାର ଜୈବ ବିବିଧତା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି ଯେ ଦୟା ନଦୀକୁ କିଭଳି ପୁନରୁଦ୍ଧାର କରାଯିବ ସେନେଇ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଜଳ ପ୍ରଦୂଷଣ ରୋକିବାକୁ ନୂଆ ଜ୍ଞାନକୌଶଳ ପ୍ରୟୋଗ ସେନେଇ ଆଲୋଚନା ଚାଲିଛି। ଚିଲିକା ଉପରେ ଯେପରି ପ୍ରଭାବ ନ ପଡ଼ିବ ତାହା ଉପରେ ନଜର ରଖାଯାଇଛି। ନଦୀ ପାଣିକୁ ସଙ୍ଗେ ସଙ୍ଗେ ସ୍ବଚ୍ଛ କରାଯାଇପାରିବ ନାହିଁ। ଏହା ଦୀର୍ଘମିଆଦୀ ପ୍ରକ୍ରିୟା ହୋଇଥିବାରୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।

ପରିବେଶବିତ୍‌ଙ୍କ କହିବାନୁଯାୟୀ ଭୁବନେଶ୍ୱର ଉପକଣ୍ଠ ଦେଇ ପ୍ରବାହିତ ହେଉଥିବାରୁ ସାରା ସହରର ଦୂଷିତ ଜଳ ଓ ପଦାର୍ଥ ଗଙ୍ଗୁଆ ନାଳ ଦେଇ ସିଧାସଳଖ ଦୟା ନଦୀକୁ ପ୍ରବେଶ କରି ଜଳକୁ ପ୍ରଦୂଷିତ କରୁଛି। ଭୁବନେଶ୍ୱର ସହରରେ ବର୍ଜ୍ୟଜଳ ବିଶୋଧନ ପ୍ରକଳ୍ପ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ନ ଥିବାରୁ ଏକ ଦଶନ୍ଧି ଧରି ନଦୀଜଳର ପ୍ରଦୂଷଣ ବଢ଼ିବାରେ ଲାଗିଛି। ସହରରେ ଥିବା ଶିଳ୍ପସଂସ୍ଥା, ମଞ୍ଚେଶ୍ୱର ଓ ରସୁଲଗଡ଼ ଶିଳ୍ପାଞ୍ଚଳରୁ ବାହାରୁଥିବା ବିଷାକ୍ତ ଜଳ ତଥା ଡାକ୍ତରଖାନାରୁ ବାହାରୁଥିବା ଅଳିଆ ଆବର୍ଜନା, ଘରୋଇ ଅଳିଆ ଆଦି ନଦୀ ଜଳରେ ମିଶୁଥିବାରୁ ଜଳ ପ୍ରଦୂଷିତ ହେଉଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button