ରାଜ୍ୟ

‘ସୁଭଦ୍ରା’ରୁ କଟିଲେ ୧୫୭ ପୁରୁଷ: ଗଳା ବାଟରେ କରିଥିଲେ ଆବେଦନ

ଭୁବନେଶ୍ବର: ରାଜ୍ୟର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବର୍ଷକୁ ୧୦ହଜାର ଲେଖାଏ କରି ୫ବର୍ଷରେ ୫୦ହଜାର ଟଙ୍କା ପାଇବେ ମହିଳା। ୩ଟି ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ମିଳିସାରିଲାଣି। ଚତୁର୍ଥ କିସ୍ତି ଟଙ୍କା ମିଳିବା ପୂର୍ବରୁ ଏହି ଯୋଜନାରେ କିଛି ପୁରୁଷ ଆବେଦନ କରିଥିବା ସାମ୍ନାକୁ ଆସିଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ତେବେ ପୁରୁଷମାନେ କେଉଁ ଗଳା ବାଟରେ ଏଥିପାଇଁ ଆବେଦନ କଲେ ଓ ଆରମ୍ଭରୁ ଯାଞ୍ଚ ସମୟରେ ଏହାକୁ କିଭଳି ରୋକା ଗଲାନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ସୁଭଦ୍ରାରେ ୧୫୭ଜଣ ପୁରୁଷ ଆବେଦନ କରିଥିଲେ। ବେଳେବେଳେ ପୁଅ ଓ ଝିଅ ନାଁ ଏକାଭଳି ଥାଏ। ବନାନ ବି ଏକା ହୋଇଯାଏ। କ’ଣ ପାଇଁ ସେମାନେ ଆବେଦନ କରିଥିଲେ ଜଣାପଡ଼ିନାହିଁ। ଆଧାର କାର୍ଡ ସହ ବ୍ୟାଙ୍କ ଲିଙ୍କ୍‌ ହେବା ପରେ ଏହି ଡାଟା ମିଳିଛି। ହୁଏତ ସେମାନେ ଭୁଲ୍‌ରେ ଆବେଦନ କରିଥାଇପାରନ୍ତି। ମାତ୍ର ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧କୋଟି ୭ଲକ୍ଷ ଆବେଦନପତ୍ରର ଯାଞ୍ଚ ଶେଷ ହୋଇଛି। ୨ଲକ୍ଷରୁ ଅଧିକ ଏନ୍‌ପିସିସିଆଇ ବାକି ରହିଥିଲା। ତେବେ ଜିଲ୍ଲାସ୍ତରରେ ବୈଠକ ପରେ ଯାଞ୍ଚ ପ୍ରକ୍ରିୟା ଜୋର ଧରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ମହିଳା ଆବେଦନ କରିପାରିନାହାନ୍ତି।  ଦେବଗଡ଼, , କୋରାପୁଟ, ଭଳି ଜିଲ୍ଲାରୁ ସର୍ବାଧିକ ରହିଛନ୍ତି। ଅଙ୍ଗନବାଡ଼ି ଦିଦି ଗାଁକୁ ଯାଇ ସେମାନଙ୍କୁ ନ ପାଇ ଫେରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ତାଙ୍କର ଏକ ‌ଫଟୋ ଉଠିବା ଦରକାର। ସେମାନେ ଆବେଦନ କଲେ ତାଙ୍କୁ ସହାୟତା ମିଳିବ। ମାତ୍ର ସେମାନେ ଉପସ୍ଥିତ ନ ଥିବାରୁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ଫାଇଦା ନେଇ ପାରୁନାହାନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ସୁଭଦ୍ରା’ ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମେ ଅଫ୍‌ଲାଇନ୍‌ରେ ଜନସେବା ଓ ମୋ ସେବା କେନ୍ଦ୍ରରେ ଆବେଦନ କରିବାକୁ ପଡ଼ିଥାଏ। ତେବେ ଏହି ସରକାରୀ ସ୍ବୀକୃତିପ୍ରାପ୍ତ କେନ୍ଦ୍ରରେ କିଭଳି ପୁରୁଷଙ୍କୁ ଆବେଦନ କରିବା ଲାଗି ସୁଯୋଗ ଦିଆଗଲା। ଏହାସହ ସୁଭଦ୍ରା ପୋର୍ଟାଲରେ ସଂପୃକ୍ତ ପୁରୁଷଙ୍କୁ କିଭଳି ଆକ୍‌ନ‌ଲେଜମେଣ୍ଟ୍‌ ଲେଟର୍‌ ଆସିଲା ତାହା ମଧ୍ୟ ରହସ୍ୟ ହୋଇ ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button