ଦେଶ- ବିଦେଶ

ଗାଜା ଅସ୍ତ୍ରବିରତି ଚୁକ୍ତି ଲାଗୁ: ଲଢ଼େଇ ବନ୍ଦ, ଲୋକେ ଘରକୁ ଫେରୁଛନ୍ତି

ଗାଜା/ତେଲ୍‌ ଅଭିଭ୍‌: ଇସ୍ରାଏଲ ଓ ପାଲେଷ୍ଟାଇନ୍‌ର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଦୀର୍ଘ ୧୫ ମାସ ଧରି ଚାଲିଥିବା ସଂଘର୍ଷରେ ଆଜିଠାରୁ ବିରାମ ଲାଗିଛି। ଅସ୍ତ୍ରବିରତି ଚୁକ୍ତି ନିର୍ଦ୍ଧାରିତ ସମୟର ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଆଜି ପୂର୍ବାହ୍ନରୁ କାର୍ଯ୍ୟକାରୀ ହୋଇଛି। ମଧ୍ୟପ୍ରାଚ୍ୟରେ ବିପର୍ଯ୍ୟୟ ଆଣିଥିବା ଏହି ସଂଘର୍ଷରେ ୬୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଲକ୍ଷରୁ ଅଧିକ ଆହତ ହୋଇଛନ୍ତି। ଆଜି ଯୁଦ୍ଧବିରତି ପୂର୍ବରୁ ଇସ୍ରାଏଲର ଦାବି ମୁତାବକ ବନ୍ଧକଙ୍କ ନାମ ତାଲିକା ଦେବାରେ ହମାସ ବିଳମ୍ବ କରିବାରୁ ଇସ୍ରାଏଲ ପୁଣି ଆକ୍ରମଣ ଆରମ୍ଭ କରିଦେଇଥିଲା। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଓ ଆର୍ଟିଲାରି ଆକ୍ରମଣରେ ୧୩ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଇସ୍ରାଏଲ ଆକ୍ରମଣର ତୀବ୍ରତାକୁ ଦେଖି ହମାସ ଚୁକ୍ତି ଅଧୀନରେ ମୁକ୍ତ ହେବାକୁ ଥିବା ପ୍ରଥମ ତିନି ଜଣ ବନ୍ଧକଙ୍କ ନାମ ତାଲିକା ତୁରନ୍ତ ପ୍ରଦାନ କରିଥିଲା ଏବଂ ଏହାପରେ ଯୁଦ୍ଧବିରତି ଲାଗୁ ହୋଇଥିବା ଉଭୟ ପକ୍ଷ ଘୋଷଣା କରିଥିଲେ।

ଲଢ଼େଇ ବନ୍ଦ, ଲୋକେ ଘରକୁ ଫେରୁଛନ୍ତି
ପଦକ୍ଷେପକୁ ସ୍ବାଗତ କଲେ ଟ୍ରମ୍ପ

ଜଣେ ପାଲେଷ୍ଟାଇନ୍ ଅଧିକାରୀ କହିଛନ୍ତି ଯେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପୂର୍ବରୁ ମଧ୍ୟସ୍ଥିମାନେ ୪୮ ଘଣ୍ଟା ଶାନ୍ତ ରହିବାକୁ ଉଭୟ ପକ୍ଷଙ୍କୁ କହିଥିଲେ। ତେବେ ଇସ୍ରାଏଲ ଏହାକୁ ଗ୍ରହଣ କରିନଥିଲା ଏବଂ ଏହି ପ୍ରକ୍ରିୟାରେ ଅସ୍ତ୍ରବିରତି ଲାଗୁ ହେବାପାଇଁ ୩ ଘଣ୍ଟା ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ତାଲିକା ମିଳିବାରେ ବିଳମ୍ବ ଯୋଗୁଁ ହିଁ ଏଭଳି ସ୍ଥିତି ଉପୁଜିଲା ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି । ଆଜି ଯେଉଁ ଇସ୍ରାଏଲୀ ବନ୍ଧକମାନଙ୍କୁ ହମାସ ମୁକ୍ତ କରିଛି, ସେମାନେ ହେଲେ ରୋମି ଗୋନ୍, ଡୋରନ୍ ଷ୍ଟେନ୍‌ବ୍ରେଚର ଏବଂ ଏମିଲି ଡାମାରୀ । ୨୦୨୩ ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିବା ପରେ ଶତାଧିକ ଲୋକଙ୍କୁ ଅପହରଣ କରିନେଇଥିଲେ। ଏହାପରେ ଗାଜା ଯୁଦ୍ଧ ଆରମ୍ଭ ହୋଇଥିଲା। ଇସ୍ରାଏଲର ଭୟଙ୍କର ଆକ୍ରମଣରେ ଗାଜାର ୮୦ ପ୍ରତିଶତ ଅଞ୍ଚଳ ଛାରଖାର ହୋଇଯାଇଛି ଏବଂ ୬୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ନିହତ ହୋଇଥିବା ଜାତିସଂଘ ସୂତ୍ରରୁ କୁହାଯାଇଛି। ଏହି ଯୁଦ୍ଧ ସମଗ୍ର ମଧ୍ୟପ୍ରାଚ୍ୟକୁ ବିପଦ ମୁହାଁ କରିଥିବା ବେଳେ ଇସ୍ରାଏଲ ଓ ଏହାର ଶତ୍ରୁ ଇରାନ ମଧ୍ୟରେ ବି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଥିଲା ଏବଂ ଉଭୟ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ କରିଥିଲେ।
ଇସ୍ରାଏଲ ସେନା ଗାଜାର ରାଫା ଅଞ୍ଚଳରୁ ଆଜି ପ୍ରଥମ ପର୍ଯ୍ୟାୟରେ ସେନା ପ୍ରତ୍ୟାହାର ଆରମ୍ଭ କରିବା ଲୋକଙ୍କୁ ଆଶ୍ବସ୍ତ କରିଛି ଏବଂ ରିଲିଫ୍‌ ଶିବିରରେ ରହୁଥିବା ବାସହରାମାନେ ସେମାନଙ୍କ ଧ୍ବସ୍ତବିଧ୍ବସ୍ତ ବାସସ୍ଥାନ ଅଂଚଳକୁ ଫେରିବା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଇଜିପ୍ଟ, କତାର ଏବଂ ଆମେରିକାର ମଧ୍ୟସ୍ଥତାରେ ଦୀର୍ଘ ମାସ ଧରି ଚାଲିଥିବା ଆଲୋଚନା ପରେ ତିନି ପର୍ଯ୍ୟାୟ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା। ଆସନ୍ତାକାଲି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଏହି ଚୁକ୍ତି ଆଜି କାର୍ଯ୍ୟକାରୀ ହୋଇଥିବାରୁ ବିଭିନ୍ନ ରାଷ୍ଟ୍ର ଏହାକୁ ସ୍ବାଗତ କରିଛନ୍ତି। ଟ୍ରମ୍ପ ମଧ୍ୟ ଅସ୍ତ୍ରବିରତିକୁ ସ୍ବାଗତ କରି ଏହା ଶାନ୍ତି ପାଇଁ ବାଟ ଫିଟାଇବ ବୋଲି କହିଛନ୍ତି। ପ୍ରାୟ ୭୭ ଜଣ ବନ୍ଧକଙ୍କ ବଦଳରେ ଇସ୍ରାଏଲ ପର୍ଯ୍ୟାୟକ୍ରମେ ୨,୦୦୦ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବ ବୋଲି ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ପ୍ରତିନିଧି ଷ୍ଟିଭ୍ ୱିଟକଫଙ୍କ ସହ ମିଶି ଏହି ଚୁକ୍ତିକୁ ଆଗକୁ ବଢ଼ାଇବା ପାଇଁ କାମ କରିଥିଲେ। ସୂଚନାଯୋଗ୍ୟ, ନିକଟରେ ଟ୍ରମ୍ପ ହମାସକୁ ଚେତାବନୀ ଦେଇ କହିଥିଲେ ଯେ ବନ୍ଧକମାନଙ୍କୁ ମୁକ୍ତ କରାନଗଲେ ସେମାନଙ୍କୁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button