ପ୍ରବଳ ଥଣ୍ଡାରେ ଥରୁଛି ଉତ୍ତର ଭାରତ
ପ୍ରବଳ ଥଣ୍ଡା ଓ ଶୀତ ଲହରରେ ଥରୁଛି ଉତ୍ତର ଭାରତ । ହିମାଚଳ ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡରେ ତୁଷାର ପାତ ସହ ପ୍ରବଳ ଶୀତଲହର ଜାରି । ବୁଧବାର ପର୍ଯ୍ୟନ୍ତ ଏସବୁ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ଆହୁରି ୫ ଡିଗ୍ରୀ ସେଲ୍ସିୟସ ହ୍ରାସ ପାଇବ ଏବଂ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
କେତେକ ସ୍ଥାନରେ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ମଧ୍ୟ ଲାଗି ରହିବ ବୋଲି କୁହାଯାଇଛି । କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁ ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ ରହିଛି । କାଶ୍ମୀର ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ଗାନ୍ଦରବଲ, ସୋନମାର୍ଗ, ପେହେଲଗାମ, ଗୁଣ୍ଡ, ବାରାମୂଲା ସମେତ ଅନେକ ସ୍ଥାନରେ ତାପମାତ୍ରା -୧୦ ଡିଗ୍ରୀରୁ -୨୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିଛି। ରାସ୍ତାଘାଟରେ ୧ ଫୁଟ ଉଚ୍ଚର ବରଫ ଜମା ହୋଇଥିବାରୁ ବିଭିନ୍ନ ସ୍ଥାନରେ ୧୮୦୦ରୁ ଅଧିକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।