ଲିଭର ଜଣ୍ଡିସରେ ପୀଡିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛି କୁନି ଝିଅ ଯାଜ୍ଞସିନୀ
ବୋଉ ମୁଁ ଆଉ ସହି ପାରୁନି । ଭାରି କଷ୍ଟ ହେଉଛି । ମୁଁ କଣ ଆଉ ଗାଁକୁ ଯିବିନି । ଜେଜେମା ମୋତେ ଆଉ ଗେଲ କରିବେନି କି ? ଭାଇ ମୁଁ ମିଶି ସ୍କୁଲ୍ ଯିବୁ । ମୋର କଣ ହୋଇଛି ବାପା ? ଏମିତି କିଛି ପଚାରୁଛି କୁନି ଝିଅ ଯାଜ୍ଞସିନୀ । ଯାଜ୍ଞସିନୀର ଏହି ଦୁଇ ଚାରି ପଦ କଥା ଶୁଣି ପରିବାରର ଲୋକଙ୍କ କଣ୍ଠରୁଦ୍ଧ ହୋଇଯାଉଛି । ଆଖିରୁ ଧାରଧାର ହୋଇ ଲୁହ ଖସି ଯାଉଛି । କିନ୍ତୁ କରିବେ କଣ । କିଛି ଦିନ ତଳେ ଲିଭର ଜଣ୍ଡିସରେ ପୀଡିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛି କୁନି ଝିଅ ଯାଜ୍ଞସିନୀ । ଆର୍ଥିକ ଅନାଟନରେ ଗତି କରୁଥିବା ପରିବାର ଏତେ ଟଙ୍କା ଆଣିବେ ବା କୋଉଠୁ । ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଚେନ୍ନାଇ ଗଲେ ହିଁ ଝିଅ ବଞ୍ଚି ପାରିବ । ଝିଅ ପାଇଁ ଗାଁ ଲୋକେ ବି ଚାରି ଆଡ଼େ ଅନ୍ୟ ଲୋକଙ୍କ ଠାରୁ ସାହାଯ୍ୟ ମାଗୁଛନ୍ତି । ସେପଟେ ଘରେ ରୋଗୀଣା ଜେଜେମା, ଜେଜେବାପା, ବଡ ବୋଉ, ଭାଇ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଝିଅ ଚିନ୍ତାରେ ଘରେ ଚୁଲି ଜଳୁନି କି ଆଖିରୁ ଲୁହ ଶୁଖୁନି । ସାହି ପଡିଶା ଲୋକ ଝିଅର ମା’କୁ ସ୍ବାନ୍ତନା ଦେବା ପାଇଁ ଘରେ ଭିଡ ଜମାଉଛନ୍ତି ।
ନୟାଗଡ ଜିଲ୍ଲା କନ୍ଧ ନୟାଗଡ ଗ୍ରାମର ହାଡୁ ସାହୁ । ପେଶାରେ ଜଣେ ମେକାନିକ । ପରିବାର କହିଲେ ଝିଅ ପୁଅ, ସ୍ତ୍ରୀଙ୍କ ସହ ବାପା ମା, ବଡ ଭାଇ, ଭାଉଜ । ଯୌଥ ପରିବାରରେ ସମସ୍ତେ ମିଳିମିଶି ରୁହନ୍ତି । ହଠାତ୍ ଦିନେ ଝିଅ ଯାଜ୍ଞସିନୀର ଦେହ ଭୀଷଣ ଖରାପ ହେବାକୁ ଲାଗିଲା । ତୁରନ୍ତ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା । ଝିଅ ଲିଭର୍ ଜଣ୍ଡିସରେ ଆକ୍ରାନ୍ତ । ଏହା ପରେ ପରିବାରର ଲୋକେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଯାଇ ଯାଇ ଆର୍ଥିକ ସ୍ତରରେ ଦୁର୍ବଳ ହୋଇ ଗଲେଣି । ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ବି ନାହିଁ । ଶେଷରେ ଏବେ ଏମ୍ସ ହସ୍ପିଟାଲର ଆଇସିୟୁରେ ଜୀବନ ମରଣ ସହ ସଂଗ୍ରାମ କରୁଛି କୁନି ଝିଅ ଯାଜ୍ଞସିନୀ ।
ଏବେ ଯାଜ୍ଞସିନୀର ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଖରାପ ହେଲାଣି । ବର୍ତ୍ତମାନ ଭୁବନେଶ୍ଵର ଏମ୍ସ ଡାକ୍ତର ଝିଅକୁ ଚେନ୍ନାଇ ନେବା ପାଇଁ କହୁଛନ୍ତି । ସେଠାର ତାର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ । ଯାହା ପଇସା ପତ୍ର ଥିଲା ସବୁ ସରିଗଲାଣି । ଆମ୍ବୁଲାନ୍ସରେ ଚେନ୍ନାଇ ଯିବା ପାଇଁ ମଧ୍ୟ ପରିବାର ପାଖରେ ଅର୍ଥ ନାହିଁ । କିନ୍ତୁ ଆପଣମାନଙ୍କର ଛୋଟ ସାହାଯ୍ୟ କୁନି ଝିଅର ଜୀବନ ବଞ୍ଚାଇ ପାରିବ । ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବେ କୁନି ଝିଅର ଜୀବନ ବଞ୍ଚିଯିବ ।